ନିଷ୍ଠାପର ଜନସେବକ ଥିଲେ ରାଜା ବାହାଦୂର: ମୁଖ୍ୟମନ୍ତ୍ରୀ

ଖଲ୍ଲିକୋଟର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ ଓ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଖଲ୍ଲିକୋଟର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସ୍ବର୍ଗତ ମର୍ଦ୍ଦରାଜ ଦେଓ ଜଣେ ସଫଳ ବ୍ୟକ୍ତିତ୍ବ ଥିଲେ। ଉଭୟ ରାଜତନ୍ତ୍ର ଓ ଗଣତନ୍ତ୍ରରେ ସେ ସଫଳତାର ସହିତ ତାଙ୍କର ଦାୟିତ୍ବ ନିର୍ବାହ କରି ଜନସାଧାରଣଙ୍କର ଶ୍ରଦ୍ଧା ଓ ଆଦର ଲାଭ କରିପାରିଥିଲେ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା, ଗଞ୍ଜାମ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ସେତିକି ଗୁରୁତ୍ବପୂର୍ଣ୍ଣ ଥିଲା। ଜଣେ ସ୍ବାଭିମାନୀ ଓଡ଼ିଆ ଓ ନିଷ୍ଠାପର ଜନସେବକ ଭାବରେ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର କାର୍ଯ୍ୟଧାରା, ଆଦର୍ଶ, ପ୍ରତିବଦ୍ଧତା ଏବଂ ଓଡ଼ିଶା ମାଟି ପ୍ରତି ତାଙ୍କର ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ରାଜା ବାହାଦୂରଙ୍କ ପ୍ରତି ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ମାନିତ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜ ପରିବାରର ଅବଦାନ ଉପରେ ଆଲୋକପାତ କରିଥିଲେ। ସ୍ବର୍ଗତ ମର୍ଦ୍ଦରାଜ ଦେଓଙ୍କୁ ବିକାଶ ପୁରୁଷ ଭାବେ ସେ ବର୍ଣ୍ଣନା କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ଅଭିଭାଷଣରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ବିକାଶ କ୍ଷେତ୍ରରେ ରାଜା ବାହାଦୂରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ, ରାଜା ବାହାଦୂରଙ୍କର ଦୂରଦୃଷ୍ଟି ଓ ଦେଶଭକ୍ତି ଉତ୍ତରପିଢ଼ିକୁ ଅନୁପ୍ରାଣିତ କରିବ। ଅନ୍ୟମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ତାଙ୍କ ଭାଷଣରେ ରାଜା ବାହାଦୂରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ସଂଜୟ ସିଂ ସ୍ବାଗତ ଭାଷଣ ଓ ପୂଜ୍ୟପୂଜା ସାହିତ୍ୟ ସଂସଦର ସଂପାଦକ ମହେଶ୍ବର ବରାଡ଼ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର