ପୁରୁଣା ଖଦି ସୋସାଇଟି ପୁନରୁଦ୍ଧାର ହେବ

ଆରମ୍ଭ ହେଲା ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

ଭୁବନେଶ୍ବର : ଖଦି ଓ ଗ୍ରାମୋଦ୍ୟୋଗ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୧୫୪୦.୮୮ ଲକ୍ଷ ଟଙ୍କାର ଲାଭାଂଶ ୫୨୭ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହା ଦ୍ବାରା ୪୬୮୯ ଜଣ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ବର୍ତମାନ ପର୍ଯ୍ୟନ୍ତ ୧୪୯୫ ଲକ୍ଷ ଟଙ୍କାର ଲାଭାଂଶ ଅର୍ଥରାଶି ୫୬୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୪୪୮୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇପାରିଛି। ସଂପ୍ରତି ବୋର୍ଡ ପକ୍ଷରୁ ସମୁଦାୟ ୩୦ଟି ଖଦି ସୋସାଇଟିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହ ରାଜ୍ୟ ସରକାର ପୁରୁଣା ଖଦି ସୋସାଇଟିଗୁଡ଼ିକୁ ପୁନରୁଦ୍ଧାର ପାଇଁ ୨ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଆଜିଠୁ ଖଦି ବୋର୍ଡ ପରିସରରେ ଆରମ୍ଭ ହୋଇଥିବା ଆଞ୍ଚଳିକ ପ୍ରଦର୍ଶନୀରେ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗର ଆର୍ଥିକ ସହାୟତାରେ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀରେ ୧୦୦ଟି ଷ୍ଟଲ୍‌ ଖୋଲାଯାଇଛି। ଏଥିରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ଜମ୍ମୁକଶ୍ମୀରର ଖଦି ଓ ଗ୍ରାମୋଦ୍ୟୋଗୀମାନେ ଅଂଶଗ୍ରହଣ କରି ନିଜର ଘରୋଇ ଉତ୍ପାଦକୁ ବିକ୍ରି କରୁଛନ୍ତି। ଏଥିସହ ଏହି ପରିସରରେ ପାପୋଛ, ସୂତା ଓ ପାରମ୍ପରିକ ଶାଢ଼ି ପ୍ରସ୍ତୁତି ଦେଖିବାକୁ ମିଳୁଛି।

ଆଜିର ଏହି ଆଞ୍ଚଳିକ ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, ଶିଳ୍ପ ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ, ବୋର୍ଡର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଏବଂ ସଚିବ ସରୋଜ କୁମାର ପଟେଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ମାର୍ଚ ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମଧ୍ୟାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ବୁଲି କିଣିକିଣି କରି‌ବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର