ମେ’ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର, ୬୦% କାମ ସରିଲାଣି

ଭୁବନେଶ୍ବର : ଦୀର୍ଘ ୨୦ମାସ ହେଲା ନିର୍ମାଣ ଚାଲିଥିବା ଖଣ୍ଡଗିରି ଫ୍ଲାଏଓଭର ‌୧୮ ମାସରେ ସରିବାର ଥିଲେ ହେଁ ଏବେ ସୁଦ୍ଧା ସରିନି। ଧାର୍ଯ୍ୟ ସମୟଠାରୁ ଅଧିକ ଦୁଇ ମାସ ପରେ ଅଧା କାମ ହୋଇଥିବା ବେଳେ ଫ୍ଲାଏଓଭର କେବେ କାର୍ଯ୍ୟକ୍ଷମ ହେବ, ସେନେଇ ଲୋକ ପ୍ରଶ୍ନ କଲେଣି।

ରାଜଧାନୀର ଅନ୍ୟତମ ବ୍ଲାକସ୍ପଟ୍‌ ଖଣ୍ଡଗିରି ଛକର ଦୁର୍ଘଟଣାଜନିତ ସମସ୍ୟା ସମାଧାନ ପାଇଁ ଏଠାରେ ଫ୍ଲାଏଓଭର ନିର୍ମାଣ ହେଉଛି। ମାର୍ଚ୍ଚ, ୨୦୧୯ରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଏହା ସରିବା କଥା। କିନ୍ତୁ ଏହା ମେ’ ୨୦୨୧ରେ ସରିବ ବୋଲି ଏବେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହୁଛନ୍ତି ।

ଏବେ ଫ୍ଲାଏଓଭର ନିର୍ମାଣ ପାଇଁ ରାତିରେ ୱାନ୍‌ୱେ ଗାଡ଼ି ଯାତାୟାତ କରୁଥିବାରୁ ଅସମ୍ଭାଳ ଜାମ୍‌ ହେଉଛି। ଏପରିକି ଭିଡ଼ ଯୋଗୁଁ ପ୍ରତ୍ୟେକ ଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି।

ଖଣ୍ଡଗିରି ଫ୍ଲାଏଓଭର ବିଳମ୍ବ ହେବା ନେଇ ଏନ୍‌ଏଚ୍‌ଏଆଇର ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡା କହିଛନ୍ତି ଯେ କରୋନା ଜନିତ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍, ସର୍ଭିସ୍‌ ରୋଡ୍‌ ନିର୍ମାଣ ପାଇଁ ପାହାଡ଼ କଟା ହେବା, ଡ୍ରେନ୍‌ ଘୁଞ୍ଚାଇବା, ଘରୋଇ ଜମି ଅଧିଗ୍ରହଣ ଭଳି ସମସ୍ୟା ଯୋଗୁଁ ପ୍ରକଳ୍ପ କାମ ବିଳମ୍ବ ହୋଇଯାଇଛି। ହେଲେ ଆସନ୍ତା ମେ’ରୁ ଜୁନ୍‌ ମଧ୍ୟରେ ଫ୍ଲାଏଓଭର ନିର୍ମାଣ କାମ ଶେଷ ହେବ। ଏବେ ସୁଦ୍ଧା ଫ୍ଲାଏଓଭର୍‌ର ୬୦% କାମ ଶେଷ ହୋଇଛି। ଯେଉଁ କାମ କରିବା ଅଧିକ କଷ୍ଟକର ଥିଲା, ତାହା ଶେଷ ହୋଇଯାଇଛି। ବାକି ୪୦% କାମ ୫ରୁ ୬ମାସରେ ଶେଷ ହୋଇଯିବ। ଏବେ ସୁଦ୍ଧା ଉଭୟପାର୍ଶ୍ବ ସର୍ଭିସ ରୋଡ୍‌, ସବୁର ଫାଉଣ୍ଡେସନ୍ କାମ, ଡ୍ରେନ୍‌, କଲଭର୍ଟ, ଖମ୍ବ ନିର୍ମାଣ, ପିଲାର୍‌ ସଂଯୋଗୀକରଣ କାମ ଶେଷ ହୋଇଛି। ଆପ୍ରୋଚ୍‌ ରୋଡ୍‌ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ ୧୧୫କୋଟି ବ୍ୟୟରେ ନିର୍ମାଣ ହେଉଥିବା ୬ ଥାକିଆ ଏହି ଫ୍ଲାଏଓଭର୍‌ର ଲମ୍ବ ୨.୨୩୦ କିମି ହେବ। ଏହାର ମୁଖ୍ୟପୋଲର ଲମ୍ବ ୧ କିମି ରହିବ। ଆଇଗିଣିଆ ପାର୍ଶ୍ବକୁ ଓ ବରମୁଣ୍ଡା ପାର୍ଶ୍ବକୁ ଆପ୍ରୋଚ୍‌ ରୋଡ୍‌ ମୋଟ୍‌ ୧.୨୩୦ କିମିର ରହିବ। ଏହି ଫ୍ଲାଏଓଭର୍‌ରେ ୬୮ଟି ପିଲାର୍‌ ଓ ୬୬ଟି ସ୍ପାନ୍ ରହିଛି।

ସମ୍ବନ୍ଧିତ ଖବର