୨୦୨୧ରେ ସରିବ, ଖଣ୍ଡଗିରି ଫ୍ଲାଏ ଓଭର, ଏବେବି ସର୍ଭିସ୍ ରୋଡ୍ ପାଇଁ ଜମି ଅଧିଗ୍ରହଣ ବାଧକ ସାଜିଛି

୧.୪ କିମି ଲମ୍ବର ହେବ ଫ୍ଲାଏ ଓଭର, ଖର୍ଚ୍ଚ ହେବ ୭୩କୋଟି

ଭୁବନେଶ୍ବର: ଦୁର୍ଘଟଣା ପ୍ରବଣ ଖଣ୍ଡଗିରି ଛକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେଉଛି ଫ୍ଲାଏ ଓଭର। ପ୍ରାୟ ୭୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଫ୍ଲାଏ ଓଭର ଦୀର୍ଘ ୬ମାସ ହେଲା ନିର୍ମାଣ ହେଉଥିବାବେଳେ ଏହା ଶେଷ ହେବାକୁ ଆଉ ଦେଢ଼ ବର୍ଷ ଲାଗିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି। ଏବେ ସର୍ଭିସ ରୋଡ୍ ଏବଂ ବ୍ରିଜ୍‌ର ପିଲାର୍‌ କାମ ଆରମ୍ଭ ହୋଇଥିବାବେଳେ ସର୍ଭିସ୍ ରୋଡ୍ ନିର୍ମାଣରେ ଜମି ଅଧିଗ୍ରହଣ ବାଧକ ଥିବାରୁ କାମ କିଛି ମାତ୍ରାରେ ବିଳମ୍ବ ହେଉଛି। ହେଲେ ଧାର୍ଯ୍ୟ ସମୟରେ ଫ୍ଲାଏ ଓଭର ନିର୍ମାଣ ଶେଷ କରିବୁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ଦେବପ୍ରସାଦ ସାହୁ କହିଛନ୍ତି ଯେ, ୧କିମି ୪୦୦ ମିଟର ଲମ୍ବର ଏହି ଫ୍ଲାଏଓଭର ବରମୁଣ୍ଡା ଓଭରବ୍ରିଜ୍ ନିକଟରୁ ଆରମ୍ଭ ହୋଇ କ‌ସ୍େମାପଲି ଛକ(ଆଇଗିଣିଆ ଛକ) ତଥା ବିଜୟା ବ୍ୟାଙ୍କ ସମ୍ମୁଖରେ ଶେଷ ହେବ। ୬ଲେନ୍ ବିଶିଷ୍ଟ ଏହି ଫ୍ଲାଏଓଭରର ଦୁଇ ପାର୍ଶ୍ବରେ ପ୍ରାୟ ୬୦ଫୁଟ ଓସାରର ସର୍ଭିସ୍ ରୋଡ୍ ନିର୍ମାଣ ହେଉଛି। ଏବେ ଖଣ୍ଡଗିରିରୁ ବରମୁଣ୍ଡା ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଏବଂ ଖଣ୍ଡଗିରିରୁ କସ୍‌ମୋପଲି ଛକ ପର୍ଯ୍ୟନ୍ତ ସର୍ଭିସ ରୋଡ୍ ନିର୍ମାଣ ଶେଷ ହୋଇଥିବାବେଳେ ବିଜୟା ବ୍ୟାଙ୍କ ସମ୍ମୁଖରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ସର୍ଭିସ୍ ରୋଡ୍ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ନିର୍ମାଣ ହୋଇପାରୁନି। ଏହି ପାର୍ଶ୍ବରେ ଜମି ଅଧିଗ୍ରହଣ ନେଇ ଥିବା ମାମଲା ଏବେ କୋର୍ଟରେ ଶୁଣାଣି ଶେଷ ହୋଇଥିବାରୁ ଆମକୁ ଜମି ମିଳିଲେ ଏହି ପାର୍ଶ୍ବରେ ସର୍ଭିସ୍ ରୋଡ୍‌ ନିର୍ମାଣ ହେବ।

ଶ୍ରୀ ସାହୁଙ୍କ ସୂଚନା ଅନୁଯ‌ାୟୀ, ରାଜଧାନୀରେ ନିର୍ମାଣ ହୋଇଥିବା ବାକି ଫ୍ଲାଏଓଭରଗୁଡ଼ିକର ଡିଜାଇନ୍ ପରି ଏହା ନିର୍ମାଣ ହେଉଛି। ଏହି ଫ୍ଲାଏଓଭର ଡିଜାଇନ୍ ଆଇଆଇଟି, ଭୁବନେଶ୍ବର କର୍ତ୍ତୃପକ୍ଷ ପ୍ରସ୍ତୁତ କରିଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଆର୍‌କେଡି ସଂସ୍ଥାକୁ ଦିଆଯାଇଛି। ପ୍ରାୟ ୧କିମି ୪୦୦ ମିଟରର ଏହି ଫ୍ଲାଏଓଭର୍‌ର ୧କିମି ଲମ୍ବ ପର୍ଯ୍ୟନ୍ତ ତଳେ ଫାଙ୍କା ରହିବ। ବାଣୀବିହାର, ଆଚାର୍ଯ୍ୟବିହାର ଛକ ନିକଟରେ ଯେପରି ଫ୍ଲାଏଓଭର ତଳ ପାର୍ଶ୍ବକୁ ବାଲି ଦେଇ ବନ୍ଦ କରାଯାଇଛି ସେପରି କରାଯିବନି। ବ୍ରିଜ୍ ତଳେ ଖୋଲା ସ୍ଥାନ ରହିଲେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ରହିବନି। ସେହିପରି ଏହାକୁ ଲୁହା ବ୍ୟାରିକେଡ୍ କରି ଏଠାରେ ସୌନ୍ଦର୍ଯ୍ୟକରଣ କରାଯିବ। ଉଭୟ ପାର୍ଶ୍ବରେ ୨୦୦ମିଟର ଲେଖାଏଁ ଆପ୍ରୋଚ୍ ରୋଡ୍ ରହିବ। ପ୍ରତି ସ୍ପାନ୍ ୩୦ମିଟରର ହେବ। ଅର୍ଥାତ୍ ପ୍ରତି ୩୦ମିଟରରେ ଗୋଟିଏ ପିଲାର୍‌ ରହିବ। କେବଳ ଖଣ୍ଡଗିରି ଛକ ନିକଟରେ ଏହାର ୪୦ମିଟରର ହେବ। ଏହି ଫ୍ଲାଏଓଭର ପାଇଁ ମୋଟ୍ ୬୮ଟି ପିଲାର୍‌ ହେବାକୁ ଥିବାବେଳେ ଦୁଇ ପାର୍ଶ୍ବ‌େର ୩୪ଟି ଲେଖାଏଁ ପିଲାର୍‌ ରହିବ। ଫ୍ଲାଏଓଭର ଉପରେ ଷ୍ଟ୍ରିଟଲାଇଟ୍ ଲାଗିବା ସହ ଯେପରି ଏଠାରେ ଦୁର୍ଘଟଣା ନହେବ ସେଥିପାଇଁ ବିଭିନ୍ନ ପ୍ରକାରର ସାଇନେଜ୍ ଲାଗିବ।

ଅପରପକ୍ଷେ ଏବେ କସ୍‌ମୋପଲି ଛକରେ ନିର୍ମାଣ ହୋଇଥିବା ଟ୍ରାଫିକ୍ ପୋଷ୍ଟକୁ ହଟାଇ ଦିଆଯିବ। ପୂର୍ବରୁ ଡୁମୁଡୁମା, ଯଦୁପୁର, କସ୍‌ମୋପଲି ଅଞ୍ଚଳର ଲୋକମାନେ ଯେପରି ସର୍ଭିସ୍‌ରୋଡ୍‌ରେ ଯାଇ ଆଇଗିଣିଆ ଆଳୁ ଗଦି ଛକ ନିକଟରେ ଅଣ୍ଡରପାସ୍‌ ଦେଇ ରାସ୍ତା ଅତିକ୍ରମ କରିବା ପରେ ଜାତୀୟ ରାଜପଥ ଉପରକୁ ଚଢ଼ୁଥିଲେ ଫ୍ଲାଏଓଭର ନିର୍ମାଣ ହେବା ପରେ ବି ସେହିପରି ଯାତାୟାତ କରିବେ। ବିଜୟା ବ୍ୟାଙ୍କ ସମ୍ମୁଖରେ ଜାତୀୟ ରାଜପଥ ଉପରକୁ ଚଢ଼ିବାକୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ହେବ। ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ମଝିରେ ଯେପରି ଜାତୀୟ ରାଜପଥକୁ ଚଢ଼ିବାକୁ ଓ ଓହ୍ଲାଇବାକୁ ବ୍ୟବସ୍ଥା ହୋଇଛି ସେହିପରି ଏଠାରେ ହେବ। ଏହାବାଦ୍ ଶନି ମନ୍ଦିର ନିକଟରେ ଏକ ବଡ ଅଣ୍ଡରପାସ୍ ନିର୍ମାଣ ହେବ। ଆଳୁଗଦି ଛକ ନିକଟରେ ଥିବା ଅଣ୍ଡରପାସ୍‌ ଦେଇ ବଡ଼ ଗାଡ଼ି ଯାତାୟାତ କରିବା ସମ୍ଭବପର ନଥିବାରୁ ଏବଂ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ବଡ଼ ଅଣ୍ଡରପାସ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଆସନ୍ତା ବର୍ଷକ ମଧ୍ୟରେ ଏହାକୁ ନିର୍ମାଣ କରାଯିବ। ଫ୍ଲାଏଓଭର କାମ ଶେଷ ହେଲାବେଳକୁ ଏହି ଅଣ୍ଡରପାସ୍‌ କାମରେ ଲାଗିପାରିବ।

ସମ୍ବନ୍ଧିତ ଖବର