ଖଣ୍ଡଗିରି ଅଞ୍ଚଳ ହଟ୍‌ସ୍ପଟ୍: ୮ଦିନରେ ବାହାରିଲେଣି ୮୬ଆକ୍ରାନ୍ତ

ରାଜଧାନୀରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ହଜାରେ ଟପିବ!

ଭୁବନେଶ୍ବର : ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦୦ରୁ ତଳକୁ ଖସୁନି। ପ୍ରତିଦିନ ୧୫୦ଜଣ ପାଖାପାଖି ଆକ୍ରାନ୍ତ ବାହାରୁଛନ୍ତି। ହେଲେ ସବୁଠୁ ଚିନ୍ତାର ବିଷୟ ପାଲଟିଛି ଖଣ୍ଡଗିରି। ଖଣ୍ଡଗିରି ପାହାଡ଼ ଆଖପାଖ ଅଞ୍ଚଳ ଏବେ ହଟ୍‌ସ୍ପଟ୍ ପାଲଟିଛି। ଏଠାରେ ଗତ ୮ଦିନରେ ୮୬ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। କେବଳ ଗତ ଦୁଇ ଦିନରେ ୩୪ଜଣ ଆକ୍ରାନ୍ତ ବାହାରିଛନ୍ତି।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଖଣ୍ଡଗିରି ଅଞ୍ଚଳରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ବିଭିନ୍ନ ଆପାର୍ଟମେଣ୍ଟ ଓ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି। ହେଲେ କାହିଁକି ଓ କିପରି ଏଠାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି ତାହା ଜଣାପଡ଼ୁନି। ଆମେ ସବୁ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରୁଛୁ। ଯେପରି ଏଠାରେ ସଂକ୍ରମଣ କମିବ ଏବଂ ସ୍ଥିତି ନିୟନ୍ତ୍ରଣକୁ ଆସିବ ସେନେଇ ପଦକ୍ଷେପ ନିଆଯିବ।

ଅପରପକ୍ଷେ ଏବେ ଖଣ୍ତଗିରି ଓ ଉଦୟଗିରିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ଲୋକ ସଂକ୍ରମିତ ହେଉଥିବା କୁହାଯାଉଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିନାହାନ୍ତି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଖଣ୍ଡଗିରିୁ ୧୬ଜଣ, ୧୦ତାରିଖରେ ୧୮ଜଣ, ୯ରେ ୭ଜଣ, ୮ରେ ୧୨ଜଣ, ୭ରେ ୧୦ଜଣ, ୬ରେ ୧୨ଜଣ, ୫ରେ ୯ଜଣ, ୪ରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାବାଦ୍ ପାତ୍ରପଡ଼ା, କୋଳଥିଆ, ଜାଗମରା, କଳିଙ୍ଗନଗର, କଳିଙ୍ଗବିହାର ଆଦି ଅଞ୍ଚଳରୁ ପ୍ରାୟ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସିର ଦକ୍ଷିଣ ପଶ୍ଚିମ ଜୋନ୍‌ରେ ଖଣ୍ଡଗିରି ବାଦ୍ ନୂଆପଲ୍ଲୀ ଅନ୍ୟତମ ହଟସ୍ପଟ୍ ଅଞ୍ଚଳ ପାଲଟିଛି।

ସକ୍ରିୟ ଆକ୍ରାନ୍ତ ସଂଖ୍ୟା ହଜାରେ ଟପିବ!
ଭୁବନେଶ୍ବର : ଗତ ୬ଦିନ ହେଲା ଲଗାତର ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୭ରେ ପହଞ୍ଚିଛି। ଏପ୍ରିଲ ୧ରେ ରାଜଧାନୀରେ ୩୧୦ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ହଠାତ୍ ୬୬୭ଜଣ ସକ୍ରିୟ ଆକ୍ରାନ୍ତ ବଢ଼ି ଯାଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫୦୦ରୁ ଅଧିକ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଯାହା ଏବେ ରାଜଧାନୀବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ପ୍ରତିଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସୋମବାର ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଯିବ ବୋଲି ଅନୁମାନ କରାଯାଉଛି।

ବିଏମ୍‌ସିର ସୂଚନା ଅନୁଯାୟୀ ଆଜି ରାଜଧାନୀରେ ୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ସଙ୍ଗରୋଧରୁ ୩୨ଜଣ ଓ ସ୍ଥାନୀୟ ସଂକ୍ରମିତ ୧୧୬ଜଣ ଅଛନ୍ତି। ସଙ୍ଗରୋଧରୁ ବାହାରିଥିବା ୩୨ଜଣଙ୍କ ମଧ୍ୟରେ ପଟିଆସ୍ଥିତ ଇଞ୍ଜିନିୟରିଂ କଲେଜରୁ ୨ଜଣ ଅଛନ୍ତି। ସେହିପରି ଆଜି ଚିହ୍ନଟ ହୋଇଥିବା ୧୧୬ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଖଣ୍ଡଗିରିରୁ ୧୫ଜଣ, ପୋଖରୀପୁଟରୁ ୧୦ଜଣ, ଆଇଆର୍‌ସି ଭିଲେଜ, ପୁରୁଣା ଭୁବ‌ନେଶ୍ବର, ନୀଳାଦ୍ରିବିହାରରୁ ୬ଜଣ ଲେଖାଏଁ, ବରମୁଣ୍ଡା, କଳ୍ପନା ଛକ ଓ ନୂଆପଲ୍ଲୀରୁ ୫ଜଣ ଲେଖାଏଁ, ମଞ୍ଚେଶ୍ବର, ଲକ୍ଷ୍ମୀସାଗର, ପଟିଆ, ରସୁଲଗଡ଼ରୁ ୪ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଜୟଦେବ ବିହାର, ଟଙ୍କପାଣି ରୋଡ୍‌, ଚନ୍ଦ୍ରଶେଖରପୁର, କଳିଙ୍ଗନଗର ଆଦି ଅଞ୍ଚଳରୁ ବି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର