ଖଣ୍ଡଗିରି ଅଞ୍ଚଳରେ ନିର୍ବାଚନୀ ଉଷ୍ମତା

ବିଏମ୍‌ସି ଓ୍ଵାର୍ଡ ପୁନର୍ଗଠନ ପରେ

ଖଣ୍ଡଗିରି: ଆଗାମୀ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ବିଭିନ୍ନ ଓ୍ଵାର୍ଡରେ ଏବେଠାରୁ ରାଜନୈତିକ ଦଳଗୁଡ଼ିକର ଅଙ୍କକଷା ଆରମ୍ଭ ହୋଇଗଲାଣି। ଓ୍ଵାର୍ଡ ପୁନର୍ଗଠନ ହେବା ପରେ ଖଣ୍ଡଗିରି ଅଞ୍ଚଳରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି ଅଡ଼ୁଆରେ ପଡ଼ିଛନ୍ତି। ଏହି ଅଞ୍ଚଳରେ ଥିବା ଓ୍ଵାର୍ଡ ନଂ ୩୩, ୬୦ ଓ ୬୧ରେ ଉଭୟ ଦଳ ପାଇଁ ଅଖାଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ଚର୍ଚା ହେଉଛି। ୩୩ ଓ ୬୧ ନମ୍ବର ଓ୍ଵାର୍ଡରେ ନୂଆକରି କିଛି ଗ୍ରାମାଞ୍ଚଳ ସାମିଲ୍‌ ହୋଇଥିବାରୁ ଉଭୟ ଦଳ ପାଇଁ ପ୍ରାର୍ଥୀ ଚୟନ ବଡ଼ ବିଷମ ପରିସ୍ଥିତି ସୃଷ୍ଟି କରିଥିବା ଆଲୋଚନା ହେଉଛି। ପୂର୍ବରୁ ଏହି ଅଞ୍ଚଳରେ ଦୁଇଟି ଓ୍ଵାର୍ଡ ବିଜେପି ହାତରେ ଥିବାରୁ ପୁଣି ଗଡ଼ ରକ୍ଷା କରିବାକୁ ଏହି ଦଳ ପାଇଁ ଏକ ଚ୍ୟାଲେଞ୍ଜ୍‌ ହୋଇଛି। ସେହିଭଳି ଏହି ଅଞ୍ଚଳରରେ ଉଭୟ ଏକାମ୍ର ଓ ଜଟଣୀ ନିର୍ବାଚନ ମଣ୍ଡଳୀର ଅଞ୍ଚଳ ଥିବାରୁ ବିଜେଡି ପାଇଁ ମଧ୍ୟ ସମସ୍ୟା ଉପୁଜିବାର ଆଶଙ୍କା ଅଛି। ତେବେ ବିଜେପିର ପ୍ରଭାବକୁ ପରାହତ କରିବା ପାଇଁ ଏଠାରେ ଓ୍ଵାର୍ଡ ପୁନର୍ଗଠନକୁ ବଡ଼ ଯୋଜାନବଦ୍ଧଭାବେ କରାଯାଇଛି ବୋଲି ରାଜନୈତିକ ଚର୍ଚା ଜୋର୍‌ ଧରିଛି। ଏହି ଅଞ୍ଚଳରେ କଂଗ୍ରେସର ସ୍ଥିତି ସେତେ ଖରାପ ନଥିଲେ ବି ପ୍ରାର୍ଥୀ ଚୟନକୁ ନେଇ କିଛି ବି ଚର୍ଚା ନାହିଁ। ବରଂ କେତେକ କଂଗ୍ରେସ କର୍ମୀ ବିଜେଡି ମୁହାଁ ହେଉଥିବା ଆଭାସ ମିଳିଲାଣି।

ବିଜେପିକୁ ଅକଳରେ ପକାଇବାକୁ ବିଜେଡିର ଯୋଜନା

କଂଗ୍ରେସର ନିରବତା

ଓ୍ଵାର୍ଡ ୩୩, ୬୦ ଓ ୬୧ରେ ବିବାଦ ବଢ଼ୁଛି

ଆଗାମୀ ବିଏମ୍‌ସି ନିର୍ବାଚନ ନେଇ ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବରେ ଓ୍ଵାର୍ଡ ୩୩ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିରେ ନୂଆ କରି ସାମିଲ୍‌ ହୋଇଛି ପାଇକରାପୁର, ଶଙ୍କରପୁର, ସୁବୁଦ୍ଧିପୁର, କଳିଙ୍ଗନଗର। ଏହି ଓ୍ଵାର୍ଡରେ ଥିବା ଘାଟିକିଆ, ଖଣ୍ଡଗିରିବାରୀ, ଶରଧାପଲ୍ଲୀ ବସ୍ତି, କଳିଙ୍ଗ ଷ୍ଟୁଡିଓ ଛକ, ସମ୍‌ ହସ୍ପିଟାଲ ଅଞ୍ଚଳ ରହିଛି। ଏହି ଅଞ୍ଚଳଗୁଡ଼ିକ ପୂର୍ବରୁ ବିଏମ୍‌ସିରେ ଥିଲା। ଭୋଟର୍‌ଙ୍କ ହିସାବକୁ ଦେଖିଲେ ଏହି ଓ୍ଵାର୍ଡରେ ନୂଆ ଭୋଟର୍‌ଙ୍କ ସଂଖ୍ୟା ଅଧିକ ହେବ। ପାଇକରାପୁର ଭଳି ବଡ଼ ଗାଁ ସହିତ କଳିଙ୍ଗନଗର, ଶଙ୍କରପୁର, ସୁବୁଦ୍ଧିପୁର ଆଦି ନୂଆ ଅଞ୍ଚଳ ରହିଛି। ଏହି ଆସନଟି ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏଠାରେ ୪୩୫ଜଣ ଅନୁସୂଚିତ ଜନଜାତି ପୁରୁଷ ଏବଂ ୩୮୧ଜଣ ଅନୁସୂଚିତ ଜନଜାତି ମହିଳା ଅଛନ୍ତି। ଏହାବାଦ୍‌ ଅନୁସୂଚିତ ଜାତିର ୭୩୯ଜଣ ପୁରୁଷ ଏବଂ ୭୪୪ ଜଣ ମହିଳା ଅଛନ୍ତି। ଏହି ଓ୍ଵାର୍ଡରେ ଅଣସଂରକ୍ଷିତ ଏବଂ ବିସିସି ବର୍ଗର ଅଧିକ ଲୋକ ଥିଲେ ହେଁ ଆସନଟି ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଯାଇଥିବାରୁ ଅସନ୍ତୋଷ କୁହୁଳିବାରେ ଲାଗିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, ବିଜେଡି ଜାଣିଶୁଣି ଏହି ଅଞ୍ଚଳଟିକୁ ଅନୁସୂଚିତ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଛି। ଅନ୍ୟ ଦଳ ଯେପରି ଏଠାରେ ପ୍ରାର୍ଥୀ ନଦେଇପାରିବେ ସେହିଭଳି ଯୋଜନା ପ୍ରସ୍ତୁତ ହୋଇଛି। ଭୁବନେଶ୍ୱର ବ୍ଲକର ଜଣେ ପୂର୍ବତନ ଅଧ୍ୟକ୍ଷା(ଏହି ବର୍ଗର)ଙ୍କର ଘର ଏହି ଅଞ୍ଚଳରେ ହୋଇଥିବାରୁ ତାଙ୍କୁ ନଜରରେ ରଖି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ବୋଲି ଅଭିଯୋଗ ଉଠିଲାଣି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଏହି ଓ୍ଵାର୍ଡଟି ଅଣସଂରକ୍ଷିତ କରିବାକୁ ଆମେ ନଗର ଉନ୍ନୟନ ବିଭାଗକୁ ଜଣାଇବୁ। ସବୁଠୁ ବିଷମ ପରିସ୍ଥିତି ଓ୍ଵାର୍ଡ ୬୧ରେ। ଏଥିରେ ନୂଆ କରି ପାତ୍ରପଡ଼ା ଓ ଭଗବାନପୁର ଗାଁ ସହ ସହ ଉଦୟଗିରି ବିହାର, ଏମ୍‌ସନଗର ଆଦି ନୂଆ ଅଞ୍ଚଳ ସାମିଲ୍‌ ହୋଇଛି। ସୁବାସନଗର ବସ୍ତି, ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍‌-୧ ଭଳି ପୁରୁଣା ବିଏମ୍‌ସି ଅଞ୍ଚଳ ରହିଛି। ପାତ୍ରପଡ଼ା, ଭଗବାନପୁର ଗାଁ ସହ ନୂଆ ଅଞ୍ଚଳର ଭୋଟରଙ୍କ ସଂଖ୍ୟା ଅଧିକ। ପୂର୍ବରୁ ଏଠାରେ ବିଜେପି ବିଜୟୀ ହୋଇଥିଲା। ମାତ୍ର ବିଜେପିର ଭୋଟ ବ୍ୟାଙ୍କକୁ କାଟି ଓ୍ଵାର୍ଡ ପୁନର୍ଗଠନ କରାଯାଇ ପାତ୍ରପଡ଼ା ଭଗବାନପୁର ଆଦି ଅଞ୍ଚଳ ମିଶିଯିବା ପରେ ବିଜେପି ପାଇଁ ସମସ୍ୟା ସୃଷ୍ଟି କରାଯାଇଛି ବୋଲି ଅଭିଯୋଗ ହେଲାଣି। କିନ୍ତୁ ବିଜେଡି ମଧ୍ୟ ଏଠାରେ ନୂଆ ଅଞ୍ଚଳର ନୂଆ ଭୋଟର୍‌ଙ୍କୁ ନେଇ ପ୍ରାର୍ଥୀ ଚୟନ କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏହି ଆସନଟି ଅଣସଂରକ୍ଷିତ ଥିବାରୁ ବହୁ ପ୍ରାର୍ଥୀ ଆଶାୟୀ ଅଛନ୍ତି। ବିଶେଷକରି ବିଜେଡି ପାଇଁ ପ୍ରାର୍ଥୀ ଚୟନ ଏଠାରେ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଏକାମ୍ର ବିଧାୟକ ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଜଟଣୀରେ ବିଜେଡି ମଙ୍ଗ ଧରିଥିବା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ମଧ୍ୟରେ ତାଳମେଳ ନ ରହିଲେ, ଦଳ ପାଇଁ ସଙ୍ଗିନ୍‌ ପରିସ୍ଥିତି ସୃଷ୍ଟି ହୋଇପାରେ। ଏଠାରେ ୬୧୦୯ଜଣ ପୁରୁଷ ଏବଂ ୫୬୯୧ଜଣ ମହିଳା ଥିବାବେଳେ ଏଥିରୁ ଅନୁସୂଚିତ ଜାତିର ୫୨୭ଜଣ ପୁରୁଷ ଏବଂ ୫୨୬ଜଣ ମହିଳା ଅଛନ୍ତି। ଏହାବାଦ୍‌ ଅନୁସୂଚିତ ଜନଜାତିର ୧୪୩ଜଣ ପୁରୁଷ ଏବଂ ୧୪୬ଜଣ ମହିଳା ଅଛନ୍ତି। ଅଧିକ ଅଣସଂରକ୍ଷିତ ବର୍ଗର ଭୋଟର୍‌ ଥିବାରୁ ଶାସକ ଦଳରୁ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଲେ ସମସ୍ୟା ବଢ଼ିବାର ଆଶଙ୍କାକୁ ଏଡ଼ାଇ ହେଉନି।

ଓ୍ଵାର୍ଡ ୬୦ରେ ବି ବିଜେଡି ଓ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ଜାଗମରା, ଜଗମୋହନ ନଗର, ପଞ୍ଚସଖାନଗର, ଡୁମୁଡୁମା ଗାଁ, ନୀଳାଦ୍ରି ବିହାର, କସ୍‌ମୋପଲି, ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍‌-୪ ଆଦି ଅଞ୍ଚଳକୁ ନେଇ ଏହି ଓ୍ଵାର୍ଡ ଗଠନ ହୋଇଛି। ପୂର୍ବରୁ ଏହି ଅଞ୍ଚଳର ଜାଗମରା ପ୍ରମୁଖ ଅଞ୍ଚଳ ଥିଲା। ଏଠାରେ ବିଜେପି କର୍ପୋରେଟର୍‌ ଥିଲେ। କିନ୍ତୁ ପୁନର୍ଗଠନ ହେବା ପରେ ଜାଗମରା  ଅଞ୍ଚଳକୁ ଛାଡ଼ିଦେଲେ ବାକି ଅଂଶ ବିଜେଡିର ଦବ୍‌ଦବା ଅଛି। ମହିଳାଙ୍କ ପାଇଁ ଓ୍ଵାର୍ଡଟି ସଂରକ୍ଷିତ ହୋଇଯାଇଥିବାରୁ ଏହି ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ୱଦ୍ୱ ଉପୁଜିଲାଣି। ଦୁଇ ପୂର୍ବତନ କର୍ପୋରେଟର୍‌ଙ୍କ ଆଖି ଏହି ଓ୍ଵାର୍ଡରେ। ସେହିଭଳି ବିଜେଡି ପୁରୁଣା ପ୍ରାର୍ଥୀ ଦେବ କି ନୂଆ ମୁହଁ ଦେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ପ୍ରାର୍ଥୀ ହେବା ପାଇଁ ଏବେଠୁ ଏଠାରେ ଲବି ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର