ଖଦି ‌ବୋର୍ଡର ଦାୟିତ୍ବ ନେଲେ ସଂଗ୍ରାମ ପାଇକରାୟ : ଗାଁ’ରେ ଖଦି, ଅଣୁଶିଳ୍ପ ପାଇଁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା ହେବ

ଭୁବନେଶ୍ବର : ଖଦି ଶିଳ୍ପ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ଯୁବଗୋଷ୍ଠୀ ଓ ସ୍ବୟଂ ସହାୟକ ଦଳର ମହିଳାମାନଙ୍କୁ ବୈଷୟିକ ତାଲିମ୍‌ ଦିଆଯିବ। ବ୍ୟାଙ୍କରୁ ଋଣ ସହାୟତା ଯୋଗାଇ ଦେବା ନିମନ୍ତେ ଚେଷ୍ଟା କରାଯିବ। ଗ୍ରାମାଞ୍ଚଳରେ ଖଦି ଓ ଅଣୁ ଶିଳ୍ପ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯିବା ସହ ଏସବୁର ବିକ୍ରିବଟା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ବ ନେବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ସଂଗ୍ରାମ କେଶରୀ ପାଇକରାୟ। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଖଦି ସୂତା ପିନ୍ଧାଇବା ପରେ ସେ ବୋର୍ଡର ଦାୟିତ୍ବ ନେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବୋର୍ଡ ପକ୍ଷରୁ ଆଡ଼ମ୍ବର ସହକାରେ ପାଳନ ହେବ। ମୁଖ୍ୟମନ୍ତ୍ରୀଙ୍କ ‘୫ଟି’କୁ ମଧ୍ୟ ବୋର୍ଡରେ ଗୁରୁତ୍ବ ଦିଆଯିବ। ଏହି ଅବସରରେ ବୋର୍ଡର ସଚିବ ସରୋଜ କୁମାର ପଟେଲ୍‌, ଉପସଚିବ ତ୍ରିଯୋଗୀ ନାରାୟଣ ଦାସ, ରେଣୁପ୍ରଭା ନାୟକ ଓ କର୍ମଚାରୀବୃନ୍ଦ ନୂତନ ଅଧ୍ୟକ୍ଷକଙ୍କୁ ସ୍ବାଗତ କରିଛନ୍ତି। ଦାୟିତ୍ବ ଗ୍ରହଣ ସମୟରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂଜୟ ଦାସବର୍ମା, ଅରୂପ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଶତପଥୀ, ପ୍ରିୟଦର୍ଶୀ ମିଶ୍ର, ସୁଲତା ଦେଓ, ଅମରେଶ ପତ୍ରୀ, ଅସିତ ପଟ୍ଟନାୟକ, ବିଜୟ ନାୟକ, ଚିନ୍ମୟ ସାହୁ, ସମୀର ପ୍ରଧାନ, ହୃଦୟ ବଲ୍ଲଭ ସାମନ୍ତରାୟ, ଅଶ୍ବିନୀ ସୁନ୍ଦରାୟ, ରାଜେନ୍ଦ୍ର ସମର୍ଥା ଓ ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର