ଭୁବନେଶ୍ବର: ଅର୍ଚ୍ଚନାଙ୍କ କେସିଙ୍ଗା ଲିଙ୍କ୍ ବି ଧୀରେଧୀରେ ପଦାକୁ ଆସୁଛି। ଅର୍ଚ୍ଚନାଙ୍କ ବାପା-ମା’ ଆମ୍ବେଦକର ଛକ ନିକଟ ସରକାରୀ ଜାଗାରେ ୩ମହଲା ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଛନ୍ତି। ନିର୍ମାଣ ସମୟରେ ସ୍ଥାନୀୟ ତହସିଲଦାରଙ୍କ ପାଖରେ ଅଭିଯୋଗ ହେବା ପରେ ତହସିଲଦାର ନୋଟିସ୍ କରି ଆକ୍ସନ ମୋଡ଼୍ରେ ଆସିଥିଲେ। ହେଲେ କ’ଣ ଏମିତି ଏକ ଫୋନ୍ ତହସିଲଦାରଙ୍କ ପାଖକୁ ଆସିଲା ଯେ ତରବରିଆ ଭାବରେ ସେ କାନମୁଣ୍ଡ ଆଉଁସି ତାଙ୍କୁ ଭବିଷ୍ୟତରେ ପଟ୍ଟା ମିଳିବ ବୋଲି କହି ଫେରି ଯାଇଥିଲେ। ଏହା ବହୁ ପୁରୁଣା କଥା ହେଲେ ବି ବର୍ତ୍ତମାନ ପଦାକୁ ଆସିବା ସହ ଚର୍ଚ୍ଚା ଜୋର୍ ଧରିଛି। ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ ଅର୍ଚ୍ଚନାଙ୍କ ଲିଙ୍କ୍ ବହୁ ପ୍ରଭାବଶାଳୀ ଲୋକଙ୍କ ସହ ରହିଛି। ତାଙ୍କ ମାଆ ସରକାରୀ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବାପା ବିଶେଷ କିଛି କରୁନାହାନ୍ତି। ହେଲେ ଗତ ୧-୨ ବର୍ଷ ହେଲା ସେ ଏକ କାର୍ ଚଢ଼ୁଛନ୍ତି। ପୁଣି ଅର୍ଚ୍ଚନା ଗିରଫ ହେବାର ପୂର୍ବ ଦିନ ସେ ଭୁବନେଶ୍ୱର ଯାଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/10/55555.jpg)
ସେହିଭଳି ତାଙ୍କ କେସିଙ୍ଗା ଗସ୍ତ ସମୟରେ କିଛି ଯୁବତୀ ମଧ୍ୟ ସାଥୀରେ ଆସିଥିବା ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ପରେ ପ୍ରାୟ ସମୟ ତାଙ୍କ ଘର ବନ୍ଦ ରହୁଥିବା ବେଳେ ତାଙ୍କ ସମ୍ପର୍କୀୟ କିଏ ଜଣେ ଜଗି ରହୁଛନ୍ତି। ଘରେ ସିସିଟିଭି କ୍ୟାମେରା ଲାଗିଥିବାରୁ କିଏ ଆସୁଛି କିଏ ଯାଉଛି, ତା’ର ସମ୍ପୂର୍ଣ୍ଣ ଅନୁଧ୍ୟାନ ଅର୍ଚ୍ଚନାଙ୍କ ପରିବାର କରୁଥିବା ଜଣାପଡ଼ିଛି। ତାଙ୍କ ଆଖପାଖରେ ବହୁ ଲୋକଙ୍କ ସହ ଭଲ ସମ୍ପର୍କ ନଥିବା ବେଳେ ବହୁ ସମୟରେ ଏହି ଜାଗାକୁ ନେଇ ବିବାଦ ଲାଗି ରହିଥିଲା। ତେବେ ସରକାରୀ ଜାଗାରେ ପ୍ରାୟ ୫୦ଲକ୍ଷ ଟଙ୍କାର ଘର ମାତ୍ର କିଛି ବର୍ଷ ମଧ୍ୟରେ ଛିଡ଼ା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଅର୍ଚ୍ଚନା ବିଭିନ୍ନ ଦାମୀ ଗାଡ଼ିରେ କେସିଙ୍ଗାସ୍ଥିତ ତାଙ୍କ ଘରକୁ ବିଭିନ୍ନ ସମୟରେ ଆସୁଥିବା ବେଳେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ସନ୍ଦେହ ବି କରୁଥିବା ନାମ ଗୋପନ ରଖି ଜଣେ ପ୍ରକାଶ କରିଛନ୍ତି। ତେବେ ଏହାର ତଦନ୍ତ କଲେ ତାଙ୍କ କଳା କାରନାମାର ଗୁମର ଫିଟିବ ବୋଲି କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।