ବିଏମ୍‌ସି-କେଶରୀ ମଲ୍‌ କ’ଣ ନିୟମ ବାହାରେ? ବିଏମ୍‌ସି-କେଶରୀ ମଲ୍‌ର ଛାତ ଉପର ପାର୍କିଂ ଖାଲି ପଡ଼ିଥିବା ବେଳେ ରାସ୍ତାରେ ଗାଡ଼ି ପାର୍କିଂ ହୋଇଛି

ରାଜସ୍ବ ବଢ଼ାଇବା ଚକ୍କରରେ ବିଏମ୍‌ସି

ଭୁବନେଶ୍ବର : ରାଜଧାନୀରେ କୌଣସି ସପିଂ ମଲ୍‌, ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ ଗ୍ରାହକଙ୍କ ଠାରୁ ପାର୍କିଂ ଫି’ ଆଦାୟ କରିପାରିବେନି। ପାର୍କିଂ ଫି’ ଆଦାୟ କରିବା ବେଆଇନ୍। ଯଦି କେହି ପାର୍କିଂ ଫି’ ଆଦାୟ କରିବେ ତେବେ ସଂପୃକ୍ତ ମଲ୍‌, ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍ଟିପ୍ଲେକ୍ସକୁ ସିଲ୍‌ କରାଯିବ।

ବିଡିଏର ଏହି ନିର୍ଦ୍ଦେଶନାମାକୁ ୨୫ଦିନ ବିତିଲାଣି। ରାଜଧାନୀର ସମସ୍ତ ମଲ୍‌, ପ୍ରତିଷ୍ଠାନ ଏହାକୁ ମାନୁଛନ୍ତି। କିନ୍ତୁ ବିଏମ୍‌ସି-କେଶରୀ ମଲ୍‌ କର୍ତ୍ତୃପକ୍ଷ ଏହାକୁ ମାନୁନାହାନ୍ତି। ବିଏମ୍‌ସିର ଏହି ମଲ୍‌ରେ ଭାଗୀଦାର ଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଘରୋଇ ସଂସ୍ଥାର ପ୍ରୀତିରେ ଚୁପ୍ ବସିପଡ଼ିଛନ୍ତି। ଏପରିକି ନିଜ ରାଜସ୍ବ ବଢ଼ାଇବା ଚକ୍କରରେ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇ ଏଠାରେ ଲୋକଙ୍କ ଠାରୁ ପାର୍କିଂ ଫି’ ଆଦାୟ କରାଯାଉଛି।

ସାରା ରାଜଧାନୀରେ ବେଆଇନ ପାର୍କିଂ ଫି’ ଆଦାୟ ବନ୍ଦ ହୋଇଥିବା ବେଳେ ୟୁନିଟ-୨ସ୍ଥିତ ବିଏମ୍‌ସି-କେଶରୀ ମଲ୍‌ ନିକଟରେ ହିଁ ବେଆଇନ୍ ପାର୍କିଂ ଫି’ ଆଦାୟ ହେଉଛି। ଏହି ମଲ୍‌ର ଛାତ ଉପରେ ଗାଡ଼ି ପାର୍କିଂ କରିବାର ବ୍ୟବସ୍ଥା ହୋଇଥିଲେ ହେଁ ଏଠାରେ ପାର୍କିଂ ହେଉନି। ବରଂ ମଲ୍‌ ଚାରିପାଖ ରାସ୍ତାକୁ ଜବରଦଖଲ କରାଯାଇ ଗାଡି ପାର୍କିଂ କରାଯାଇଛି ଓ ବିଏମ୍‌ସି ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଛି। ଏହି ମଲ୍‌ର ଛାତ ଉପରେ ୫୦ରୁ ଅଧିକ କାର୍‌ ଓ ବାଇକ୍ ପାର୍କିଂ ବ୍ୟବସ୍ଥା ରହିଛି। କିନ୍ତୁ ତାହା ଘରୋଇ ସଂସ୍ଥା ମାଲିକାନାରେ ଥିବାରୁ ସଂସ୍ଥାର ମନମାନିରେ ଏହା ରହିଯାଇଛି। ଲିଫ୍ଟରେ ଗାଡ଼ି ଛାତ ଉପରକୁ ଉଠାଇବା ଏବଂ ତଳକୁ ଓହ୍ଲାଇବା ବ୍ୟବସ୍ଥା ଥିବାରୁ ଅଧିକ ବିଦ୍ୟୁତ ବିଲ୍‌ ଭୟରେ ଛା‌ତ ଉପରେ ପାର୍କିଂ କରା ଯାଉ ନ ଥିବା କୁହାଯାଉଛି। ଫଳରେ ଗ୍ରାହକମାନେ ରାସ୍ତାରେ ଗାଡ଼ି ପାର୍କିଂ କରି ଅଯଥାରେ ଫି’ ଗଣୁଛନ୍ତି।

ଅପରପକ୍ଷେ ବିଡିଏ ବେଆଇନ ପାର୍କିଂ ଫି’ ଆଦାୟ ବନ୍ଦ କରିବାକୁ ନୋଟିସ୍‌ କରିବା ପରେ ବିଏମ୍‌ସି ସହଭାଗିତାରେ ସହିଦନଗରରେ ଥିବା ବିଏମ୍‌ସି-ଭବାନୀ ମଲ୍‌ରେ ବେଆଇନ ପାର୍କିଂ ଫି’ ଆଦାୟ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏଠାରେ ଚଢ଼ଉ କରାଯାଇ ପିଓଏସ୍‌ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଗଲା। ଏହାପରେ ଭବାନୀ କନଷ୍ଟ୍ରକସନ୍ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ଏଠାରେ ବେଆଇନ୍ ପାର୍କିଂ ବନ୍ଦ ହୋଇଥିଲା। ହେଲେ ପାର୍କିଂ ସୁବିଧା ଯୋଗାଇବାକୁ ବାଧ୍ୟ ଥିବା କେଶରୀ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଏମ୍‌ସି କାହିଁକି ପଛଘୁଞ୍ଚା ଦେଉଛି ତାହା ଏବେ ପ୍ରଶ୍ନବାଚୀ ହୋଇଯାଇଛି।

ସମ୍ବନ୍ଧିତ ଖବର