ଖଣ୍ଡଗିରି: ଖଣ୍ଡଗିରି କୁମ୍ଭମେଳାରୁ ଭୁବନେଶ୍ବର ମହାନଗର ନିଗମ କୋଟିଏରୁ ଅଧିକ ଟଙ୍କା ଆୟ କରୁଛି। ଦୋକାନ ପିଣ୍ଡି ବାବଦରେ ୪୦ ଲକ୍ଷରୁ ଊର୍ଧ୍ବ ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଛି। ତା’ସହିତ ପାର୍କିଂ, ଯାତ୍ରାପେଣ୍ଡାଲ, ମୀନାବଜାର ଆଦିରୁ ଭଡ଼ା ଆଦାୟ କରାଯିବ। ସବୁସବୁ ମିଶି ବିଏମ୍‌ସି ୧ କୋଟିରୁ ଊର୍ଧ୍ବ ଟଙ୍କାର ରାଜସ୍ବ ପାଇବ। କିନ୍ତୁ ଯେଉଁ ଠାକୁରଙ୍କ ରାଣୀ ହଂସପୁର ଯାତ୍ରା ପାଇଁ ଏହି ମେଳାର ଆୟୋଜନ, ବିଏମ୍‌ସି ସେ ବାବଦରେ ମାତ୍ର ଲକ୍ଷେ ଟଙ୍କା ବ୍ୟୟ କରୁଛି। ଖଣ୍ଡଗିରି କୁମ୍ଭମେଳା ଅବସରରେ ପ୍ରଭୁ ଅନନ୍ତ କେଶରୀ ବିରାଟ ପଟୁଆରରେ ଉଦୟଗିରିର ରାଣୀଗୁମ୍ଫାସ୍ଥିତ ହଂସପୁର ଯାତ୍ରା କରିବା ବିଧି ରହିଛି। ଚଳିତବର୍ଷ ଏଥିପାଇଁ ବିଏମ୍‌ସି ୨ ଲକ୍ଷ ଟଙ୍କା ଦେବ ବୋଲି ହୋଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ବିଏମ୍‌ସି ଅନ୍ତତଃ ୧୦ ଲକ୍ଷ ଟଙ୍କା ଦେବାକୁ ଜାଗମରା ଉପରସାହି କମିଟିର ରଶ୍ମି ପାତ୍ର ଦାବି କରିଛନ୍ତି। ଯାତ୍ରା ଅବସରରେ ଜାଗମରା ଗାଁରୁ ଖଣ୍ଡଗିରି ପାହାଡ଼ ପର୍ଯ୍ୟନ୍ତ ସ୍ବତନ୍ତ୍ର ବିଜୁଳି ବ୍ୟବସ୍ଥା କରିବାକୁ ମତ ଦେଇଛନ୍ତି ଜାଗମରା ତଳସାହି କମିଟି ସମ୍ପାଦକ ଶଶିକାନ୍ତ ପାତ୍ର। ସେହିଭଳି ଏହି ମେଳାରେ ହେଉଥିବା ଖଣ୍ଡଖିରି ପ୍ରସାଦର ପ୍ରଚାରପ୍ରସାର ପାଇଁ ପ୍ରଶାସନ ଗୁରୁତ୍ବ ଦେବା ପାଇଁ ମଧ୍ୟ ଦାବି କରାଯାଇଛି। ସ୍ଥାନୀୟ ଅଧିବାସୀମାନଙ୍କ କହିବା ଅନୁସାରେ ଖଣ୍ଡଗିରି ପାହାଡ଼ର ଐତିହ୍ୟ ଓ କୁମ୍ଭମେଳା ହିଁ ପୁରୁଣା ଭୁବନେଶ୍ବରର ଅନ୍ୟତମ ପରିଚୟ। ଏହି ମେଳାରେ ବାଉଁଶ, କଂସା, ପିତଳ, ଲୁହା ଓ ମାଟି-ପଥରର ବିଭିନ୍ନ ସାମଗ୍ରୀ ବିକ୍ରି ହୁଏ।

Advertisment

ଏହିସବୁ ସାମଗ୍ରୀ ନିର୍ମାଣ କରୁଥିବା କୌଳିକ ବୃତ୍ତିଧାରୀମାନଙ୍କ ଆଦର ଆଜି ବି ରହିଛି। କିନ୍ତୁ ବିଏମ୍‌ସି ସେମାନଙ୍କଠାରୁ ପିଣ୍ଡି ପିଛା ୧୦ ହଜାର ଟଙ୍କା ଆଦାୟ କରିବାକୁ ଧାର୍ଯ୍ୟ କରୁଛି। ସେମାନେ ଏତେ ପରିମାଣର ଭଡ଼ା ଦେବାକୁ ଅସମର୍ଥ ହେବାରୁ ମେଳାକୁ ଆସବାକୁ ଭୟ କରୁଛନ୍ତି। ଭୁବନେଶ୍ବରରେ ପ୍ରତିବର୍ଷ କୁମ୍ଭମେଳା ହୁଏ। ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଆସିଥାଆନ୍ତି। କିନ୍ତୁ ଶିଶିର ସରସ, ଭୂଫେଷ୍ଟ ଭଳି ବିଏମ୍‌ସି ଏହାର ପ୍ରସ୍ତୁତି କରିନଥାଏ ବୋଲି ସ୍ଥାନୀୟ ଅଧିବାସୀମାନେ କହନ୍ତି। ଏମିତିକି ଅସ୍ଥାୟୀ ଶୌଚାଳୟ ନଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ। ତେଣୁ ନାଗାସାଧୁଙ୍କ ଭଳି ବାହାରର ସାଧୁସନ୍ଥମାନଙ୍କ ରହଣି ପାଇଁ ପ୍ରଶାସନ ସବୁ ବ୍ୟବସ୍ଥା କରିବା ଜରୁରି ବୋଲି ଦାବି ହେଉଛି।

ପୁରାଣଶାସ୍ତ୍ର ଅନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶାପଗ୍ରସ୍ତ ପୁତ୍ର ଶାମ୍ବ ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା‌ ମହୋଦଧିରେ ମାଘ ସ୍ନାନ କରିବା ପରେ ଖଣ୍ଡଗିରି ପାହାଡ଼ରେ ଖଣ୍ଡଖିରି ଖାଇଥିଲେ ଏବଂ ଶାପମୁକ୍ତ ହୋଇଥିଲେ। ସେ କିଛି ଦିନ ପାଇଁ ଏହି ପାହାଡ଼ରେ ତପସାଧନ କରିଥିଲେ। ସେବେଠୁ ଏହି ତପୋବନରେ ସାଧୁସନ୍ଥମାନେ ତପସାଧନ କରିଆସୁଛନ୍ତି ଏବଂ ମେଳାର ଆୟୋଜନ ହେଉଛି। ଲୋକକଥା ଅନୁଯାୟୀ ୧୯୧୨ ମସିହା ପର୍ଯ୍ୟନ୍ତ ଖଣ୍ଡଗିରି ପାହାଡ଼ରେ ହିଁ ଅନନ୍ତ କେଶରୀଙ୍କ ମନ୍ଦିର ଥିଲା। ପରବର୍ତ୍ତୀ ସମୟରେ ଠାକୁରଙ୍କୁ ଜାଗମରା ଗାଁସ୍ଥିତ ନାଗାମଠକୁ ଅଣାଯାଇଥିଲା। ମାଘ ମେଳା ଅବସରରେ ପ୍ରଭୁ ଅନନ୍ତ କେଶରୀ ଜାଗମରା ନାଗାମଠରୁ ବାହାରି ରାଣୀହଂସପୁରକୁ ଯାତ୍ରା କରନ୍ତି। ଏଥିପାଇଁ ଜାଗମରା ଗାଁ କମିଟି ସବୁ ଖର୍ଚ୍ଚ କରୁଥିଲା। ମେଳଣ ପଡ଼ିଆରୁ ମିଳୁଥିବା ରାଜସ୍ବ ଯୋଗୁଁ ଯାତ୍ରା ଆୟୋଜନ ସହଜ ହେଉଥିଲା। କିନ୍ତୁ ବିଏମ୍‌ସି ମେଳା ଦାୟିତ୍ବ ନେବାଠାରୁ ଗ୍ରାମ କମିଟି ବ୍ୟବସାୟୀମାନଙ୍କଠାରୁ ପଇସାଟିଏ ପାଉନାହିଁ। ତେଣୁ ଗତ କିଛି ବର୍ଷ ହେଲା ବିଏମ୍‌ସି ପକ୍ଷରୁ ଦିଆଯାଉଥିବା ଅନୁଦାନ ରାଶି ବୃଦ୍ଧି କରାଯାଉ ବୋଲି ଆୟୋଜକ କମିଟି ଦାବି କରିଛି। ପୂର୍ବତନ ନଗରପାଳ ଜଗନ୍ନାଥ ମହାପାତ୍ରଙ୍କ ସମୟରେ ୫ ହଜାର, ମେୟର ମିହିର ମହାନ୍ତିଙ୍କ ସମୟରେ ୨୦ ହଜାର ଓ ଅନନ୍ତ ନାରାୟଣ ଜେନାଙ୍କ ସମୟରେ ୭୦ ହଜାର ଟଙ୍କାର ଅନୁଦାନ ମିଳୁଥିଲା। ଚଳିତବର୍ଷ ୧ ଲକ୍ଷ ଟଙ୍କା ଦିଆଯାଇଛି।