କେଶବ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ

ଚନ୍ଦ୍ରଶେଖରପୁର : ଗିନିଜ୍‌ ଓ୍ଵାର୍ଲଡ୍‍ ରେକର୍ଡଧାରୀ କେଶବ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆହୁରି ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ପଇଡ଼ ଭଙ୍ଗାରେ ଗିନିଜ୍‌ ଓ୍ଵାର୍ଲଡ ରେକର୍ଡଧାରୀ କେଶବ ସ୍ୱାଇଁଙ୍କ ‘ମାଇଁ ଡିଜାଏର୍‌ ମାଇଁ କଣ୍ଟ୍ରି ଦି ରିଅଲ୍‌ ମାଚୋ ମ୍ୟାନ୍‌ ଅଫ୍‌ ଓଡ଼ିଶା କେଶବ ସ୍ୱାଇଁ’ ପତ୍ରିକା ଉନ୍ମୋଚନ ଉତ୍ସବରେ ଏପରି ମତ ଦେଇଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ପତ୍ରିକାରେ କେଶବଙ୍କ ବିଭିନ୍ନ କ୍ଷେତ୍ରରେ ସଫଳତାର ଗାଥା ଉଲ୍ଲେଖ ରହିଛି। ଏହା ସହ କ୍ରୀଡ଼ା, ସମାଜସେବା ଆଦି କ୍ଷେତ୍ରରେ କେଶବଙ୍କ ଉଲ୍ଲେଖନୀୟ ଅବଦାନ ବିଷୟରେ ମଧ୍ୟ ଏଥିରେ ସ୍ଥାନ ପାଇଛି। ଏହି ଅବସରରେ ଜୀବନରେ ହାସଲ କରିଥିବା ସଫଳତା ନିମନ୍ତେ ସମାଜ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ କେଶବ ସ୍ୱାଇଁ। ଆଜିର ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବିଶିଷ୍ଟ ଚିକିତ୍ସକ ଡ. ଆର୍‌ଏନ୍‌ ସାମନ୍ତ, ବମ୍ବେରେ ସଫଳତା ହାସଲ କରିଥିବା ଓଡ଼ିଆ ଫିଲ୍ମ ନିର୍ମାତା ଅବିନାଶ ନନ୍ଦ, ରାଜେନ୍ଦ୍ର ସିଂ ଭାଟିଆ, ଓଡ଼ିଆ ସିନେ ତାରକା ହରିହର ମହାପାତ୍ର, ସରୋଜ ନନ୍ଦ ପ୍ରମୁଖ ଉପସ୍ଥିତ ରହି କେଶବଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର