ଭଡ଼ାଟିଆଙ୍କୁ ଧମକ, ଭଡ଼ାଟିଆ ଦମ୍ପତି ଖଣ୍ଡଗିରି ଥାନାର ଦ୍ବାରସ୍ଥ

ଖଣ୍ଡଗିରି : ଘର ଭଡ଼ା ଆଦାୟ କରିବାକୁ ଯାଇ ମାଲିକ ଭଡ଼ାଟିଆ ଦମ୍ପତିଙ୍କୁ ଗୁଣ୍ଡା ଲଗାଇ ଧମକ ଦେବା ଭଳି ଏକ ଅଭାବନୀୟ ଘଟଣାକୁ ଗୁରୁତ୍ବର ନେଇଛି ଖଣ୍ଡଗିରି ଥାନା ପୁଲିସ। ସ୍ଥାନୀୟ ଡେଲ୍‌ଟା ପ୍ରକୃତି ବିହାରରେ ବୁଧବାର ଘଟିଥିବା ଏମିତି ଏକ ଘଟଣାରେ ପୁଲିସ ଘର ମାଲିକକୁ ତାଗିଦ୍ କରି ଛାଡ଼ିଛି। ମହାମାରୀ କ‌ରୋନା ସଂକଟବେଳେ ଜଣେ ନିଷ୍ଠୁର ଘର ମାଲିକର ଏଭଳି କଦର୍ଯ୍ୟ କାମକୁ ସବୁ ମହଲରେ ନିନ୍ଦା କରାଯାଇଛି।

ଘଟଣା ମୁତାବକ, ପ୍ରକୃତି ବିହାରରେ ରହୁଥିବା ଏହି ଦମ୍ପତି ପିଲାଛୁଆଙ୍କ ସହ ଦୀର୍ଘ ୫ ବର୍ଷ ହେଲା ଉକ୍ତ ମାଲିକଙ୍କ ଘରେ ଭଡ଼ାରେ ରହୁଛନ୍ତି। ନିୟମିତ ଭଡ଼ା ଦେଇ ଆସନ୍ତି। କିନ୍ତୁ ଘରୋଇ ସଂସ୍ଥାରେ କାମ କରୁଥିବାରୁ ଚଳିତ ମାସରେ ତାଙ୍କୁ କମ୍ ଦରମା ମିଳିଥିଲା। ତେଣୁ ସେ ଏପ୍ରିଲ୍‌ ମାସର ଘର ଭଡ଼ା ପରେ ଦେବେ ବୋଲି ମାଲିକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ୧୦ ତାରିଖ ପୂର୍ବରୁ ଭଡ଼ା ନ ଦେଲେ ଘର ଖାଲି କରିବାକୁ ପଡ଼ିବ ବୋଲି ମାଲିକ ଚେତବାନୀ ଦେଇଥିଲେ। କିନ୍ତୁ ଭଡ଼ାରେ ରହିଥିବା ଦମ୍ପତି ଭଡ଼ା ଦାଖଲ କରି ନପାରିବାରୁ ଆଜି ମାଲିକ ୨ ଜଣ ଗୁଣ୍ଡାଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ତୁରନ୍ତ ଘର ଖାଲି କରିବାକୁ ଧମକ ଦେଇଥିଲେ। ଘର ମାଲିକଙ୍କ ଏଭଳି କଦର୍ଯ୍ୟ ବ୍ୟବହାର ପାଇଁ ଭଡ଼ାଟିଆ ଦମ୍ପତି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ତୁରନ୍ତ ଖଣ୍ଡଗିରି ଥାନା ଅଧିକାରୀ ଘର ମାଲିକଙ୍କୁ ଡକାଇ ଥାନାରେ ବସାଇ ଦେଇଥିଲେ। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଘର ମାଲିକ ନିଜ ଭୁଲ୍‌ ସ୍ବୀକାର କରିବା ସହ ଭବିଷ୍ୟତରେ ଏଭଳି କରିବେ ନାହିଁ ବୋଲି ଲିଖିତ ଚୁକ୍ତି କରିବା ପରେ ତାଙ୍କୁ ପୁଲିସ ଛାଡ଼ିଥିଲା।

ସମ୍ବନ୍ଧିତ ଖବର