‘ଖଦିହାଟ’ ଉଦ୍‌ଘାଟିତ: ଖଦି ଏକ ବସ୍ତ୍ର ନୁହେଁ, ଏକ ବିଚାର

ପୁରୁଣା ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ‘ଖଦିହାଟ’ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବୁଣାକାର ତଥା ଉଦ୍ୟୋଗୀମାନେ ସେମାନଙ୍କର ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରଦର୍ଶନ ତଥା ବିକ୍ରୟ କରୁଛନ୍ତି। ସେଥିମଧ୍ୟରେ ବିଭିନ୍ନ ପ୍ରକାରର ଖଦି ବସ୍ତ୍ର, ଶାଲ, ଜ୍ୟାକେଟ, ମସଲା, ଆଚାର, ହସ୍ତଶିଳ୍ପ, ଅଗରବତି, ଶିଙ୍ଘ ତିଆରି ଜିନିଷ, ଘଣା ତେଲ, ଫିନାଇଲ, ଡିଟରଜେଣ୍ଟ ଇତ୍ୟାଦି ବିଭିନ୍ନ ଗୃହ ଉପଯୋଗୀ ସାମଗ୍ରୀ ସାମିଲ ହୋଇଛି।

ଏହି ଅବସରରେ ବର୍ଷୀୟାନ୍‌ ଗାନ୍ଧୀବାଦୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କୁ ତାଙ୍କ ଶ୍ରାଦ୍ଧୋତ୍ସବରେ ବୋର୍ଡ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଉତ୍ସବକୁ ଶକ୍ତି, ଶିଳ୍ପ, ଗୃହ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲରେ ଉଦ୍‌ଘାଟନ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ଖଦି ଏକ ବସ୍ତ୍ର ନୁହେଁ, ଏକ ବିଚାର। ଯେଉଁମାନେ ଖଦି ଉତ୍ପାଦନ କରୁଛନ୍ତି, ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଆମେ ଯତ୍ନବାନ ହେବା ଉଚିତ। ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ବୋର୍ଡର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଦି ବୋର୍ଡର ସଦସ୍ୟ ସମୀର ସାମନ୍ତରାୟ ଓ ରବି ଲାବଣ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବୋର୍ଡର ସଚିବ ସରୋଜ କୁମାର ହୋତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର