ଖଣ୍ଡଗିରି ଅପେରା ଲଢ଼େଇ: ବହି ଜମୁଛି, ଭିଡ଼ ବଢ଼ୁଛି

ଖଣ୍ଡଗିରି: ଆସନ୍ତାକାଲି ସରିବ ଖଣ୍ଡଗିରି ଅପେରା ଲଢ଼େଇ। ଅନ୍ତିମ ପର୍ଯ୍ୟାୟର ଦିନ ଯେତିକି ସରିଆସୁଛି, ଦର୍ଶକଙ୍କ ବ୍ୟାକୁଳତା ସେତିକି ବଢ଼ିବାରେ ଲାଗିଛି। ଏଣେ ପ୍ରତିଯୋଗିତାରେ ଥିବା ଛଅ ପାର୍ଟିଙ୍କ ବହି ବି ବେଶ୍ ଜମୁଥିବା ଦେଖିବାକୁ ମିଳୁଛି। ସମସ୍ତେ ନାଟକ ରିପିଟ୍‌ କରୁଥିବାରୁ ବହି ଦିନକୁ ଦିନ ବେଶ୍‌ ଭଲ ହେଉଛି। ତେଣୁ ଆଜି ଶେଷ ରଜନୀର ଅବ୍ୟବହିତ ପୂର୍ବରୁ ବେଶ୍ ଜମିଥିଲା ଏହି ମହାସମର। ଦର୍ଶକମାନଙ୍କ ଭିଡ଼କୁ ଦେଖି ହରେକୃଷ୍ଣ ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ୟ ନାଟକ ‘ଅଧା ରାତିର ସାଥୀ’ ଡବଲ୍‌ ସୋ’ କରିଥିଲା। ଦୁଇଟି ଯାକ ସୋ’ ହାଉସ୍‌ଫୁଲ୍‌ ହୋଇଥିଲା। ଏମିତିକି ଆୟୋଜକମାନଙ୍କୁ ଆଉ ପ୍ରାୟ ହଜାରେ ଚେୟାର୍ ପକାଇବାକୁ ପଡ଼ିଥିଲା। ସେହିଭଳି ଅନ୍ୟ ୫ଟି ଯାକ ପାର୍ଟି ଗୋଟିଏ ଲେଖାଏ ସୋ’ କରିଥିଲେ ବି କେହି ପଛରେ ପଡ଼ିନଥିଲେ। ସବୁଠି ଟିକେଟ୍‌ ସରିଯାଇଥିଲା। ଏମିତିକି କିଛି ଦର୍ଶକ ବି ଟିକେଟ୍‌ ନପାଇ ହତାଶ ହୋଇ ଫେରିଥିଲେ। ରଙ୍ଗମହଲର ନାଟକ ’ଜାରଜ ଜହର ନୁହେଁ କାହାର’, କୋଣାର୍କର ‘ତୋ ବିନା ମୁଁ ଅଧା ଅଧା’, ସ୍ବର୍ଣ୍ଣମହଲର ‘ହାଟ ବସେଇଛି ହଟ ନାଗରୀ’, ସ୍ବର୍ଣ୍ଣମନ୍ଦିରର ‘ଏକା ଲଢ଼ିବ ରାଣୀ ପଣ୍ଡା’, କଳିଙ୍ଗର ‘ସଂଜ ଆସେ ନଇଁ ନଇଁ’ ଯାତ୍ରାପ୍ରେମୀମାନଙ୍କୁ ଭାବବିହ୍ବଳ କରିଥିଲା। ପ୍ରତିଯୋଗିତା ସରିବାକୁ ଥିବା ବେଳେ ଦର୍ଶକମାନଙ୍କ ଚାହିଦାକୁ ନଜରରରେ ରଖି କୌଣସି ପାର୍ଟି ନୂଆ ବହି କରିବାକୁ ଆଗେଇ ଆସିନଥିଲେ।

ଚେୟାର୍‌ ଫିଙ୍ଗିଲେ ଉତ୍ତେଜିତ ଦର୍ଶକ


ଯାତ୍ରାପ୍ରେମୀମାନେ ଭାବବିହ୍ବଳ ହୋଇ କାନ୍ଦିବା ଓ କମେଡିରେ ବିମୁଗ୍‌ଧ ହୋଇ ତାଳି ହୁଇସିଲ୍‌ ମାରିବା କିଛି ନୂଆ କଥା ନୁହେଁ। ତେବେ ଆଜି ହରେକୃଷ୍ଣ ମହତାବ ପେଣ୍ଡାଲରେ ଏକ ନିଆରା ଘଟଣା ଘଟିଥିଲା। ତୁଳସୀ ଗଣନାଟ୍ୟର ନାଟକ ‘ଅଧା ରାତିର ସାଥୀ’ରେ ଏକ ଦୃଶ୍ୟ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ତେଜନା ଭରିଦେଇଥିଲା। ବୃଦ୍ଧା ମା’ଙ୍କୁ ଅକଥନୀୟ ଅତ୍ୟାଚାର କରୁଥିବା ଖଳନାୟକ ପିୟୁଷଙ୍କ ନିର୍ମମ ଅଭିନୟ ଦେଖି ଦର୍ଶକମାନେ ନିଜକୁ ସମ୍ଭାଳି ପାରିନଥିଲେ। ପିୟୁଷ କେତେବେଳେ ମା’ଙ୍କୁ ଖାଇବାକୁ ଦେଉନଥିଲେ ତ କେତେବେଳେ ଚୁଟି ଟାଣି ମାଡ଼ ମାରୁଥିଲେ। ଅତ୍ୟାଚାରୀ ପୁଅକୁ ଦର୍ଶକମାନେ ପୂର୍ବରୁ କେବଳ ଗାଳି ଦେଉଥିଲେ। କିନ୍ତୁ ଯେଉଁ ଦୃଶ୍ୟରେ ବର୍ବର ପିୟୁଷ ମା’ଙ୍କୁ ଗୋଇଠା ମାରିବାକୁ ଲାଗିଲେ, ଦର୍ଶକଙ୍କ ରାଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। କିଛି ଦର୍ଶକ ପିୟୁଷଙ୍କୁ ଲକ୍ଷ୍ୟ କରି ଗାଳି କରିବା ସହ ମଞ୍ଚ ଉପରକୁ ଚେୟାର ଫିଙ୍ଗିଥିଲେ। ତେଣୁ ନାଟକ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା। ଅବଶ୍ୟ ପରେ ସ୍ବେଚ୍ଛାସେବୀମାନେ ସେହି ଦର୍ଶକମାନଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର