ସବର୍ଣ୍ଣ କେଉଟ, କୈବର୍ତ୍ତ, ଧୀବର ଜାତିଙ୍କୁ ଏସ୍‌ସି ତାଲିକାରୁ ବାଦ୍ ଦିଆଯାଉ

ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର : ଅସ୍ପୃଶ୍ୟତା, ଅନଗ୍ରସରତା ଓ ତାଡ଼ନାର ଶିକାର ହେଉଥିବା ରାଜ୍ୟର ଏସ୍‌ସି, ଏସ୍‌ଟିମାନଙ୍କୁ ଦେଶର ମହାସ୍ରୋତରେ ସାମିଲ୍ କରିବା ପାଇଁ ସମ୍ବିଧାନରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୁଃଖର ବିଷୟ, ଓଡ଼ିଶାରେ ଏମାନଙ୍କ ପାଇଁ ସଂଖ୍ୟାନୁପାତିକ ୪୦ଭାଗ ସଂରକ୍ଷଣ ଥିଲେ ମଧ୍ୟ ତାହା ପ୍ରଶାସନର ଚକ୍ରାନ୍ତ ଦ୍ୱାରା ସିଂହଭାଗ ହଡ଼ପ ହୋଇଯାଉଛି। ଦଳିତମାନଙ୍କୁ ୪୦ ଭାଗରୁ ମାତ୍ର ୪ ଭାଗ ପାଖାପାଖି ସଂରକ୍ଷଣ ଦିଆଯାଇଛି। କେଉଟ, କୈବର୍ତ୍ତ, ଧୀବର ଆଦି ସବର୍ଣ୍ଣ ଜାତିକୁ ଚକ୍ରାନ୍ତ କରି ସରକାରଙ୍କ ସହଯୋଗରେ ଏସ୍‌ସି ତାଲିକାଭୁକ୍ତ କରାଯାଇଛି। ଦୀର୍ଘଦିନ ଧରି ବିରୋଧ କରାଯାଉଥିଲେ ମଧ୍ୟ ସରକାର ସେମାନଙ୍କୁ ଏସ୍‌ସି ତାଲିକାରୁ ବାଦ ଦେଉନାହାନ୍ତି। ବରଂ ରାଢି, ନିଆରି, ଘଣି ଆଦି ସାତଟି ଜାତିକୁ ଏସ୍‌ସି ତାଲିକାରେ ସ୍ଥାନ ଦେବାଲାଗି ସୁପାରିଶ କରିଛନ୍ତି। ଆହୁରି ତେଲି, ତନ୍ତୀ, ଭଣ୍ଡାରୀ, ବାରିକ, ଗୁଡ଼ିଆ, କମାର, କୁମ୍ଭାର, ରଙ୍ଗଣୀ ଇତ୍ୟାଦି ବହୁ ସବର୍ଣ୍ଣ ଜାତି ଅର୍ଥ ବ୍ୟୟ କରି ଓଡ଼ିଶାର ଏସ୍‌ସି ତାଲିକାରେ ପଶିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି।

ସେହିପରି ମହାନ୍ତ ଓ ମେହେର ଆଦି ସବର୍ଣ୍ଣ ଜାତିମାନେ ଏସ୍‌ଟି ତାଲିକାରେ ସ୍ଥାନିତ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ସମାଜର ତଳସ୍ତରରେ ଥିବା ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବ ଜାତିମାନେ ଏହି ତାଲିକାରେ ସ୍ଥାନ ପାଇପାରୁ ନାହାନ୍ତି। ସେହିପରି ଆଦିମ ଯୁଗରୁ ସଅର, ସଉରା, ସବର ଜାତିକୁ ମଧ୍ୟ ଏସ୍‌ଟି ତାଲିକାରେ ସ୍ଥାନିତ କରାଯାଉ ନାହିଁ। ଏଣୁ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ସହ ଅନୁବନ୍ଧିତ ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ଦାଣ୍ଡିମାଳ ସେବକ ସଂଘ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, କାଳନ୍ଦୀ ସମାଜ, ପାସି ସମାଜ, ବାଲ୍ମିକୀ ସମାଜ, ଭୋଇ ସମାଜମାନଙ୍କ ତରଫରୁ ଏହି କେଉଟ, କୈବର୍ତ୍ତ, ଧୀବର ଜାତିଙ୍କୁ ତୁରନ୍ତ ଏସ୍‌ସି ତାଲିକାରୁ ହଟାଯିବାକୁ ଦାବି କରାଯାଇଛି। ସେହିପରି ସୁପାରିଶ ହୋଇଥିବା ରାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ପ୍ରତ୍ୟାହାର କରିବା, ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବମାନଙ୍କୁ ଏସ୍‌ସି ତାଲିକାଭୁକ୍ତ କରିବା ଓ ସଅର, ସଉରା ଜାତିକୁ ଏସ୍‌ଟି ତାଲିକାଭୁକ୍ତ କରିବା ନେଇ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ବାର୍ଷିକ ସମ୍ମିଳନୀରେ ଦାବି କରାଯାଇଛି। ଏଥିସହିତ ୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍‌ସି/ଏସ୍‌ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରିବାକୁ ଦାବି କରାଯାଇଛି। ଅପରପକ୍ଷରେ ମିଥ୍ୟା ସତ୍ୟପାଠ ଦେଇ କିଛି ବିଧାୟକ, ମନ୍ତ୍ରୀ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ବହିଷ୍କାର କରାଯିବାକୁ ସମିତି ଦାବି କରିଛି।

ଲୋହିଆ ଏକାଡେମିଠାରେ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମିତିର ବାର୍ଷିକ ସମ୍ମିଳନୀରେ ବିଦ୍ୟାଧର ଦେହୁରୀ, ସୁନାକର ବେହେରା, ଗୋପାଳ ନାୟକ, ଲକ୍ଷ୍ମୀଧର ବେହେରା, ରବୀନ୍ଦ୍ରନାଥ ସେଠୀ, ସୁରେନ୍ଦ୍ର ନାୟକ, ପ୍ରମୋଦିନୀ ମଲ୍ଲିକ, ମାନଗୋବିନ୍ଦ ସେଠୀ, କଳ୍ପତରୁ ମଲ୍ଲିକ, ଗୋପାଳ ସେଠୀ, ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର