ମାର୍ଚ୍ଚ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର୍‌

୮୦ କୋଟି ବ୍ୟୟ, ସରିଛି ୫୨% କାମ, ବଦଳିଯିବ ବ୍ଲାକ୍‌ସ୍ପଟ୍‌ ବଦନାମ

ଖଣ୍ଡଗିରି : ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍‌ର ନିର୍ମାଣ କାମ ସରିବ। ନୂଆ ରୂପରେ ଆବିର୍ଭାବ ହେବ ‌ଖଣ୍ଡଗିରି ଟ୍ରାଫିକ୍‌ ଛକ। ରାଜଧାନୀର ସମସ୍ତ ଫ୍ଲାଏଓଭର ବ୍ରିଜ୍‌ ମଧ୍ୟରେ ଏହା ହେବ ସବୁଠାରୁ ସୁନ୍ଦର। ଓଭରବ୍ରିଜ୍ ଉପର ଅଂଶ ଯେମିତି ତଳେ ସର୍ଭିସ୍‌ ରୋଡ୍‌କୁ ମଧ୍ୟ ସେମିତି ସୁନ୍ଦର ରୂପ ଦିଆଯିବ। ଦି‌ନେ ବ୍ଲାକ୍‌ସ୍ପଟ୍‌ ଭା‌ବେ ପରିଚିତି ଲାଭ କରିଥିବା ଏହି ଟ୍ରାଫିକ୍ ଛକକୁ ଭିଡ଼ମୁକ୍ତ ଓ ଦୁର୍ଘଟଣାମୁକ୍ତ ଛକ ଭାବେ ପରିଣତ କରାଯିବ। ବ୍ଲାକସ୍ପଟ୍‌ର ବଦନାମ ବଦଳିଯିବ। ନିର୍ମାଣାଧୀନ ଏହି ଓଭରବ୍ରିଜ୍‌ର ୫୨ପ୍ରତିଶତ କାମ ଶେଷ ହୋଇଛି। ଏହି ୬ ଥାକିଆ ଓଭରବ୍ରିଜ୍‌ ପାଇଁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦କୋଟି ଟଙ୍କା ବ୍ୟୟ ହୋଇସାରିଲାଣି। ୨୦୧୯ ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ରାସ୍ତା ବନ୍ଦ ହୋଇ ଓଭରବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହୋଇଥିଲା ଓ ଚଳିତ ବର୍ଷ ଜୁନ୍‌ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ କେତେକ ଅନିବା‌ର୍ଯ୍ୟ କାରଣବଶତଃ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରି ନଥିଲେ ହେଁ ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଭରବ୍ରିଜ୍‌ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ମୁଖ୍ୟ ପୋଲର ଲମ୍ବ ୧ କିଲୋମିଟର
ଜାତୀୟ ରାଜପଥ ପ୍ରାଧିକରଣ, ଭାରତ (ଏନ୍‌ଏଚଏଆଇ) ଅଧୀନରେ ଆର୍‌.କେ.ଡି କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ନିର୍ମାଣ ଦାୟିତ୍ବ ବହନ କରିଛି। ଏନ୍‌ଏଚ୍‌ଏଆଇର ବୈଷୟିକ ପରାମର୍ଶ ସେବାର ଯନ୍ତ୍ରୀ ଇଂ ଜଳଧର ପ୍ରଧାନଙ୍କ ସୂଚନାନୁସାରେ, ୬ ଥାକିଆ ଏହି ଓଭରବ୍ରିଜ୍‌ ତଥା ମୁଖ୍ୟ ପୋଲର ଲମ୍ବ ୧ କିଲୋମିଟର। ଏହା ବ୍ୟତୀତ ଆଇଗିଣିଆ-ଖୋର୍ଧା ଓ ବରମୁଣ୍ଡା-ଭୁବନେଶ୍ବର ପାର୍ଶ୍ବ ସଂଯୋଗୀକରଣ ରାସ୍ତାର ଲମ୍ବ ରହିଛି ୧.୨୩୦ କିଲୋମିଟର। ଏମିତି ମୋଟ ୨ କିଲୋମିଟର ୨୩୦ ମିଟର ଲମ୍ବର ଏହି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରାଯାଉଛି। ୬୮ଟି ଖମ୍ବ(ପିଲାର୍‌) ଓ ୬୬ଟି ସ୍ପାନ୍‌ ବିଶିଷ୍ଟ ଏହି ଓଭରବ୍ରିଜ୍‌ର ଉଭୟ ପାର୍ଶ୍ବରେ ଥିବା ୨ କିଲୋମିଟର ଲମ୍ବର ସର୍ଭିସ ରୋଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏବେ ପିଲାର୍‌ ସଂଯୋଗୀକରଣ କାମ ମଧ୍ୟ ଆଗେଇ ଚାଲିଛି। ବର୍ତମାନ ସୁଦ୍ଧା ଉଭୟ ପାର୍ଶ୍ବ ସର୍ଭିସ ରୋଡ୍‌, ଡ୍ରେନ୍‌, କଲଭର୍ଟ, ଖମ୍ବ ନିର୍ମାଣ ସହ ୧୭ଟି ସ୍ପାନ୍‌ରେ ଛାତ ଢଳେଇ କାମ ଶେଷ ହୋଇଛି।

ଆଇଆଇଟି ଭୁବନେଶ୍ବରର ପୁନଃ ଅନୁମୋଦନ ପାଇଁ ଲାଗିଥିଲା ୮ମାସ
ଦୁର୍ଘଟଣାପ୍ରବଣ ଛକ ଭାବେ ପରିଚିତ ଏହି ଛକରେ ୨୦୧୬ରୁ ୨୦୧୮ ମସିହା ୨ ବର୍ଷ ମଧ୍ୟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ୩୨ଜଣଙ୍କ ପ୍ରାଣହାନି ‌ହୋଇଥିଲା। ତେଣୁ ଏହାକୁ ରାଜଧାନୀର ସବୁଠାରୁ ଭୟଙ୍କର ବ୍ଲାକସ୍ପଟ ବୋଲି କୁହାଯାଉଥିଲା। ଏହା ବ୍ୟତୀତ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରତିଦିନ ଏହି ଛକରେ ଅସମ୍ଭାଳ ଭିଡ଼ ହେଉଥିଲା। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ହେଉଥିଲା ଓ ଲୋକେ ଏହି ଜାମ୍‌ରେ ଫସି ରହୁଥିଲେ। ବହୁ ସମୟରେ ଆମ୍ବୁଲାନ୍‌ସ ମଧ୍ୟ ଭିଡ଼ରେ ଫସି ରହୁଥିଲା। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଛକ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରସ୍ତୁତ ମୂଳ ଅନୁମୋଦିତ ନକ୍ସା ଓ ବୈଷୟିକ ଶୈଳୀରେ ପରିବର୍ତନ ଜରୁରୀ ହୋଇଥିଲା ଓ ଏଥିପାଇଁ ଆଇଆଇଟି ଭୁବନେଶ୍ବରର ସହାୟତା ଲୋଡ଼ା ଯାଇଥିଲା। ତେଣୁ ନକ୍‌ସାରେ ପରିବର୍ତ୍ତନ କରାଯିବା ପରେ ପୁନଃ ଅନୁମୋଦନ ପାଇଁ ୮ ମାସ ସମୟ ଲାଗି ଯାଇଥିଲା। ସେହିଭଳି ମହାମାରୀ କରୋନା କଟକଣା ପାଇଁ ନିର୍ମାଣ କାମ ମଝିରେ କିଛି ଦିନ କାମ ଅଟକି ଯାଇଥିଲା। ‌ତେବେ କରୋନା କଟକଣା ସମୟକୁ ବାଦ୍‌ ଦେଲେ ଗତବର୍ଷଠାରୁ ନିର୍ମାଣ କାମ ନିୟମିତ ଚାଲୁ ରହିଛି।

ବିଦ୍ୟୁତ, ଜଳଯୋଗାଣ ବ୍ୟବସ୍ଥାର ପୁନଃନିର୍ମାଣ ପାଇଁ ୬କୋଟି
ଉଭୟ ଜାଗମରା ଓ ଖଣ୍ଡଗିରି ଦିଗରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ବିଦ୍ୟୁତ ଖମ୍ବ ଓ ଜଳ ଯୋଗାଣ ପାଇପ୍‌ ସ୍ଥାନାନ୍ତର କରାଯାଉଥିବାରୁ ଏହି ଦୁଇ ସେବା ପ୍ରଭାବିତ ହୋଇଛି। ବିଡିଏ, ବିଏମ୍‌ସି, ପିଡବ୍ଳୁଡି (ଆର୍‌ଆଣ୍ଡବି), ପୁଲିସ, ସେସୁ ଓ ଆର୍‌ଡବ୍ଲୁଏସ୍‌ଏସ୍‌ ସହଯୋଗରେ ଜବରଦଖଲ ଉଚ୍ଛେଦ ଚାଲିଛି ଏବଂ ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ସ୍ଥାନାନ୍ତର ପ୍ରକ୍ରିୟା ଚାଲୁ ରହିଛି। ଏସବୁର ପୁନଃ ନିର୍ମାଣ ପାଇଁ ୬କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବିଦ୍ୟୁତ୍‌ ଓ ଜଳଯୋଗାଣ ସେବା ବାଧାପ୍ରାପ୍ତ ହେବାର ଥିଲେ ମଧ୍ୟ ଲୋକଙ୍କୁ କମ୍ ସମସ୍ୟାରେ ପକାଇ କାମ ତ୍ବରାନ୍ବିତ କରିବାକୁ ଉଦ୍ୟମ କରାଯାଇଛି। ଆଗକୁ ଏହି ଫ୍ଲାଏଓଭର ବ୍ରିଜ୍‌ର ମୁଖ୍ୟ ଅଂଶ(ମଧ୍ୟ ଭାଗ) ତଥା ୪୦ ମିଟର ପ୍ରସ୍ଥ ସ୍ପାନ୍‌ର ସର୍ବବୃହତ୍‌ ଛାତ ଢଳେଇ ବେଳେ ଯାତାୟାତରେ ବାଧା ସୃଷ୍ଟି ହେବ। ଏହି ସମସ୍ୟାକୁ ଯଥାସମ୍ଭବ କମ୍ କରିବା ପାଇଁ ଆଗାମୀ ସପ୍ତାହରୁ ଖଣ୍ଡଗିରି ଗୁମ୍ଫା ଆଡ଼ୁ ଜାଗମରା ଓ ଜାଗମରା ଦିଗରୁ ଖଣ୍ଡଗିରି ଗୁମ୍ଫା ଆଡ଼କୁ ରାସ୍ତାକୁ ଦୁଇ ଭାଗରେ ବିଭାଜିତ କରି ଯାନବାହାନ ଚଳାଚଳ କରାଯିବ ବୋଲି ସୂଚନା ମିଳିଛି।

ଖଣ୍ଡଗିରି ଆଡ଼କୁ ୨୦୦ ମିଟର, ଜାଗମରା ଆଡ଼କୁ ୩୦ ମିଟର ପ୍ରଶସ୍ତ ହେବ
ଓଭରବ୍ରିଜ୍‌ ନିର୍ମାଣ ହେଲେ ମଧ୍ୟ ସର୍ଭିସ ରୋଡ୍‌ ଦେଇ ଖଣ୍ଡଗିରି ଓ ଜାଗମରା ଆଡ଼କୁ ଲମ୍ବିଥିବା ରାସ୍ତାରେ ଭିଡ଼ ହେବା ଆଶଙ୍କା ଦେଖା ଦେବାରୁ ପୁଣି ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଖଣ୍ଡଗିରି ପାହାଡ଼ ପଟୁ ଜାତୀୟ ରାଜପଥରେ ମିଶିଥିବା ରାସ୍ତାକୁ ଏନ୍‌ଏଚ୍‌ ପାର୍ଶ୍ବରୁ ପାହାଡ଼ ଆଡ଼କୁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତୀକରଣ କରାଯାଉଛି। ସେହି ଅଂଶରୁ ୧୭୦ ମିଟର ପର୍ଯ୍ୟନ୍ତ ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଇଂ ପ୍ରଧାନ କହିଛନ୍ତି। ସେଥିପାଇଁ ଏନ୍‌.ଏଚ୍‌ ସଂଲଗ୍ନ ଦି ୱାର୍ଲଡ୍‌ ବ୍ୟବସାୟିକ କୋଠାକୁ ଭଙ୍ଗା ଯାଇଛି। ଏହି ଅଂଶ ପ୍ରଶସ୍ତ ହେବା ଫଳରେ ଖୋର୍ଧା ପଟୁ ପାହାଡ଼ ଆଡ଼କୁ ଏବଂ ପାହାଡ଼ ପଟୁ ବରମୁଣ୍ଡା-ଭୁବନେଶ୍ବର ଆଡ଼କୁ ଯିବାକୁ ଥିବା ଯାନବାହନ ଆଉ ଭିଡ଼ କରିବେ ନାହିଁ କି ଭିଡ଼ରେ ଫସିବେ ନାହିଁ। ସେହିଭଳି ଅପରପାର୍ଶ୍ବରେ ଜାଗମରା ‌ଆଡ଼କୁ ଳମ୍ବିଥିବା ରାସ୍ତାକୁ ଏନ୍‌ଏଚ୍‌ଠାରୁ ଜାଗମରା ଦିଗରେ ୩୦ ମିଟର ପର୍ଯ୍ୟନ୍ତ ପ୍ରଶସ୍ତ କରାଯିବ। ତେଣୁ ବରମୁଣ୍ଡାରୁ ଖଣ୍ଡଗିରି ଦେଇ ଗଣ୍ଡମୁଣ୍ଡା ଦିଗରେ ଓ ଜାଗମରା ପାର୍ଶ୍ବରୁ ଆଇଗିଣିଆ-ଡୁମୁଡୁମା‌ ଦିଗ‌ରେ ଯିବାକୁ ଥିବା ଯାନବାହାନ ଭିଡ଼ରେ ଫସିବେ ନାହିଁ। ତେଣୁ ଆଗାମୀ ଦିନରେ ଭୁବନେଶ୍ବର ଏମ୍‌ସ, ଆମ୍ରି, ସମ୍ ହସ୍ପିଟାଲକୁ ଯାତାୟାତ କରୁଥିବା ଆମ୍ବୁଲାନ୍‌ସଗୁଡ଼ିକ ଆଉ ଭିଡ଼ରେ ଫସିବା ସମସ୍ୟା ରହିବ ନାହିଁ। ଏହି ପ୍ରଶସ୍ତୀକରଣ ପାଇଁ ସେଠାରେ ଥିବା କିଛି ପୁରୁଣା ବରଗଛ, ଓସ୍ତଗଛ ଓ ଅନ୍ୟାନ୍ୟ ଛୋଟ ବଡ଼ ଗଛ କଟା ଚାଲିଛି। ସେହିଭଳି ଖଣ୍ଡଗିରି ଥାନାର ଗୋଟିଏ ପାର୍ଶ୍ବ ପାଚେରିରୁ କିଛି ଅଂଶ ଭଙ୍ଗା ଯିବା ସହ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବା ଯୋଜନା ରହିଛି।

ସମ୍ବନ୍ଧିତ ଖବର