କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାକୁ ବୃହତ୍‌ ଶିଳ୍ପ ଆସୁଛି। କେବଳ ରାଜ୍ୟ କି’ ଦେଶ ନୁହେଁ; ସାରା ବିଶ୍ବର ସର୍ବବୃହତ୍ ଇସ୍ପାତ କାରଖାନା ମହାକାଳପଡ଼ାରେ ବସିବାକୁ ଯାଉଛି ବୋଲି ବିଜେଡିର କେତେକ ନେତା ଦାବି କରିଆସୁଛନ୍ତି। ନିକଟରେ ୫-ଟି ଅଧୢକ୍ଷ ଭି. କାର୍ତ୍ତିକେୟନ ପାଣ୍ତିଆନ୍ ମଧୢ ଜିଲ୍ଲା ଗସ୍ତରେ ଆସି ଆର୍ସେଲ ମିତ୍ତଲ ଓ ନିପନ ଷ୍ଟିଲ୍ କାରଖାନା କଥା ଉଠାଇଥିଲେ ଏବଂ ଆଗାମୀ ଦିନରେ କେନ୍ଦ୍ରାପଡ଼ା ସାରା ରାଜ୍ୟକୁ ଅର୍ଥ ଓ ରୋଜଗାର ଯୋଗାଇବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ଶାସକ ଦଳର ନେତାଙ୍କ ବାରମ୍ବାର ଏପ୍ରକାର ଦାବି ପରେ ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଆଗକୁ ଶିଳ୍ପ ମାନଚିତ୍ରରେ ଯୋଡ଼ିହେବାକୁ ଯାଉଥିବା ସମ୍ଭାବନା ଦେଖାଦେଇଛି। କିନ୍ତୁ ଏସବୁ ଭିତରେ ଜିଲ୍ଲାବାସୀଙ୍କ ମନରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି, ତାହା ହେଉଛି ପ୍ରକୃତରେ ଶିଳ୍ପ ହେବ ନା’ ଏହା କେବଳ ନିର୍ବାଚନୀ ଧୂଆଁବାଣ ହେଇ ରହିଯିବ? ଏ ଆଶଙ୍କା ସୃଷ୍ଟି ହେବା ପଛରେ ବଳିଷ୍ଠ କାରଣ ହେଉଛି ନିର୍ବାଚନ ଆସିଲେ ପ୍ରତିଥର କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରସଙ୍ଗ ଉଠେ। ନେତମାନେ ଶିଳ୍ପ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଜିତନ୍ତି। କିନ୍ତୁ ପରେ ଶିଳ୍ପ ପ୍ରସଙ୍ଗ ପୁଣି ଶୀତଳଭଣ୍ତାରକୁ ଆପେଆପେ ଚାଲିଯାଏ। ବଳଦେବଜିଉ ପାଵାରଲୁମର ପୁନରୁଦ୍ଧାରଠୁ ଅଳାଇଲୋ ଥର୍ମାଲ ପାଵାର ପ୍ଲାଣ୍ଟ୍ ପ୍ରକଳ୍ପ ଯାଏ ଅତୀତରେ ଯେତେସବୁ ଶିଳ୍ପ କଥା ଉଠିଛି, ତାହା କେବଳ କାଗଜକଲମ ଭିତରେ ସୀମିତ ରହିଯାଇଛି।

Advertisment

ଚୌଦ୍ବାର ଓଟିଏମ୍ ପରେ କେନ୍ଦ୍ରାପଡ଼ା ବଳଦେବଜିଉ ପାଵାରଲୁମ୍ ଏକଦା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିଲା। ସତୁରୀ ଦଶକରେ ପ୍ରତିଷ୍ଠିତ ଏହି ଶିଳ୍ପ ସ˚ସ୍ଥାଟି ବେଶ୍ କିଛି ବର୍ଷ ଭଲ ଚାଲିଥିଲା। ଶତାଧିକ ଶ୍ରମିକଙ୍କୁ ରୋଜଗାର ଦେଇଥିଲା। କିନ୍ତୁ ୧୯୯୮ମସିହାରେ କ୍ଷତିରେ ଚାଲୁଥିବା ଦର୍ଶାଇ ସରକାର ଏହାକୁ ସ˚ପୂର୍ଣ୍ଣ ବନ୍ଦ କରିଦେଲେ। ଫଳରେ ଜିଲ୍ଲା ଶିଳ୍ପବିହୀନ ହେଇଗଲା। ବାସ୍ ତା’ପରଠୁ ଶିଳ୍ପକୁ ନେଇ ଅନେକ ଘୋଷଣା ହୋଇଛି ସତ କିନ୍ତୁ ତାହା ଯେ କେବଳ ନିର୍ବାଚନୀ ଧୂଆଁବାଣ; ହାଣ୍ତିରୁ ଗୋଟିଏ ଭାତ ଚିପିବା ଭଳି ଅଳାଇଲୋ ଥର୍ମାଲ୍ ପାଵାର ପ୍ଲାଣ୍ଟ୍ ଏହାର ଗୋଟିଏ ବଡ଼ ଉଦାହରଣ। ୨୦୧୧ମସିହାରେ ରାଜ୍ୟ ସରକାର ଏହି ଶିଳ୍ପ ଘୋଷଣା କରିବା ସହିତ ‘ଏସ୍ପିଏଲ୍ ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍’ ନାମକ କ˚ପାନି ସହିତ ବୁଝାମଣାପତ୍ର ସ୍ବାକ୍ଷରିତ କଲେ। ମୋଟ ୬ ହଜାର ୬୦୯ କୋଟି ଟଙ୍କା ବ୍ୟୟ ଅଟକଳରେ ମହାକଳାପଡ଼ା ବ୍ଲକ୍ ଅଳାଇଲୋ-ଓଳିହୋ ପାଟରେ ଥିବା ପାଖାପାଖି ୧୦ ହଜାର ଏକର ଜମିରେ ଏହାକୁ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହେଲା। ଶାସକ ବିଜେଡିକୁ ପ୍ରସ୍ତାବିତ ଏହି ଶିଳ୍ପ ପାଇଁ ୨୦୧୨ ପ˚ଚାୟତ ନିର୍ବାଚନରେ ଭଲ ସଫଳତା ମିଳିଲା। ହେଲେ ଇତିମଧୢରେ ଘୋଷଣାକୁ ୧୨ ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପର ନାଁ ଗନ୍ଧ ନାହିଁ।

୨୦୨୧-୨୨ ମସିହା ତଥ୍ୟ କହୁଛି ଜିଲ୍ଲାରେ ମୋଟ ୩୮୨ଟି କ୍ଷୁଦ୍ରଶିଳ୍ପ ପଞ୍ଜିକୃତ ହୋଇଥିବା ବେଳେ ୧୧୫ କୋଟି ୮୧ଲକ୍ଷରୁ ଅଧିକ ଟଙ୍କା ପୁଞ୍ଜି ନିବେଶ ହୋଇଛି। ରୋଚକ କଥାଟି ହେଉଛି କ୍ଷୁଦ୍ରଶିଳ୍ପ ମାଧୢମରେ ସେହିବର୍ଷ ମାତ୍ର ୧୨୯୧ଜଣ ନିଯୁକ୍ତି ସୁଯୋଗ ପାଇଛନ୍ତି। କାଗଜପତ୍ରରେ ସିନା ପଞ୍ଜିକୃତ ସ˚ସ୍ଥାଙ୍କ ସ˚ଖ୍ୟା ଗଡ଼ୁଛି, କିନ୍ତୁ ବାସ୍ତବସ୍ଥିତି ଅଲଗା। ଜିଲ୍ଲାରେ ବହୁତ କମ୍ କ୍ଷୁଦ୍ର ଶିଳ୍ପ କାର୍ଯ୍ୟକ୍ଷମ। ନିକଟରେ ଜିଲ୍ଲାପାଳ ଡେରାବିଶ ବ୍ଲକ୍ ବଳଭଦ୍ରପୁର ଶିଳ୍ପାଞ୍ଚଳରେ କ୍ଷୁଦ୍ର ଶିଳ୍ପ ନାଁରେ ଇଡ୍‌କୋଠୁ ଜମି ହାତେଇ ଅନ୍ୟ ବେପାର କରୁଥିବା ୧୫ଟି ସ˚ସ୍ଥାର ଲିଜ୍‌କୁ ବାତିଲ୍ କରିବା ପାଇଁ କେନ୍ଦ୍ରାପଡ଼ା ଓ ଡେରାବିଶ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ଏହା ସୂଚାଇ ଦେଉଛି ଯେ ଜିଲ୍ଲାର କ୍ଷୁଦ୍ରଶିଳ୍ପର ଅବସ୍ଥା କେତେ ରୁଗ୍ଣ?

ସବୁଠୁ ବଡ଼ କଥା ହେଉଛି, ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଆଳି ବିଧାୟକ ପ୍ରତାପ କେଶରୀ ଦେବ ମନ୍ତ୍ରୀ ରୂପେ ଶିଳ୍ପ ବିଭାଗ ଦାୟିତ୍ବ ନେବା ପରେ ଫେବ୍ରୁଆରି ୩ ତାରିଖରେ କେନ୍ଦ୍ରାପଡ଼ା ଆସି ଚଳିତବର୍ଷ ଶେଷସୁଦ୍ଧା ଜିଲ୍ଲାକୁ ଶିଳ୍ପ ଆସିବ ବୋଲି ସ୍ବପ୍ନ ଦେଖାଇଥିଲେ। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୭ଟି ପ୍ରସ୍ତାବ ବିଚାରାଧୀନ ଥିବା କହିଥିଲେ। ବର୍ଷ ସରିଗଲା ପଛେ ଗୋଟିଏହେଲେ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠା ଦେଖିବାକୁ ମିଳିଲା ନାହିଁ। ଏବେ ମହାକାଳପଡ଼ାରେ ପ୍ରସ୍ତାବିତ ଆର୍ସେଲ୍ ମିତ୍ତଲ ଓ ନିପନ ଷ୍ଟିଲ୍ ଶିଳ୍ପକୁ ନେଇ ସରକାରୀସ୍ତରରେ ଖୁବ୍ ତତ୍ପରତା ଦେଖାଦେଇଛି। ମୋଟ୍‌ ୧ ଲକ୍ଷ ୩୪ ହଜାର ୦୦୪ କୋଟି ଟଙ୍କା ଅର୍ଥ ବିନିଯୋଗରେ କ˚ପାନି ସମନ୍ବିତ ୧୪ ନିୟୁତ ଟନ୍‌ର ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା କରିଛି। ଇତିମଧୢରେ ଜମି ଚିହ୍ନଟ ସହିତ ଜନଶୁଣାଣି ‌ଶେଷ ହେଇଛି। ମହାକଳାପଡ଼ା ବ୍ଲକ୍‌ର ଖରିନାସୀ, ନିପାଣିଆ, ବଡ଼ତୁବି, ବନବିହାରୀପୁର, ବରକୋଳିଖଳା, ରାମନଗର ଆଦି ଛଅଟି ଗାଁରୁ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ରହିଛି। ନିକଟରେ ପାଣ୍ତିଆନ୍ ମଧୢ ଏହି ବୃହତ୍ ଶିଳ୍ପ କଥା ଉଠାଇ ରାଜ୍ୟର ୨୦ ହଜାର ବେକାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଥିବା କଥା କହିଥିଲେ। ଶିଳ୍ପ ହେଲେ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ୧ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିକୁ ହାସଲ ପାଇଁ ଓଡ଼ିଶା ରଖିଥିବା ଲକ୍ଷ୍ୟରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବ, ଏଥିରେ ସନ୍ଦେହ ନାହିଁ। ମାତ୍ର ଯେଉଁ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ପ୍ରକୃତରେ କେନ୍ଦ୍ରାପଡ଼ାରେ ଶିଳ୍ପ ହେବ ତ?