ଭୁବନେଶ୍ବର: ଦେହରେ ଖାକି ପୋଷାକ ଅଛି ବୋଲି ସବୁ ଆଇନକାନୁନକୁ ଫୁ। ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ତତ୍କାଳୀନ ଆଇଆଇସି ଏକ ଜବତ ଗାଡ଼ିରେ ତିନି ଜିଲ୍ଲା ଡେଇଁ ପୁରୀ ଶ୍ରୀମନ୍ଦିରରେ ଯିବା ଓ ସେଠାରେ ଧରାପଡ଼ିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣି ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ଜଣେ ପୁଲିସ କନଷ୍ଟେବଳ ମଦ ପିିଇ ପୁଲିସ ହାତରେ ଧରାପଡ଼ିବା ଘଟଣା ପୁଣି ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକସେବା ଭବନଠାରୁ ମାତ୍ର ଅଳ୍ପ ଦୂର ହାଇ ସିକ୍ୟୁରିଟି ଜୋନ୍‌ କୁହାଯାଉଥିବା ଜୟଦେବ ଭବନ ସମ୍ମୁଖରେ କନଷ୍ଟେବଳ ଜଣକ ନିଜ ସାଙ୍ଗସାଥୀଙ୍କୁ ଧରି ମଦ ପିଉଥିବା ଖବର ପାଇ କ୍ୟାପିଟାଲ ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ଧରା ପଡ଼ିଥିବା କନଷ୍ଟେବଳ ହେଲେ ହାବିଲଦାର ଓ କନଷ୍ଟେବଳ ସିପାହୀ ସଂଘ, ଭୁବନେଶ୍ବର ଶାଖା ସମ୍ପାଦକ ପ୍ରସନ୍ନ ବେହେରା। ଉଦ୍‌ବେଗର କଥା ହେଲା ଧରାପଡ଼ିବା ପରେ ପୁଲିସ କେବଳ ଫାଇନ କାଟି ଛାଡ଼ି ଦେଇଛି। ଯାହାକୁ ନେଇ କ୍ୟାପିଟାଲ ଥାନା ପୁଲିସ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କନଷ୍ଟେବଳ ପ୍ରସନ୍ନ ବେହେରା କିଛି ସାଙ୍ଗସାଥୀଙ୍କ ସହ ଜୟଦେବଭବନ ନିକଟରେ ବସିଥିଲେ। ସେଠାରେ ମଦ ପିଉଥିବା ନେଇ ପୁଲିସକୁ ଖବର ଯାଇଥିଲା। କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଚକ୍ରବର୍ତ୍ତୀ ସେଠାରେ ଚଢ଼ଉ କରି କନେଷ୍ଟବଲଙ୍କ ସହ ୮ଜଣଙ୍କୁ ଧରି ଥାନାକୁ ଆଣିଥିଲେ। ଏହାସହ ଜବତ ମଦ ସେଠାରେ ଢାଳି ଦେଇଥିଲେ। ଘଟଣାସ୍ଥଳରୁ ଏକ ମର୍ସିଡିଜ୍ କାର ମଧ୍ୟ ଜବତ ହୋଇଥିଲା। କିନ୍ତୁ ପୁଲିସ କେବଳ ଓଡ଼ିଶା ସହରାଞ୍ଚଳ ଆଇନ ଅନୁସାରେ ଜରିମାନା କରି ସେମାନଙ୍କୁ ଛାଡ଼ି ଦେଇଥିଲା। ଲକଡାଉନ୍ ସମୟରେ ହାଇସିକ୍ୟୁରିଟି ଜୋନ୍‌ରେ ଆଇନ ଉଲ୍ଲଂଘନ ହୋଇଥିଲେ ବି ଏନେଇ କୌଣସି ମାମଲା ରୁଜୁ କରାଯାଇନାହିଁ। ଏହାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଚୋରା ମଦ କାରବାର ରୋକିବା ନେଇ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଏବେ ଲକଡାଉନ୍ ସମୟରେ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏମାନେ କେଉଁଠୁ ମଦ ଆଣିଲେ ସେ ନେଇ ପୁଲିସ ତଦନ୍ତ କରିନାହିଁ। ଅଧିକ ତଦନ୍ତ କରିଥିଲେ ପୁଲିସକୁ ଚୋରା ମଦ କାରବାରର ସନ୍ଧାନ ବି ମିଳି ପାରିଥାନ୍ତା। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ସର୍ବସାଧାରଣ ସ୍ଥାନରେ ମଦ ପିଇବା ଘଟଣାରେ ଜରିମାନା କରାଯାଇଛି ଏବଂ ସମ୍ପୃକ୍ତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଜାରି ରହିଛି।