ଭଡ଼ାରେ ଲାଗିପାରୁନି କେଶରୀ ମଲ୍‌ ଦୋକାନ

ସାନି ବିଜ୍ଞପ୍ତି ଜାରି

ଭୁବନେଶ୍ବର: ଘରୋଇ ସଂସ୍ଥା ସହ ଭାଗିଦାରୀରେ ବିଏମ୍‌ସି ମଲ୍‌ ତିଆରି କରୁଛି। ଘରୋଇ ସଂସ୍ଥା ଭାଗରେ ପଡ଼ୁଥିବା ଦୋକାନ ପ୍ରଥମ ଦିନରୁ ହିଁ ଭଡ଼ାରେ ଲାଗିଯାଉଛି। ହେଲେ ବିଏମ୍‌ସିର ଭାଗରେ ପଡ଼ୁଥିବା ଦୋକାନ ସବୁ ବର୍ଷ ବର୍ଷ ଧରି ଭଡ଼ାରେ ଲାଗିପାରୁନି। ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷ ବର୍ଷ ଧରି ଟଙ୍କାଟିଏ ରାଜସ୍ବ ପାଉନି ବିଏମ୍‌ସି। କେଶରୀ ମଲ୍‌ ଏହାର ଜ୍ବଳନ୍ତ ଉଦାହରଣ। ୫ ବର୍ଷ ହେବ ଏଠାରେ ବିଏମ୍‌ସି ଦୋକାନ ଭଡ଼ାରେ ଲାଗିପାରୁନି। ବିଭିନ୍ନ ସମୟରେ ଏସବୁକୁ ଭଡ଼ା ଦେବା ପାଇଁ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରୁଥିଲେ ମଧ୍ୟ କେହି ନେଉନାହାନ୍ତି। ଏବେ ବିଏମ୍‌ସି ବାଧ୍ୟ ହୋଇ ସିକ୍ୟୁରିଟି ଜମା ପରିମାଣ କମାଇ ପୁଣି ଥରେ ଭଡ଼ା ସୂତ୍ରରେ ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କିନ୍ତୁ ଏଥିରେ ବି କେଁ ରହିଥିବା ବ୍ୟବସାୟୀମାନେ କହିଛନ୍ତି। ଅଧିକ ଲାଭ ଲୋଭରେ ବିଏମ୍‌ସି ଦୋକାନ ଭଡ଼ାର ଅଫ୍‌ସେଟ୍‌ ପ୍ରାଇସ୍‌ ଉପରେ ନିଲାମ ହେବାକୁ ଯୋଜନା ହେଉଛି। କେହି ଏହି ଭଡ଼ାକୁ ଜାଣିଜାଣି ବଢ଼ାଇ ଦେଲେ ଏହାକୁ ନେବା ସମ୍ଭବ ହେବ ନାହିଁ। ଏଣୁ ଏଥର ବି ଏହି ସବୁ ଦୋକାନ ଭଡ଼ାରେ ଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସବୁ ମଲ୍‌ରେ ସମାନ ସ୍ଥିତି, କୋଟି କୋଟି ରାଜସ୍ବ ହାନି

ୟୁନିଟ-୨ ମାର୍କେଟ୍‌ ବିଲ୍ଡିଂକୁ ଲାଗି ୧.୦୬୧ଏକର ଜମିରେ ୨୦୧୭ ମସିହାରୁ ନିର୍ମାଣ ହୋଇଛି ଏହି ବିଏମ୍‌ସି କେଶରୀ ମଲ୍‌। ୭୦ହଜାର ବର୍ଗଫୁଟ ଅଞ୍ଚଳରେ ଏହି ସପିଂ ମଲ୍‌ ରହିଛି। ଚୁକ୍ତି ଅନୁଯାୟୀ ଏହି ମଲ୍‌ରେ ଘରୋଇ ସଂସ୍ଥା ୬୫ପ୍ରତିଶତ ଦୋକାନ ନେଇଥିବା ବେ‌ଳେ ବିଏମ୍‌ସିକୁ ୩୫ ପ୍ରତିଶତ ଦୋକାନ ମିଳିଛି। ଏହି ଚୁକ୍ତି ଅନୁସାରେ ବିଏମ୍‌ସିକୁ ୭୨ଟି ଦୋକାନ ମିଳିଛି। ଏହା ବିଡିଏ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ନିର୍ମାଣ ହୋଇଥିବାରୁ ବିଡିଏ ‘ଅକୁପାନ୍ସି ସାର୍ଟିଫିକେଟ୍‌’ ଦେଉନଥିଲା। ବିଏମ୍‌ସି ଅଧୀନରେ ଥିବା ୭୨ ଦୋକାନ ହିଁ ଏହି ବିବାଦରେ ଫସି ଯାଇଥିଲା। ‘ଅକୁପାନ୍ସି ସାର୍ଟିଫିକେଟ’ ମିଳୁ ନ ଥିବାରୁ ଏହା ଭଡ଼ାରେ ଦିଆଯାଇପାରୁନଥିଲା। ପ୍ରାୟ ଗୋଟିଏ ବର୍ଷ ପରେ ଅକୁପାନ୍ସି ସାର୍ଟିଫିକେଟ ମିଳିଥିଲା।

ଏହାର ଏକ ବର୍ଷ ପରେ ଯାଇ ୬୦ଟି ଦୋକାନ ଭଡ଼ା ଦିଆଯାଇଥିଲା‌ ଓ ୧୨ଟି ଖାଲି ପଡ଼ିଥିଲା‌। ସେଥିରୁ ୪ଜଣ ଦୋକାନ ଛାଡ଼ି ଦେବା ପରେ ଏବେ ୧୬ଟି ଦୋକାନ ଖାଲି ପଡ଼ିଛି। ବେସ୍‌ମେଣ୍ଟରେ ଗୋଟିଏ ଦୋକାନ ରହିଛି। ଏହାର ଭଡ଼ା ମାସିକ ବର୍ଗଫୁଟ୍‌ ପ୍ରତି ୫୦ ଟଙ୍କା(୯୫ ବର୍ଗଫୁଟ୍‌) ହିସାବରେ ୪ ହଜାର ୭୫୦ ଟଙ୍କା ରହିଛି। ସେହିଭଳି ପ୍ରଥମ ମହଲାରେ ୯ଟି ଦୋକାନ ରହିଥିବା ବେଳେ ଏହାର ଭଡ଼ା ବର୍ଗଫୁଟ୍‌ ପ୍ରତି ୫୫ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ଦ୍ବିତୀୟ ମହଲାରେ ଥିବା ୬ଟି ଦୋକାନ ଭଡ଼ା ବର୍ଗଫୁଟ୍‌ ପିଛା ୩୫ ଟଙ୍କା ଧାର୍ଯ୍ୟ ହୋଇଛି। ଏହି ୧୬ଟି ଦୋକାନକୁ ଭଡ଼ାସୂତ୍ରରେ ଦେବା ପାଇଁ ଯୋଜନା ହୋଇଛି। ପୂର୍ବରୁ ଏହି ସବୁ ଦୋକାନ ସିକ୍ୟୁରିଟି ଜମା ବାବଦକୁ ୫ ବର୍ଷର ଭଡ଼ା ଜମା କରିବାକୁ ପଡ଼ୁଥିଲା। ଫଳରେ କେହି ଭଡ଼ା ନେଉନଥିଲେ। ଗତ କର୍ପୋରେସନ ବୈଠକରେ ଏ ନେଇ ଆଲେଚାନା ହେବା ସହ ସିକ୍ୟୁରିଟି ଜମା ବାବଦକୁ ୬ମାସର ଭଡ଼ା ଅଗ୍ରୀମ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

କେବଳ ଏହି ମଲ୍‌ ନୁହେଁ, ପଞ୍ଚଦ୍ବୀପ ଓ ଭବାନୀ ମଲ୍‌ ଅବସ୍ଥା ମଧ୍ୟ ତଦ୍ରୁପ। ପଞ୍ଚଦ୍ବୀପ ମାର୍କେଟ୍‌ରେ ଏଯାବତ୍‌ ଦୋକାନ ଭଡ଼ା ଦିଆଯାଇ ପାରୁନାହିଁ। ରାଜସ୍ୱ ଆଦାୟ ପାଇଁ ଆବଶ୍ୟକ ଭିତ୍ତିଭୂମି ଥିଲେ ମଧ୍ୟ ରାଜସ୍ୱ ଆଦାୟ ହେଉନି। ବିଭିନ୍ନ ସମୟରେ ସିଏଜି ତାଙ୍କ ଅଡିଟ୍‌ ରିପୋର୍ଟରେ ଏ ବାବଦରେ ଉଲ୍ଲେଖ କରିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ନିଜ ଅବହେଳାରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। କେବଳ ବିଏମ୍‌ସି କେଶରୀ ମଲ୍‌ରେ ପ୍ରାୟ ୧୭କୋଟି ଟଙ୍କା ରାଜସ୍ବ ହାନି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ସମୟରେ ଦାୟିତ୍ବରେ ରହୁଥିବା ଅପାରଗ ଅଧିକାରୀଙ୍କ ଯୋଗୁ ବିଏମ୍‌ସିର ରାଜସ୍ବ କ୍ଷତି ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର