ରଙ୍ଗବୋଳା ମୁହଁ ତଳର ମରମ କଥା, ଲୁହ ପୋଛି ‌କମେଡି କରିବାକୁ ପଡ଼ିଛି

ଭୁବନେଶ୍ବର: ବଅଁରପାଳରେ ନାଟକ ଚାଲିଥାଏ। ରାତି ପ୍ରାୟ ୩ଟା ହେବ। ଘରୁ ଖବର ଆସିଲା, ବାପା ଚାଲିଗଲେ। ମୋ’ର ଆଉ ଦୁଇଟି କମେଡି ସିନ୍‌ ବାକିଥାଏ। ବହିର ନାଁ ଥିଲା ‘କେମିତି କହିବି କିଏ ନିଜର’। ସେଇଦିନ ଥିଲା ମୋ ଅସଲ ପରୀକ୍ଷା। ଗୋଟେ ପଟେ ବାପାଙ୍କୁ ହରାଇବା ଦୁଃଖରେ ଆଖିରେ ଲୁହ, ଅନ୍ୟପଟେ ହଜାର ହଜାର ଲୋକଙ୍କୁ ଯାତ୍ରା ମଞ୍ଚରେ ହସାଇବାର ସଂକଳ୍ପ। ଲୁହ ପୋଛି ମଞ୍ଚକୁ ଗଲି। ସେଇରାତି କିନ୍ତୁ ଦର୍ଶକଙ୍କୁ ସବୁଠୁ ଅଧିକ ହସାଇଲି। କ’ଣ କରିବି, କଳାକାର ଜୀବନଟା ତ ସେୟା..। ‘କେମିତି କହିବି କିଏ ନିଜର’ ନାଟକରେ ଅଭିନୟ ବେଳେ ଭାବୁଥିଲି, ସତରେ କିଏ ନିଜର? ବାପା ନା ଦର୍ଶକ? ବେଳେବେଳେ ସମୟ ଏମିତି ଦୋଛକିରେ ଛିଡ଼ା କରେଇ ଦେଇଛି। ଅଥଚ ଦର୍ଶକଙ୍କୁ ହସାଇବାକୁ ପଡ଼ିଛି। ରଙ୍ଗବୋଳା ମୁହଁ ତଳେ ଅନ୍ତର ଲୁହକୁ ଚାପି ମଞ୍ଚରେ ହସାଇଥିବା ସେଦିନର ସେଇ କମେଡି ତାରକା ହେଉଛନ୍ତି ଯାତ୍ରା କମେଡ଼ି ଦୁନିଆର ସବୁଠୁ ଚର୍ଚ୍ଚିତ ହାସ୍ୟ ଅଭିନେତା ଭିକାରୀ ସ୍ବାଇଁ। ଭିକାରୀଙ୍କ ଅଭିନୟ ଖାଲି ଯାତ୍ରା ମଞ୍ଚରେ ନୁହେଁ ୟୁ-ଟ୍ୟୁବ୍‌ରେ ମଧ୍ୟ ଦର୍ଶକଙ୍କ ସର୍ବାଧିକ ପସନ୍ଦ ପାଲଟିଛି।

ଯାତ୍ରା କମେଡିର ଆଉ ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବୁଦ୍ଧିଆନା ଓରଫ୍‌ ଦେବେନ୍ଦ୍ର ନାରାୟଣ ଦାଶ। ପତଳା ଶରୀର ସାଙ୍ଗକୁ ତାଙ୍କ କମେଡ଼ି ଛୁଙ୍କ ଯାତ୍ରା ରସିକଙ୍କୁ ହସିହସି ଗଡ଼ାଇଦିଏ। ଅଥଚ ବାସ୍ତବ ଜୀବନରେ ତାଙ୍କ ସହ ବି ଏମିତି ଘଟିଛି, ଯାହାକୁ ସେ ଆଜି ବି ପାସୋରି ପାରିନାହାନ୍ତି। ଦିନେ ଯାତ୍ରା ଆରମ୍ଭ ହେଉଥାଏ, ଖବର ଆସିଲା ତାଙ୍କ ବାପା ଚାଲିଗଲେ। ସେତେବେଳେ ସେ ଘରଠୁ ବହୁ ଦୂରରେ ଯାତ୍ରା କରୁଥାଆନ୍ତି। ଅଥଚ ମୁହଁରେ ରଙ୍ଗ ବୋଳି ସେ ଦର୍ଶକଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଥାଆନ୍ତି। ସାମ୍ନାରେ ଦର୍ଶକ, ସେପଟେ ବାପାଙ୍କୁ ବଞ୍ଚିଥିବା ଅବସ୍ଥାରେ ଟିକେ ନ ଦେଖିବାର ଅବସୋସକୁ ନେଇ ସେ ଘାରି ହେଉଥାଆନ୍ତି। ମାତ୍ର ମଞ୍ଚ ଉପରେ ସେଦିନ ବି ସେ ଖୁବ୍‌ ହସେଇଥିଲେ। ଯାତ୍ରା ଜଗତରେ ୪୯ ବର୍ଷ ବିତେଇ ସାରିଛନ୍ତି। ଅବସୋସ ତ ଅନେକ, କିନ୍ତୁ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ହସର ମହୋଷୌଧୀ ଚଖେଇଲା ବେଳେ ସେ ପାଲଟି ଯାଆନ୍ତି ଜୋକର୍‌ଟିଏ। ସେମିତି ଆଉ ଏକ ଚରିତ୍ର ହେଉଛନ୍ତି ତୁଳସୀ ଗଣନାଟ୍ୟର ନାରୀ କମେଡିଆନ୍‌ ଟୁକୁ ପଣ୍ଡା। ସେ କୁହନ୍ତି, ଯେବେ ମୁଁ ମଞ୍ଚକୁ ଯାଏ ମୋ ନିଜକୁ ଭୁଲିଯାଏ। ଜୀବନରେ ଏମିତି ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପାସୋରି ଅଭିନୟ କରିବାକୁ ପଡ଼ିଛି। ଅନେକ ଲୋକ ଅଭିନୟ ‌ବେଳେ ଅଶ୍ଳୀଳ ଇଙ୍ଗିତ କରନ୍ତି। ବାଧୁଥିଲେ ବି ହସିଦେଇ ସହିଯିବାକୁ ପଡ଼ିଛି। ଇଏ ହିଁ ତ ଜୀବନ। ମଞ୍ଚରେ ଆମ ହସାଉଥିବା ମୁହଁ ତ ସମସ୍ତେ ଦେଖନ୍ତି କିନ୍ତୁ ତା’ର ସତ ଲୁହ କେବେ କେହି ଦେଖି ପାରନ୍ତିନି। ନଦେଖିବା ବି ଭଲ। ବରଂ ଆମ ଦୁଃଖ ଆମ ଭିତରେ ଥାଉ।

ସମ୍ବନ୍ଧିତ ଖବର