ଖଣ୍ଡଗିରିକୁ ଚାରିପଟୁ ବିପଦ

ଖଣ୍ଡଗିରି : ୧୮ ବର୍ଷ ତଳେ ସରକାର ଖଣ୍ଡଗିରିକୁ ସମ୍ପୂର୍ଣ୍ଣ ସଂରକ୍ଷଣ କରିବା ପାଇଁ ଯୋଜନା କରିଥିଲେ। ଏଏସ୍ଆଇ, ପୂର୍ତ୍ତ ବିଭାଗ, ବିଏମ୍‌ସି, ବିଡିଏ, ପର୍ଯ୍ୟଟନ ବିଭାଗ ସମସ୍ତେ ମିଶି ଖଣ୍ଡଗିରିକୁ ସବୁଜ, ସୁନ୍ଦର ଏବଂ ସୁରକ୍ଷିତ କରିବାକୁ ଅଣ୍ଟା ଭିଡ଼ିଲେ। ଖଣ୍ଡଗିରି, ଉଦୟଗିରି ଆମ ଐତିହ୍ୟ ଓ ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ୨ ପାହାଡ଼ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ବନ୍ଦ କରିବା ଓ ତାକୁ ପାଦ ଚଲା ରାସ୍ତାରେ ପରିଣତ କରିବାର ନିଷ୍ପତ୍ତି ନିଆଯାଇଥିଲା। ଲୋକମାନେ ଷ୍ଟାଣ୍ଡରେ ଗାଡ଼ି ପାର୍କିଂ କରି ସ୍ବଚ୍ଛନ୍ଦରେ ଏଠାରେ ବୁଲାଚଲା କରିପାରିବେ। ଏହାଦ୍ବାରା ପ୍ରତିଦିନ ଘଟୁଥିବା ଦୁର୍ଘଟଣାର ଭୟ ଦୂର ହେବା ସହ ଗାଡିମଟର ଯାତାୟାତ ଦ୍ବାରା ଐତିହ୍ୟ ପ୍ରତି ସୃଷ୍ଟି ହୋଇଥିବା ବିପଦର ଆଶଙ୍କାକୁ ଦୂର ହୋଇ ପାରିବ। ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଏହିପରି ଏକ ସୁନ୍ଦର ପରିକଳ୍ପନା କରାଯାଇଥିଲା। ଏପରି ଏକ ପରିକଳ୍ପନାକୁ ସବୁ ମହଲରେ ଭୁରିଭୁରି ପ୍ରଶଂସା ମଧ୍ୟ କରାଯାଇଥିଲା। ହେଲେ ମାସ ପରେ ବର୍ଷ ବିତିଯାଇଥିିଲେ ମଧ୍ୟ ଏହି ପରିକଳ୍ପନା କଳ୍ପନାରେ ହିଁ ରହିଗଲା। ସମୟ ଗଡ଼ିଗଲା, ଯୋଜନାକୁ ବି ସବୁ ବିଭାଗର ଅଧିକାରୀ ଭୁଲିଗଲେ। ୨୦୦୩-୦୪ ଆର୍ଥିକ ବର୍ଷରେ ହୋଇଥିବା ଏହି ଯୋଜନା କାହାର ମନେ ଥିବ କି ନାହିଁ ତାହା ଏବେ ସନ୍ଦେହରେ। ନୂଆ କରି ଆସିଥିବା ଅଧିକାରୀ ଏ ବିଷୟରେ ଜାଣିଥିବୋ କି ନାହିଁ ତାହା ବି ସନ୍ଦେହ।

ଅପରପକ୍ଷରେ ଏହି ଖଣ୍ଡଗିରି ଉଦୟଗିରି ଏକ ସଂରକ୍ଷିତ ଐତିହ୍ୟ ହୋଇଥିବାରୁ କିଛି ବର୍ଷ ପାଇଁ ଏହା ନିକଟ ଦେଇ ଫ୍ଲାଏଓଭର ଭଳି ଯୋଜନା ପାଇଁ ଅନୁମତି ମିଳୁ ନଥିଲା। ପରେ ରାଜଧାନୀର କଳେବର ଖୋର୍ଦ୍ଧା ପର୍ଯ୍ୟନ୍ତ ସଂପ୍ରସାରଣ ହେଲା। ଲୋକ ସଂଖ୍ୟା ବି ବଢ଼ିଲେ। ଖଣ୍ଡଗିରି ଏକ ଦୁର୍ଘଟଣାପ୍ରବଣ ଛକ ହୋଇଥିବାରୁ ଏଏସ୍ଆଇ କର୍ତ୍ତୃପକ୍ଷ ଏହାକୁ ବିଚାର ନେଇ ଫ୍ଲାଏଓଭର ପାଇଁ ଅନୁମତି ଦେଲେ। ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠିଛି ଯେ ଯଦି ଲୋକଙ୍କ ସ୍ବାର୍ଥକୁ ଏବଂ ଭିଡ଼କୁ ଦୃଷ୍ଟିରେ ରଖି ଫ୍ଲାଏଓଭର ତିଆରି ପାଇ ଅନୁମତି ମିଳିଲା, ତେବେ ସମାନ ସମୟରେ ଖଣ୍ଡଗିରି, ଉଦୟଗିରି ପାଇଁ କେଉଁ କେଉଁ ବିକଳ୍ପ ବ୍ୟବସ୍ଥା ଓ ପଦକ୍ଷେପ ନିଆଯାଇ ପାରିବ ସେ ବାବଦରେ ଚିନ୍ତା କରାଯାଇଥିଲା କି ନାହିଁ। ଖଣ୍ଡଗିରି ଉଦୟଗିରିର ବିକାଶ ପାଇଁ ୨୦୦୩-୦୪ ବର୍ଷରେ ଯେଉଁ ମାଷ୍ଟର୍ପ୍ଲାନ ଓ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ତାହା ଫ୍ଳାଏ ଓଭର ହେବାପରେ କିଛି ଅଂଶରେ ବଦଳିଯାଇ ପାରେ। ହେଲେ ଐତିହ୍ୟର ସୁରକ୍ଷାକୁ ଦଷ୍ଟିରେ ରଖି ଯେଉଁ ନୂତନ ପ୍ଲାନ୍ ବିଷୟରେ ଚିନ୍ତା କରିବା କଥା ସେ ନେଇ କାହାର ନିଘା କି ନଜର ମଧ୍ୟ ନାହିଁ। ବର୍ତ୍ତମାନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଏନେଇ ପ୍ରଶ୍ନକଲେ ସେମାନଙ୍କର ୧୮ବର୍ଷ ତଳେ ହୋଇଥିବା ନିଷ୍ପତ୍ତି ବିଷୟରେ ମନେ ନାହିଁ। ବିଏମସି ,ବିଡିଏ କାଗଜପତ୍ର ମଧ୍ୟ ହଜାଇ ଦେଲେଣି। ସେହିପରି ଖଣ୍ଡଗିରି ଉଦୟଗିରି ମଧ୍ୟ ରାସ୍ତା ଦେଇ ଭାରୀଯାନ ଯାତାୟାତ କଲେ ଏହା ଭାଙ୍ଗିଯିବା କିମ୍ବା କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତା ଆମ୍ଭରୁ ଭାରୀଯାନ ଯାତାୟାତ ନକରିବା ପାଇଁ ଏକ ବଡ ବ୍ୟାରିକେଟ୍ର ନିର୍ମାଣ ମଧ୍ୟ ହୋଇଥିଲା। ପରିତାପର ବିଷୟ ଯେ ବ୍ୟାରିକେଟ୍ ମଧ୍ୟ ୫ମାସ ହେବ ଭାଙ୍ଗି ରାସ୍ତା କଡ଼ରେ ପଡ଼ି ରହିଛି। ଏବେ ଭାରୀଯାନଗୁଡ଼ିକ ବିନା ବଧାରେ ଉକ୍ତ ରାସ୍ତାରେ ଯାତାୟାତ କରୁଛନ୍ତି। ଗୋଟିଏ ପଟେ ଫ୍ଲାଏ ଓଭରରେ ଭାରୀଯାନ ଯାତାୟାତ କରୁଥିବା ବେଳେ ଅନ୍ୟ ପଟେ ପୁଣି ଖଣ୍ଡଗିରି ଉଦୟଗିରି ଡବଲରୋଡ୍ରେ ନାହିଁ ନଥିବା ଗହଳି ହେଉଛି। ଭାରୀଯାନ ମଧ୍ୟ ଯାତାୟାତ କରୁଛି।

ଭିଡ଼ କାରଣରୁ ଏବେ ଏହି ଐତିହ୍ୟସ୍ଥଳକୁ ଆସୁଥିବା ପର୍ଯ୍ୟଟକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଭାରୀଯାନ ଯାତାୟାତ ହେଉଥିବାରୁ ବଡ଼ ଦୁର୍ଘଟଣା ଘଟିବା ନେଇ ଆଶଙ୍କା ମଧ୍ୟ ରହିଛି। ରାଜଧାନୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ବାରିକେଟ୍ ଭାଙ୍ଗିଥିଲେ ମଧ୍ୟ କାହା ନଜରକୁ ଆସୁନି। ଏ ନେଇ ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ବଡଗାଡି ଧକ୍କାଦେଇ ବ୍ୟାରିକେଟ୍କୁ ଭାଙ୍ଗି ଦେଇଛି। ଏହାକୁ ସମୟ ଦେଖି ଲଗାଇ ଦିଆଯିବ। ରାସ୍ତରରେ ଭାରୀଯାନ ଚଳାଚଳ, ଖଣ୍ଡଗିରି ଉଦୟଗିରି ପାରିପାଶ୍ବିକ ସୌନ୍ଦର୍ଯ୍ୟକରଣ ନେଇ ସମସ୍ତ ବିଭାଗ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଏନେଇ କେହି ଠୋସ ଉତ୍ତର ଦେଇପାରି ନଥିଲେ।

ଭାରୀଯାନ ଯାତାୟାତ ଐତିହ୍ୟ ପାଇଁ ବିପଦ
ରାସ୍ତାରେ ଭାରୀଯାନ ଯାତାୟାତ, କୋଠା ନିର୍ମାଣ ସମ୍ପୂର୍ଣ୍ଣ ନିଷେଧ। ଐତିହ୍ୟ ସ୍ଥଳର ୫୦୦ ମିଟର ପରିଧି ମଧ୍ୟରେ ଏ ସମସ୍ତ କାର୍ଯ୍ୟ ହୋଇ ପାରିବ ନାହିଁ। ପୂର୍ବରୁ ଏ ବିଷୟରେ ବିଚାର କରାଯାଇ ଐତି୍ୟ ପଛପଟ ସମସ୍ତ ରାସ୍ତା ତିଆରି ହୋଇଛି। ଆବଶ୍ୟକ ସ୍ଥଳେ କେବଳ ବାଇକ ଆରୋହୀଙ୍କୁ ଅନୁମତି ଦିଆଯାଇପାରେ। ହେଲେ ଭାରୀଯାନ ଓ କୋଠ ନିର୍ମାଣ ହେଲେ ତାହା ଐତିହ୍ୟ ପାଇଁ ବିରାଟ ବିପଦ।

ଅନୀଲ ଧୀର, ଗବେଷକ ଓ ଐତହାସିକ

ପୁରାତନ କୀର୍ତ୍ତିର ସୁରକ୍ଷା ପାଇଁ ନିୟମ ମାନିବାକୁ ହେବ
ଐତିହ୍ୟ ସ୍ଥଳରେ ପ୍ରତି କାମ ପାଇଁ ୨୦୧୦ ଆମସାର ଆକ୍ଟ ଅନୁସାରେ କରିବାକୁ ପଡିଥାଏ। ହଜାର ହଜାର ବର୍ଷ ପୁରୁଣା କୀର୍ତ୍ତି ସବୁକୁ ଦୀର୍ଘାୟୁ କରିବା ପାଇଁ ଏହି ନିୟମ ମାନିବାକୁ ହେବ। ବଡ ଗାଡି, ମଟର ଯାତାୟାତ କାରଣରୁ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ଐତିହ୍ୟର ବୟସକୁ କମାଇ ଦିଏ। ତେଣୁ ସର୍ବଦା ଐତିହ୍ୟ ସ୍ଥଳକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଏ। ଏହାର ପ୍ରଭାବ ତୁରନ୍ତ ନପଡିଲେ ମଧ୍ୟ ଐତିହ୍ୟର ଆୟୁଷ କମିଯାଏ।

ଡ. ସୁନୀଲ ପଟ୍ଟନାୟକ, ସଂପାଦକ, ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସିଆ ଗବେଷଣା ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର