ଖଣ୍ଡଗିରି: ଆସୁଛି ଖଣ୍ଡଗିରି ମେଳା। ସାଧୁସନ୍ଥ ଓ ପର୍ଯ୍ୟଟକଙ୍କ ଆଗମନ, ଐତିହ୍ୟ ସ୍ଥଳର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଇତିମଧ୍ୟରେ ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ବ୍ୟାରିକେଡ୍ ଲଗାଯାଇ ବନ୍ଦ କରାଯାଇଛି। ଏବେ ରାସ୍ତାର ଉଭୟ ପାର୍ଶ୍ବରେ ପର୍ଯ୍ୟଟକଙ୍କ ବସିବା ପାଇଁ ସୁବିଧା ହେଉଛି। ବିଏମସି ପକ୍ଷରୁ ୪୦ଟି ସିମେଣ୍ଟ ଚେୟାର ପକାଯିବା ସହିତ ଫୁଲକୁଣ୍ଡ ରଖାଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ମେଳା ପୂର୍ବରୁ ଖଣ୍ଡଗିରି ନିକଟରେ ଥିବା ଉଠାଦୋକାନୀଙ୍କୁ ହଟାଯାଇ ଯାତ୍ରା ଦଳ ଓ ମେଳା ପଡ଼ିବାକୁ ଥିବା ସ୍ଥାନକୁ ଜବରଦଖଲ ମୁକ୍ତ କରାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମେଳା ପାଇଁ ଏତେ ସବୁ ପ୍ରସ୍ତୁତି ସତ୍ତ୍ବେ ଖଣ୍ତଗିରି-ଉଦୟଗିରି ପାହାଡ଼ରେ ଥିବା ପଞ୍ଚତୀର୍ଥ ଯଥା ଗୁପ୍ତଗଙ୍ଗା, ଆକାଶଗଙ୍ଗା, ଶ୍ୟାମକୁଣ୍ଡ, ରାଧାକୁଣ୍ଡ ଓ ଲଳିତାକୁଣ୍ଡକୁ ଏପର୍ଯ୍ୟନ୍ତ ସଫା କରାଯାଇ ନାହିଁ। ବହୁ ଦିନ ଧରି ଏହି ସ୍ଥାନଗୁଡ଼ିକର ଯତ୍ନ ନିଆଯାଉ ନଥିବାରୁ ଏବେ ତାହା ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ଜଳରେ ଗୁଳ୍ମ ଭରି ରହୁଥିବାରୁ ପାଣି ନୀଳ ରଙ୍ଗ ହୋଇଗଲାଣି। ଏମିତିକି ଗୁପ୍ତଗଙ୍ଗାରେ ଆଉ ପୂର୍ବଭଳି ପାଣି ରହୁନାହିଁ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ପାଦଦେଶ ବସ୍ଷ୍ଟାଣ୍ଡ
ନିୟୋଜିତ ହେଲେ ୧୮ଜଣ ସୁରକ୍ଷା କର୍ମୀ
ଏହାର ପୁନରୁଦ୍ଧାର ହେବ ବୋଲି ଗତ ଐତିହ୍ୟ ଦିବସରେ ଏଏସ୍ଆଇର ପୂର୍ବତନ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ କହିଥିଲେ। ଇତିମଧ୍ୟରେ ୧୦ମାସ ବିତିଥିଲେ ମଧ୍ୟ ଏହାର ପୁନରୁଦ୍ଧାର ହୋଇନି। କୁହାଯାଏ ପୂର୍ବରୁ ମୁନିଋଷିମାନେ ଏଠାରେ ସ୍ନାନ କରୁଥିଲେ। ପୂଜା ପାଇଁ ଏହାର ଜଳକୁ ବ୍ୟବହାର କରୁଥିଲେ। ପ୍ରତିବର୍ଷ ଲଳିତାକୁଣ୍ଡରେ ପ୍ରଭୁ ଅନନ୍ତକେଶରୀ ଚାପ ଖେଳନ୍ତି। କୁମ୍ଭମେଳା ଅବସରରେ ରାଧା କୁଣ୍ଡରେ ସାଧୁସନ୍ଥ ସ୍ନାନ କରନ୍ତି। ପଞ୍ଚତୀର୍ଥ ଭାବେ ପରିଚିତ ଏହି ସ୍ଥାନରେ ବହୁ ସଂଖ୍ୟକ ସାଧୁସନ୍ଥ ସ୍ନାନ କରିବାର ନଜିର ରହିଛି। ତେଣୁ ଖଣ୍ଡଗିରି ମେଳା ପୂର୍ବରୁ ଏହାକୁ ସଫେଇ କରା ନଗଲେ ଆସୁଥିବା ସାଧୁସନ୍ଥମାନେ ଅସୁବିଧାର ସମ୍ମୁଖୀନ ହେବା ନେଇ ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଖଣ୍ଡଗିରି-ଉଦୟଗିରିକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ୧୮ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହି ସୁରକ୍ଷା କର୍ମୀମାନେ ୩ସିଫ୍ଟରେ କାମ କରିବେ। ପର୍ଯ୍ୟଟକଙ୍କ ବସ୍ ଓ କାର ରଖିବା ପାଇଁ ଖଣ୍ଡଗିରି ପାଦଦେଶରେ ଥିବା ପାର୍କିଂ ସ୍ଥଳ କାର୍ଯ୍ୟକ୍ଷମ ହୋଇଛି। ଏହି ସ୍ଥାନକୁ ପାଚେରି ବୁଲାଯିବା ସହ ଚୋରି ରୋକିବା ଲାଗି ସେଠାରେ ମଧ୍ୟ ସୁରକ୍ଷା କର୍ମୀ ରହିଛନ୍ତି। ବାହାର ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କ ବସ୍ ଓ କାର୍ ଏହି ପାର୍କିଂ ସ୍ଥଳରେ ରହୁଛି। ବସ୍ ରହଣି ବାବଦରେ ୧୦୦ ଟଙ୍କା ଆଦାୟ କରାଯାଉଥିବା ବେଳେ କାର ବାବଦକୁ ୬୦ଟଙ୍କା ଆଦାୟ ହେଉଛି। ଷ୍ଟାଣ୍ଡ ଭିତରକୁ ଯିବାକୁ ଥିବା ରାସ୍ତାର ବାହାର ପାର୍ଶ୍ବକୁ ପୂର୍ତ୍ତ ବିଭାଗ ମରାମତି କରିଥିବା ଜଣାପଡ଼ିଛି।
ସଜେଇ ହେଲାଣି ଯାତ୍ରାସ୍ଥଳ
ଜାନୁଆରି ୨୮ରୁ ଖଣ୍ଡଗିରି ମେଳା ଆରମ୍ଭ ହେବ। ଏହାର ଦୁଇ ଦିନ ପରେ ଅର୍ଥାତ୍ ୩୦ ତାରିଖରୁ ଯାତ୍ରା ମହାସମର। ଯାତ୍ରା ପରିବେଷଣ ହେବାକୁ ଥିବା ଘାଟିକିଆ ସନାତନ ସେବା ସଦନ, ଜାଗମରାର ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜୟଦୁର୍ଗା ସାଂସ୍କୃତିକ ପରିଷଦ, ମା’ ମଙ୍ଗଳା ନାଟ୍ୟ ସଂସଦ, ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ ପ୍ରସ୍ତୁତି ଆରମ୍ଭ ହୋଇଛି। ୫ଟି ଯାକ ପେଣ୍ଡାଲ ସ୍ଥଳ ସଫେଇ କାମ ଆରମ୍ଭ ହୋଇଛି। କେଉଁ ଯାତ୍ରା ଦଳ କେତେ ଦିନ ଯାତ୍ରା ପରିବେଷଣ କରିବେ ତାହାର ତାଲିକା ଇତି ମଧ୍ୟରେ କାନ୍ଥରେ ଲେଖାଗଲାଣି। ପୁରୁଣା ଲେଖାଗୁଡ଼ିକୁ ଲିଭାଯିବା ସହ ନୂଆ ତାଲିକା ଲଗାଯାଇଛି। ଆସନ୍ତା ସପ୍ତାହରୁ ଯାତ୍ରା ଦଳଗୁଡ଼ିକର ବ୍ୟାନର, ପୋଷ୍ଟର ଲଗାଇବେ ବୋଲି ଜଣାପଡ଼ିଛି।
୪ବର୍ଷ ହେଲା ଶୌଚାଳୟ ବନ୍ଦ
ଖଣ୍ଡଗିରି ପାହାଡ଼ ପାଦଦେଶରେ ଥିବା ଶୌଚାଳୟ ଦୀର୍ଘ ୪ବର୍ଷ ହେଲା ବନ୍ଦ ରହିଛି। ତିଆରି ହେବା ଦିନରୁ ଏହା ଖୋଲିପାରି ନାହିଁ। ଗତବର୍ଷ ମେଳା ସମୟରେ ମଧ୍ୟ ସାଧୁ ସନ୍ଥମାନେ ଏହାକୁ ବ୍ୟବହାର କରିପାରି ନ ଥିଲେ। ଏଥର ମଧ୍ୟ ଏ ସବୁକୁ କାର୍ଯ୍ୟକ୍ଷମ କରାଗଲା ନାହିଁ। ଏଏସ୍ଆଇ ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବସ୍ଷ୍ଟାଣ୍ଡ ପାଖରେ ପୁରୁଷ ଓ ମହିଳାଙ୍କ ପାଇଁ ଗୋଟିଏ ଲେଖାଏ ଇ-ଟଏଲେଟ ରହିଛି। କିନ୍ତୁ ଅଧିକାଂଶ ସମୟ ବିଦ୍ୟୁତ୍ କଟୁଥିବାରୁ ଏହାର କବାଟ ଖୋଲୁ ନାହିଁ। ପାନ୍ଥିକା ନିକଟରେ ୨ଟି ଶୌଚାଳୟ ରହିଛି। ମାତ୍ର ଆଗକୁ ମେଳାରେ ହଜାର ହଜାର ସାଧୁସନ୍ଥଙ୍କ ପାଇଁ ଏହି ଶୌଚାଳୟ ଯଥେଷ୍ଟ ହେବ ନାହିଁ।