ଭୁବନେଶ୍ୱର: ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ହେବ ନବୀକରଣ। ବୁଣାକାର, କାରିଗର, ଚାଷୀମାନଙ୍କୁ ମିଳିବ ଅତ୍ୟାଧୁନିକ ସେବା। ବୋର୍ଡରେ ଖୋଲିବ ତୈଳ ଉତ୍ପାଦନ, ମହୁ ଉତ୍ପାଦନ ଓ ଖଦି ବ୍ୟାଙ୍କ। ଏଥିପାଇଁ ପାଞ୍ଚ କୋଟି ଟଙ୍କାର ଅଟକଳ କରାଯାଇଛି। ଖଦି ବ୍ୟାଙ୍କ ସାହାଯ୍ୟରେ ସୂତାର ଅଭାବ ଦୂର କରାଯିବ। ବୁଣାକାରମାନେ ବୋର୍ଡକୁ ଆସି କଞ୍ଚାମାଲ ନେଇ ପାରିବେ। ଆଗାମୀ ଦୁଇବର୍ଷ ମଧ୍ୟରେ ଏହି କାମ ସାରିବାକୁ ଯୋଜନା ରହିଛି ବୋଲି ବୋର୍ଡର ସଚିବ ସୂଚନା ଦେଇଛନ୍ତି। ଏହାବ୍ୟତୀତ ବୋର୍ଡକୁ ଜବରଦଖଲରୁ ମୁକ୍ତ କରାଯିବା ପାଇଁ ପାଚେରି ତିଆରି କରାଯିବ। ଏଠାରେ ସୁନ୍ଦର ବଗିଚା ତିଆରି ପାଇଁ ମଧ୍ୟ ଯୋଜନା ରହିଛି। ସେହିପରି ଖଦୀର ବ୍ୟବହାର ବଢ଼ାଇବା ପାଇଁ ପ୍ରଦର୍ଶନୀ କରାଯିବା ସହିତ ଆଗକୁ ଖଦୀ ଫ୍ୟାସନ ସୋ’ ମଧ୍ୟ କରାଯିବ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍‌ ଟେକ୍ନୋଲୋଜି ସହ ମିଶି ଏହି ଫ୍ୟାସନ୍‌ ସୋ’ କରାଯିବାର ଯୋଜନା ରହିଛି। ଏହା ଦ୍ୱାରା ବୋର୍ଡ ଅଧୀନରେ ଥିବା ୨୭ଟି ଖଦୀ ସୋସାଇଟି ଉପକୃତ ହୋଇପାରିବେ। 

Advertisment

ଏଠାରେ ଉଲ୍ଲେଖନୀୟ ଯେ ୨୦୦୩ ଅକ୍ଟୋବରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମୋଦ୍ୟୋଗଭବନ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଇତିମଧ୍ୟରେ ୨୨ବର୍ଷ ବିତିଯାଇଥିଲେ ସୁଦ୍ଧା ଭବନ ନିର୍ମାଣ ହୋଇପାରିନାହିଁ। ଇନ୍‌ଟାକ୍‍ ପକ୍ଷରୁ ୨୦୧୫ ଡିସେମ୍ବର ୨୨ ତାରିଖରେ ଏହା ପରିସରରେ ଦିଲ୍ଲୀ ହାଟ ଢାଞ୍ଚାରେ ପ୍ରଦର୍ଶନୀମଣ୍ଡପ ଓ ଜାତୀୟସ୍ତରର ଗାନ୍ଧୀ ସଂଗ୍ରହାଳୟ ନିର୍ମାଣ ପାଇଁ ମଧ୍ୟ ଯୋଜନା ହୋଇଥିଲା। ହେଲେ ତାହା ବି ହୋଇପାରିନାହିଁ। ସେହିପରି ୨୦୨୧ ଡିସେମ୍ୱର ମାସରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ସେଠାରେ ୧୧ମହଲା ବିଶିଷ୍ଟ ଉତ୍କଳ ଖଦୀଭବନ ନିର୍ମାଣ ପାଇଁ ଯୋଜନା ହୋଇଥିଲା।  କୋଠାକୁ ଦେଖିଲେ ଚରଖା ପାଖରେ ମହାତ୍ମା ଗାନ୍ଧୀ ବାଡ଼ି ଧରି ଛିଡ଼ା ହୋଇଥିବା ଭଳି ଦେଖାଯିବ। କୋଠାର ଉପର ଭାଗରେ ଏକ ବଡ଼ ଚରଖା ପ୍ରତିକୃତି ରହିବ। ଏହାବାଦ୍ ଏକ ବହୁତଳ କାର୍‌ ପାର୍କିଂର ସୁବିଧା ରହିବ ବୋଲି କୁହାଯାଇଥିଲା। ହେଲେ ତାହା ମଧ୍ୟ ହୋଇପାରିନାହିଁ। ତେବେ ଏହି ଭିତ୍ତିପ୍ରସ୍ତର ଅନୁଯାୟୀ କେବେ ଗ୍ରାମୋଦ୍ୟୋଗ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେ ସମ୍ପର୍କରେ ଅଧିକାରୀମାନେ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହିପାରୁନାହାନ୍ତି। ତେବେ ନିକଟ ଅତୀତରେ ରାଜ୍ୟ ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ଆଦିର ପ୍ରସାର ପାଇଁ କଳାଭୂମି ସମ୍ମୁଖରେ ‘ଏକତା ମଲ୍‌’ ପାଇଁ ଶୁଭ ଦିଆଯାଇଛି।