ସିଲ୍‌ କରିଦେଲେ କେଶରୀ ମଲ୍‌ ପାର୍କିଂ, ଛାତ ଉପରେ ପାର୍କିଂ କେବେ?

ଭୁବନେଶ୍ବର : ରାଜଧାନୀରେ କୌଣସି ସପିଂ ମଲ୍‌ କିମ୍ବା ବ୍ୟାବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କଠାରୁ ପାର୍କିଂ ଫି’ ଆଦାୟ କରି ପାରିବେନି। ଗ୍ରାହକଙ୍କ ଗାଡ଼ି ପାଇଁ ସେମାନେ ମାଗଣାରେ ପାର୍କିଂ ବ୍ୟବସ୍ଥା କରିବେ। ଯଦି କେହି ପାର୍କିଂ ଫି’ ଆଦାୟ କରିବେ, ସଂପୃକ୍ତ ମଲ୍‌ କିମ୍ବା ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ, ସମ୍ପୃକ୍ତ ପ୍ରତିଷ୍ଠାନକୁ ସିଲ୍‌ କରାଯିବ। ବିଡିଏ ଏଭଳି ନିୟମ କରିଛି, ହେଲେ କେହି ମାନୁ ନାହାନ୍ତି।

ଯେଉଁଠି ବ୍ୟବସ୍ଥା ନାହିଁ, ସେଠାରେ କାର୍ଯ୍ୟାନୁଷ୍ଠାନ ହେଉନି। କେଉଁଠି ଯୋଜନା ଅଛି, ହେଲେ ବର୍ଷବର୍ଷ ଧରି ବ୍ୟବସ୍ଥା ହେଉନି। ଉଭୟ ଜାଗାରେ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି। ରାସ୍ତାକଡ଼, ଗଳିକନ୍ଦି ପାର୍କିଂ ପାଇଁ ଏମିତି ଜାମ୍‌ ହେଉଛି ଯେ, ସାଧାରଣ ଯାତ୍ରୀ ବି ନାକେଦମ୍‌ ହେଉଛି। ଏଭଳି ଏକ ବିଚିତ୍ର ପରିସ୍ଥିତି କେଶରୀ ମଲ୍‌ରେ ଦେଖିବାକୁ ମିଳିଛି। ଏଠାରେ ଅଗ୍ନିକାଣ୍ଡ ଘଟିବା ପରେ ମଲ୍‌ ସାମ୍ନାରେ ଥିବା ପାର୍କିଂ ଜାଗାକୁ ସିଲ୍‌ କରି ଦିଆଯାଇଛି। ଯଦିଓ ଏଠାରେ ପାର୍କିଂ କରିବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଥିଲା, ଅନ୍ତତଃ ରାସ୍ତା ଘାଟ ଜାମ୍‌ ହେଉନଥିଲା। ଏବେ ଏହାକୁ ସିଲ୍‌ କରି ଦିଆଯିବା ପରେ ପରିସ୍ଥିତି ଭୟଙ୍କର ହୋଇଛି। ଏହି ଜାଗାକୁ ଲାଗି ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି। ପ୍ରତ୍ୟେକ ଦିନ ଶହ ଶହ ଗାଡ଼ି ପାର୍କ ହେଉଥିବା ବେଳେ ବିବାହ କିମ୍ବା ଅନ୍ୟ ପର୍ବପର୍ବାଣୀ ପୂର୍ବ ଦିନମାନଙ୍କରେ ସ୍ଥିତି ଅସମ୍ଭାଳ ହେଉଛି। ଶହ ଶହ ଲୋକ ଏକ ସମୟରେ ମାର୍କେଟିଂ ପାଇଁ ପହଞ୍ଚୁଥିବାରୁ ପ୍ରବଳ ଭିଡ଼ ହେଉଛି। ପାର୍କିଂ ସାଙ୍ଗକୁ ଠେଲାଗାଡ଼ି ବ୍ୟବସାୟୀମାନେ ରାସ୍ତା କଡ଼ରେ ଛିଡ଼ା ହୋଇ ରହୁଛନ୍ତି। ଲୋକମାନେ ମଧ୍ୟ ସେଠାରେ ହିଁ ଛିଡ଼ା ହୋଇ କାଉଛନ୍ତି। ଫଳରେ ଯନ୍ତ୍ରଣା ଦ୍ବିଗୁଣିତ ହେଉଛି।

ଏନେଇ ବିଏମ୍‌ସି କହିଛି ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବା ବେଳେ ଏହି ପାର୍କିଂ ଜାଗା ଦୃଷ୍ଟିଗୋଚର ହୋଇଥିଲା। ଭିଡ଼ ସମୟରେ ବା ପାର୍କିଂରେ ଗାଡ଼ି ଗଦା ହୋଇଥିବା ସମୟରେ ଯଦି ଅଗ୍ନିକାଣ୍ଡ ହୋଇଥାନ୍ତା ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। ଲୋକ ବାହାରିବା ଓ ଦମକଳ ଉଚିତ୍‌ ସ୍ଥାନରେ ପହଞ୍ଚି ନିଆଁ ଲିଭାଇବା କାଠିକର ପାଠ ହୋଇଥାନ୍ତା। ଏଣୁ କେଶରୀ ମଲ୍‌ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏହି ପାର୍କିଂ ବନ୍ଦ କରିବାକୁ କୁହାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ବିକଳ୍ଜପ ପାର୍କିଂ ଜାଗା ପାଇଁ ବ୍ୟବସ୍ଥା ହୋଇ ନାହିଁ। ଫଳରେ ସେଠାରେ ବିଚିତ୍ର ପରିସ୍ଥିତି ଉପୁଜିଛି।

ବଡ଼ କଥା ହେଉଛି ଏହି ମଲ୍‌ର ଛାତ ଉପରେ ଗାଡ଼ି ପାର୍କିଂ କରିବାର ବ୍ୟବସ୍ଥା ହୋଇଛି। ସେଠାରେ ୫୦ରୁ ଅଧିକ କାର୍‌ ଓ ଶହେରୁ ଅଧିକ ବାଇକ୍ ପାର୍କିଂ ଯୋଜନା କରାଯାଇଛି। ଯେତେବେଳେ ଏହାର ପରିକଳ୍ପନା କରାଯାଇଥିଲା ସେତେବେଳେ ଛାତ ଉପରେ ପାର୍କିଂ ବ୍ୟବସ୍ଥା ଦେଖାଇ ସ୍ବୀକୃତି ନିଆଯାଇଥିଲା। ହେଲେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଘରୋଇ ସଂସ୍ଥା ମାଲିକାନାରେ ଥିବା ଏହି ମଲ୍‌କୁ କେହି ଆଙ୍ଗୁଠି ଉଠାଇ ପାରୁନାହାନ୍ତି। ଘରୋଇ ସଂସ୍ତା ପ୍ରୀତିରେ ଅଧିକାରୀମାନେ ନିରବ ରହିଛନ୍ତି। ଲିଫ୍ଟରେ ଗାଡ଼ି ଛାତ ଉପରକୁ ଉଠାଇବା ଓ ପୁଣି ତଳକୁ ଖସାଇବାରେ ଅଧିକ ବିଦ୍ୟୁତ ବିଲ୍‌ ଉଠିବା ଯୋଗୁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉନଥିବା କୁହାଯାଉଛି। ଯାହାର କୁଫଳ ଏବେ ଗ୍ରାହକ ଭୋଗୁଛନ୍ତି। ବାଟ ନ ପାଇ ଗ୍ରାହକ ରାସ୍ତା କଡ଼ରେ ଗାଡ଼ି ରଖୁଛି। ସନ୍ଧ୍ୟା ଓ ପର୍ବପର୍ବାଣୀରେ ଗାଡ଼ି ସଂଖ୍ୟା ଏତେ ହେଉଛି ଯେ ପାଖରେ ଥିବା ସରକାରୀ କ୍ବାର୍ଟର୍ସ ଦୁଆର ମୁହଁରେ ଗାଡ଼ି ଗଦା ହୋଇ ଯାଉଛି। ସେଠାକାର ବାସିନ୍ଦା ବାହାରକୁ ବାହାରି ପାରୁ ନାହାନ୍ତି। କେତେକ ସମୟରେ ଗାଡ଼ି ଚୋରି ଅଭିଯୋଗ ହେଉଛି। ଏଥିରେ କେବଳ ଗ୍ରାହକ ହିଁ ପ୍ରଭାବିତ ହେଉଛି।

ଏଠାରେ ଉଲ୍ଲେଖ କରାଯାଇ ପାରେ, ସହିଦନଗରରେ ଥିବା ବିଏମ୍‌ସି-ଭବାନୀ ମଲ୍‌ରେ ବେଆଇନ ପାର୍କିଂ ଫି’ ଆଦାୟ ଅଭିଯୋଗରେ ବିଏମ୍‌ସି ଚଢ଼ଉ କରି ଭବାନୀ କନଷ୍ଟ୍ରକସନ୍ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ପରେ ବେଆଇନ୍ ପାର୍କିଂ ବନ୍ଦ ହୋଇଥିଲା। ହେଲେ କେଶରୀ ମଲ୍‌ ପାଇଁ କାହିଁକି ଅଧିକାରୀମାନେ ନିରବ ଅଛନ୍ତି? ବିକଳ୍ପ ବ୍ୟବସ୍ଥା ନ କରି କାହିଁକି ପାର୍କିଂ ଜାଗାକୁ ସିଲ୍‌ କରିବାକୁ ଅନୁମତି ଦେଇଦେଲେ? ଏ ସବୁର ଉତ୍ତର କାହା ପାଖରେ ନାହିଁ।

ସମ୍ବନ୍ଧିତ ଖବର