କେନ୍ଦୁଝର ଶିକ୍ଷୟିତ୍ରୀ ନିଖୋଜ ମାମଲା: ମଞ୍ଚେଶ୍ୱରରୁ ମାମୁ ପାଇଲେ, ପୁଲିସ ନାକେଦମ୍‌

ଭୁବନେଶ୍ୱର : ଘରେ କିଛି ନକହି କେନ୍ଦୁଝରରୁ ଭୁବନେଶ୍ବର ଚାଲି ଆସିଥିବା ଜଣେ ଶିକ୍ଷୟିତ୍ରୀଙ୍କ ନିଖୋଜ ହେବା ଖବରକୁ ନେଇ କମିସନରେଟ୍‌ ପୁଲିସ ନାକେଦମ ହୋଇଛି। ଶିକ୍ଷୟିତ୍ରୀଜଣକ ମଞ୍ଚେଶ୍ବରରୁ ମାମୁଙ୍କ ସହ ତାଙ୍କ ଘରକୁ ଯାଇଥିବା ବେଳେ ପୁଲିସ ରାତିସାରା ତାଙ୍କୁ ରସୁଲଗଡ଼ରେ ଖୋଜିଖୋଜି ନୟାନ୍ତ ହୋଇଛି।

ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବା ଏହି ଶିକ୍ଷୟିତ୍ରୀ ଜଣକ ଗତକାଲି ବସ୍‌ରେ ରାଜଧାନୀ ଆସିଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ। ସବୁ ସମ୍ଭାବ୍ୟ ସ୍ଥାନ ଖୋଜାଖୋଜି କରି ନିରାଶ ହେବା ପରେ ପରେ ଶିକ୍ଷୟିତ୍ରୀଙ୍କ ମା’ ୧୧୨ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି ତାଙ୍କ ଝିଅ ନିଖୋଜ ହୋଇଥିବା ଜଣାଇଥିଲେ। କେନ୍ଦୁଝର ପୁଲିସ ଶିକ୍ଷୟିତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲା। କିନ୍ତୁ ଠିକ୍‌ ସେତିକିବେଳେ ଶିକ୍ଷୟିତ୍ରୀ ତାଙ୍କ ମା’ଙ୍କୁ ଫୋନ୍‌ କରି ମଞ୍ଚେଶ୍ବର ପେଟ୍ରୋଲ୍‌ ପମ୍ପ ନିକଟରେ ଥିବା କହିଥିଲେ। ତେଣୁ ତାଙ୍କ ମା ତୁରନ୍ତ ୧୧୨ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି ଏହା ଜଣାଇବା ସହ ଭୁବନେଶ୍ବରରେ ରହୁଥିବା ନିଜ ଭାଇକୁ ଘଟଣା ବିଷୟରେ ଜଣାଇଥିଲେ। ଏହା ଭିତରେ କେନ୍ଦୁଝର ପୁଲିସ ଭୁବନେଶ୍ବର ୧୧୨ କଣ୍ଟ୍ରୋଲ୍‌ ରୁମ୍‌କୁ ଘଟଣା ବିଷୟରେ ଜଣାଇଥିଲା। ତୁରନ୍ତ ଭୁବନେଶ୍ବର କଣ୍ଟ୍ରୋଲ୍‌ ରୁମ୍ ସ୍ଥାନୀୟ ଅଞ୍ଚଳର ପିସିଆର୍‌ ୭କୁ ଘଟଣାସ୍ଥଳକୁ ପଠାଇଥିଲା। ମାତ୍ର ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଶିକ୍ଷୟିତ୍ରୀଙ୍କ ମାମୁ ତାଙ୍କୁ ସେଠାରୁ ନେଇଯାଇଥିଲେ।

ପିସିଆର୍‌ ମଞ୍ଚେଶ୍ବର ପେଟ୍ରୋଲ୍‌ ପମ୍ପ ନିକଟରେ କାହାକୁ ନପାଇ ପୁଣି କେନ୍ଦୁଝର କଣ୍ଟ୍ରୋଲ୍‌ ରୁମ୍‌ ସହଯୋଗରେ ତାଙ୍କ ମା’ଙ୍କ ସହ ଯୋଗାଯୋଗ କରିଥିଲା। ଝିଅ ମାମୁଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚି ଯାଇଛି ବୋଲି ମା’ ଭୁବନେଶ୍ବର ପୁଲିସକୁ କହିଥିଲେ। ତେବେ ସେତେବେଳକୁ ଭୁବନେଶ୍ବର ପିସିଆର୍‌ ପ୍ରାୟ ଘଣ୍ଟାଏ କାଳ ନାକେଦମ୍‌ ହୋଇସାରିଥିଲା। ଘଟଣାଟି ଆଜି ରାଜଧାନୀରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର