ସରିଲା ଖଣ୍ଡଗିରି କୁମ୍ଭମେଳା: ମେଲାଣି ନେଲେ ସାଧୁସନ୍ଥ, ଚରୁ ଅନ୍ନ, ପ୍ରସାଦ ବଣ୍ଟନ

ଖଣ୍ଡଗିରି: ଓମ୍ ଇନ୍ଦ୍ର ଦେବାୟ ସ୍ୱାହା। ଓମ୍ ଅଗ୍ନି ଦେବାୟ ସ୍ୱାହା। ସକାଳୁ ସକାଳୁ ଏମିତି ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରି ଉଠିଥିଲା ଖଣ୍ଡଗିରି ପାହାଡ଼। ଇନ୍ଦ୍ର ଦେବ ଓ ଅଗ୍ନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାଧୁସନ୍ଥ ଯଜ୍ଞରେ ଘୃତ ନୈବେଦ୍ୟ ଆହୁତି ଦେଇ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ଅବିଘ୍ନମ ଆସ୍ତୁ… ବିଶ୍ୱ କଲ୍ୟାଣମସ୍ତୁ.. ମନ୍ତ୍ରୋଚାରଣରେ ଗିରିଗହ୍ୱର ପ୍ରକମ୍ପିତ ହୋଇଉଠିଥିଲା। ହୁ’ ହୁ’ ହୋଇ ଜଳୁଥିବା ହୋମ କୁଣ୍ଡ ପାହାଡ଼କୁ ଆଲୋକିତ କରି ଦେଉଥିଲା। ଦିନ ତମାମ ଭାଗବତ ପାଠ କରାଯାଇଥିଲା। ମନ୍ତ୍ର ଧ୍ବନି ଓ ନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା। ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ହୋମ ଧୂଆଁର ମହକରେ ପୂରା ଖଣ୍ଡଗିରି ମହକି ଉଠିଥିଲା। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ସାନ୍ନିଧ୍ୟ ପାଇଁ ପହଞ୍ଚିଥିଲେ। ସ୍ଥାନୀୟ ମଠମାନଙ୍କରେ ଅନ୍ନ ପ୍ରସାଦ ଓ ଖିରି ଭୋଗ ଲାଗି କରାଯାଇଥିଲା। ସୂର୍ଯ୍ୟାସ୍ତ ପରେ ହୋଇଥିଲା ପୂର୍ଣ୍ଣାହୁତି ପର୍ବ।

ଏହାପରେ ସାଧୁସନ୍ଥମାନେ ମେଲାଣି ନେଇଥିଲେ। ଭାବବିହ୍ବଳ ପରିବେଶରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥମାନଙ୍କୁ ବିଦାୟ ଦେଇଥିଲେ। ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପର୍ବ ପ୍ରଥମେ ଆରମ୍ଭ ହୋଇଥିଲା। ପରେ ସବୁ ଯଜ୍ଞକୁଣ୍ଡରେ ଏହି ପର୍ବ ସମାହିତ ହୋଇଥିଲା। ପୂର୍ଣ୍ଣାହୁତି ବେଳେ ସବୁଆଡ଼େ ହରିବୋଲ ହୁଳହଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା। ଗୁରୁଦେବଙ୍କୁ ଶ୍ରଦ୍ଧାଳୁମାନେ ଭକ୍ତିଭରା ବିଦାୟ ଦେଉଥିବାର ଦୃଶ୍ୟ ଭାବାବେଗପୂର୍ଣ୍ଣ ଥିଲା। ନାଗା ବାବାଙ୍କୁ ଭକ୍ତମାନେ କୁଣ୍ଢାଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। କାନ୍ଦୁଥିବା ଶ୍ରଦ୍ଧାଳୁଙ୍କୁ ଗୁରୁଦେବ ସାନ୍ତ୍ବନା ଦେଉଥିଲେ। ସପ୍ତମୀରେ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ଆଜି ମାଘ ପୂର୍ଣ୍ଣମୀରେ ଶେଷ ହୋଇଛି।

ଚରୁ ଅନ୍ନ, ପ୍ରସାଦ ବଣ୍ଟନ

ହୋମଯଜ୍ଞ ସରିବା ପରେ ସନ୍ଥ ଶିବିରରେ ଶ୍ରଦ୍ଧାଳୁମାନଙ୍କୁ ଚରୁ ଅନ୍ନ ବଣ୍ଟନ କରାଯାଇଥିଲା। ନାଗା ଶିବିରରେ ଧୂମା ପ୍ରସାଦ ବଣ୍ଟନ କରାଯାଇଥିଲା। ଏଠାରେ ବହୁ ଭକ୍ତ ଧୂମାପ୍ରସାଦ ଖାଇଥିଲେ। ଖଣ୍ଡଗିରି ମେଳାରେ ଖଣ୍ଡଖିରି ହେଉଛି ପ୍ରକୃତ ଭୋଗ। ଏହି ଭୋଗ ମାଘସପ୍ତମୀ ଦିନ ମଧ୍ୟ ଲାଗୁ ହୁଏ ଏବଂ ବଣ୍ଟନ କରାଯାଏ।

ସମ୍ବନ୍ଧିତ ଖବର