ତାଲିମ୍‌ କେନ୍ଦ୍ର ପାଲଟିଛି କେଭି-୪

ଚନ୍ଦ୍ରଶେଖରପୁର : କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ନୀଳାଦ୍ରିବିହାରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ(କେଭି)-୪ ଏବେ ତାଲିମ କେନ୍ଦ୍ର ପାଲଟିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ବଦଳରେ ଏହି କ୍ୟାମ୍ପସରେ ଶିକ୍ଷକ, ଅଣଶିକ୍ଷକ ଓ ବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ତାଲିମକୁ ପ୍ରାଥମିକତା ଦିଆଯାଉଛି। ଦୀର୍ଘ ତିନି ବର୍ଷ ହେଲା ଏଭଳି ସମସ୍ୟା ଲାଗିରହିଥିବାରୁ ଛାତ୍ରଛାତ୍ରୀ ହଇରାଣ ହେଉଥିବା ଅଭିଭା‌ବକମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅପେକ୍ଷା ଜୋନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଜୁକେସନ ଆଣ୍ଡ୍ ଟ୍ରେନିଂ(ଜେଡ୍‌ଆଇଇଟି) କେନ୍ଦ୍ରରେ ତାଲିମ ଉପରେ ପ୍ରାଥମିକତା ଦିଆଯାଉଛି। ୨୦୧୫ ଡିସେମ୍ବର ୧ରୁ କ୍ୟାମ୍ପସରେ ଜେଡ୍‌ଆଇଇଟି ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଅସ୍ଥାୟୀ ଭାବେ ୨ରୁ ୩ ମାସ ପାଇଁ ଏହି ତାଲିମ କେନ୍ଦ୍ର ଚାଲିବ ବୋଲି ପ୍ରଥମେ କୁହାଯାଇଥିଲା। ତେଣୁ ବିଦ୍ୟାଳୟର ତଳ ମହଲାକୁ ତାଲିମ ପାଇଁ ଦିଆଯାଇଥିଲା। ଅସ୍ଥାୟୀ ଭାବେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାୟୀ ପାଲଟିଯାଇଛି। ତିନି ବର୍ଷ ହେଲା ତଳ ମହଲାରେ ଚାଲୁଥିଲେ ମଧ୍ୟ ସ୍ଥାନାନ୍ତର ଦିଗରେ କେହି ବି ଗୁରୁତ୍ବ ଦେଉ ନଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଭିଭାବକଙ୍କ କହିବା କଥା ହେଉଛି, ତଳ ମହଲାରେ ଜେଡ୍‌ଆଇଇଟି  ଚାଲିବା ଦ୍ବାରା ଛୋଟ ପିଲା, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପର ମହଲାକୁ ପାହାଚ ଚଢ଼ି ଯିବାକୁ ପଡ଼ୁଛି। ତାଲିମ ସମୟରେ ଛୋଟ ପିଲାମାନେ ସେଠାରେ ବିଚରଣ କରିବା,  ଅଜାଣତରେ ପ୍ରବେଶ କରିବାରୁ ପ୍ରଶିକ୍ଷକମାନେ ବିରକ୍ତି ପ୍ରକାଶ କରୁଛନ୍ତି। ଜେଡ୍‌ଆଇଇଟି ଦ୍ବିତୀୟ ମହଲାରେ ଚଲାଇବାକୁ ବିଦ୍ୟାଳୟର ଅଧ୍ୟକ୍ଷ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଜେଡ୍‌ଆଇଇଟିର ନୂ୍ତନ ନିର୍ଦେଶକ ଯୋଗଦେବା ପରେ ସମସ୍ୟା ଜଟିଳ ହୋଇଛି। ଶନିବାର ଜେଡ୍‌ଆଇଇଟିର ତାଲିମ ଚାଲୁଥିବାରୁ ପିଲାମାନେ ବୁଲାବୁଲି କରିପାରୁ ନାହାନ୍ତି। ଜେଡ୍‌ଆଇଇଟିର ଟ୍ରେନିଂ ସମୟରେ ଅଂଶଗ୍ରହଣକାରୀମାନେ ପିଲାଙ୍କ ସମ୍ମୁଖରେ ବ୍ରେକ୍‌ଫାଷ୍ଟ ଓ ମଧ୍ୟାହ୍ନଭୋଜନ କରୁଛନ୍ତି, ଯାହାର ଖରାପ ପ୍ରଭାବ ପିଲାଙ୍କ ଉପରେ ପଡ଼ୁଛି। ଜେଡ୍‌ଆଇଇଟି ଦ୍ବାରା ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡ଼ା, କ୍ଲଷ୍ଟର ମିଟ୍‌, କବ୍‌ ବୁଲ୍‌ବୁଲ୍‌ ଉତ୍ସବ, ଗ୍ରାଣ୍ଡ ପ୍ୟାରେଣ୍ଟ ଡେ’ ଠିକ୍‌ ଭାବେ ହୋଇପାରୁ ନାହିଁ। ଗୋଟିଏ କୋଠାରେ ଦୁଇଟି ଅନୁଷ୍ଠାନ ଚାଲିବା ଦ୍ବାରା କ୍ୟାମ୍ପସର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି।

ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟର କ୍ଲଷ୍ଟରସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଜେଡ୍‌ଆଇଇଟି ଅନୁମତି ପ୍ରଦାନ କରୁ ନାହିଁ। ପିଲାମା‌େନ ଯେତେବେ‌ଳେ କ୍ୟାମ୍ପସ ଛାଡ଼ୁଛନ୍ତି, ଜେଡ୍‌ଆଇଇଟିର ଅଂଶଗ୍ରହଣକାରୀଙ୍କ ପାଇଁ ସେହି ସମୟରେ ମଧ୍ୟାହ୍ନଭୋଜନ ଗାଡ଼ି ଆସୁଛି। ବିଦ୍ୟାଳୟର ଗୋଟିଏ ଗେଟ୍‌ ହୋଇଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଭିଭାବକମାନେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟିବାକୁ ଯିବା ସମୟରେ ଜେଡ୍‌ଆଇଇଟି ସୁରକ୍ଷାକର୍ମୀଙ୍କ ବିଭିନ୍ନ ପ୍ରଶ୍ନବାଣର ସମ୍ମୁଖୀନ ହେଉଛନ୍ତି। ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକମାନେ ଅନୁରୋଧ କରିଛନ୍ତି।

ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହସୁଧା ଷଡ଼ଙ୍ଗୀ ଅଭିଭାବକଙ୍କ ଅଭିଯୋଗପତ୍ର କେନ୍ଦ୍ରୀୟ ବିଦ୍ୟାଳୟ ଆଞ୍ଚଳିକ କର୍ଯ୍ୟାଳୟର ଡେପୁଟି କମିସନରଙ୍କ ନିକଟକୁ ପଠାଇ ଦେଇଥିବା‌ ଜଣାପଡ଼ିଛି। ଜେଡ୍‌ଆଇଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଏସ୍‌କେ ଚୋପଦର ଗଣମାଧ୍ୟମକୁ କହିଛନ୍ତି ଯେ କେଭି-୪ରେ ଅଧିକ ସ୍ଥାନ ଥିବାରୁ ଏଠାକୁ ସ୍ଥାନାନ୍ତର କରାଯାଇଛି। ୨୦୧୮ ଅକ୍ଟୋବରରେ ଏଠାରେ ନିର୍ଦ୍ଦେଶକ ଭାବେ ଯୋଗଦେଇଛନ୍ତି। ଘଟଣା ମୋ ପୂର୍ବରୁ ଘଟିଛି, ତେଣୁ ମୁଁ କୌଣସି ପ୍ରତିକ୍ରିୟା ଦେଇପାରିବି ନାହିଁ।

ସମ୍ବନ୍ଧିତ ଖବର