ଭୁବନେଶ୍ୱର: ମନୋରମ ପରିବେଶର ଗନ୍ତାଘର କେରଳ ତା’ର ନୂଆ ପର୍ଯ୍ୟଟନ ଖସଡ଼ାକୁ ନେଇ ନୂଆ ଅଭିଯାନ ଆରମ୍ଭ କରିଛି। ଉଚ୍ଚ ପର୍ବତମାଳା, ଉପତ୍ୟକା, ସମୁଦ୍ରତଟ, ସୌମ୍ୟ ଆବଦ୍ଧ ଜଳରାଶି ସମେତ ଏଥର କେରଳ ପର୍ଯ୍ୟଟନରେ ଯୋଡ଼ି ହୋଇଛି ‘କେରଳ ବୋଟ୍‌ ରେସ୍‌ ଲିଗ୍‌’। ବୋଟିଂ ପାଇଁ କେରଳର ଜଳରାଶି ଆକର୍ଷଣୀୟ ଅନୁଭବ ଦେଉଥିବା ବେଳେ ଏହି ବୋଟ୍‌ ରେସ୍‌ ନିଆରା ଅନୁଭବ ଦେବ ବୋଲି କେରଳ ପର୍ଯ୍ୟଟନର ଯୁଗ୍ମ ନିର୍ଦେଶକ ନନ୍ଦ କୁମାର କେପି କହିଛନ୍ତି।

Advertisment

ଆଜି ଭୁବନେଶ୍ୱରରୁ ଆରମ୍ଭ ହୋଇଛି ପର୍ଯ୍ୟଟନ ପ୍ରସାର ସହଭାଗିତା କାର୍ଯ୍ୟକ୍ରମ। ଚଳିତ ବର୍ଷ ୧୨ ବର୍ଷରେ ଥରେ ଫୁଟୁଥିବା ବାଇଗଣୀ ରଙ୍ଗର ନୀଳକୁରିଞ୍ଜି ଫୁଲ ଦେଖିବାର ସୁଯୋଗ ମିଳିବ। ସ୍ଥାପତ୍ୟ କଳାରେ ବିଶ୍ୱର ବ୍ୟହତ୍‌ ପକ୍ଷୀ ଦେଖିବାର ସୁଯୋଗ ଦେବ ୬୫ ଏକର ସ୍ଥାନରେ ନିର୍ମିତ ‘ଜଟାୟୁ ଆର୍ଥ ସେଣ୍ଟର। ନୂତନ ଭାବେ ନିର୍ମିତ ୨୦୦ଫୁଟ ଲମ୍ବ, ୧୫୦ ଫୁଟ ଓସାର ଏବଂ ୭୦ ଫୁଟ ଉଚ୍ଚ ବିଶିଷ୍ଟ ଜଟାୟୁ ପକ୍ଷୀର କଳାକୃତି ଆକର୍ଷଣୀୟ ଅନୁଭୂତି ଦେବ। ଏଥିସହ ଭାରତର ପ୍ରଥମ ଜୈବବିବିଧ ସଂଗ୍ରହାଳୟ ସମେତ ମସଲା ପ୍ରସ୍ତୁତିର ଘର ଭାବେ ପରିଚିତ ମାଲବାରରୁ ମଧ୍ୟ ପର୍ଯ୍ୟଟକ ନୂଆ ଅନୁଭବ ସାଉଁଟି ପାରିବେ। ଭୁବନେଶ୍ୱର ସମେତ ବିଜୟଓ୍ଵାଡ଼ା, ଅହମ୍ମଦାବାଦ, ଭଡ଼ୋଦରା, ସୁରଟ, ଲକ୍ଷ୍ନୌ, ଇନ୍ଦୋର, ନାଗପୁର, ପୁନେ ଓ ମୁମ୍ବାଇରେ ମଧ୍ୟ ଏହିଭଳି ପର୍ଯ୍ୟଟନ ସହଭାଗିତା କାର୍ଯ୍ୟକ୍ରମ ଆୟୋଜନ କରିବ। ଆଜିର ଏହି ସହଭାଗିତା ସମ୍ମିଳନୀରେ କେରଳର ସାଂସ୍କୃତିକ ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେରଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ଚଳିତ ବର୍ଷ ୧୧.୩% ବୃଦ୍ଧି ପାଇଥିବା ବେଳେ ଆଗକୁ ଏଠାରେ ସବୁଜ ଏୟାରପୋର୍ଟ ସ୍ଥାପନ ହେବାକୁ ଯାଉଥିବା ଶ୍ରୀ କେପି ସୂଚନା ଦେଇଥିଲେ।