ଭୁବନେଶ୍ୱର : ଆଉ ମାତ୍ର ୪ ଦିନ ପରେ ସରିଯିବ ଖଣ୍ଡଗିରି ଯାତ୍ରା ମଉଜ। ଖାସ୍ ଏଇଥି ପାଇଁ କିଛିଦିନ ହେଲା ଫାଙ୍କା ପଡ଼ୁଥିବା ଯାତ୍ରା ପେଣ୍ଡାଲ୍ ସାମ୍ନାରେ ଏବେ ସିଟ୍ଟିଏ ପାଇବା ମୁସ୍କିଲ୍ ହେଲାଣି। ସକାଳୁ ଟିକେଟ୍ କାଉଣ୍ଟର ଆଗରେ ଲମ୍ବା ଲାଇନ୍ ଲାଗୁଛି। ପ୍ରତ୍ୟେକ ପେଣ୍ଡାଲ୍ରେ ସେଇ ରିପିଟ୍ ନାଟକ ଦେଖିବାକୁ ମିଳିଥିଲେ ହେଁ ୭ଟି ପେଣ୍ଡାଲ୍ରେ ଯାତ୍ରା ଚାଲୁଥିବାରୁ କିଛି ଫରକ ପଡ଼ିନି। ନାମୀ ଯାତ୍ରା ଦଳ ଏବଂ ଦାମୀ ଅଭିନେତା ଅଭିନେତ୍ରୀଙ୍କ ଅଭିନୟରେ ମଜୁଛନ୍ତି ଦର୍ଶକ। ଏଥର ଅଧିକାଂଶ କାହାଣୀ ମନଛୁଆଁ ହୋଇଛି ବୋଲି ଭଦ୍ରକରୁ ଖଣ୍ଡଗିରିକୁ ଯାତ୍ରା ଦେଖିବାକୁ ଧାଇଁ ଆସିଥିବା ଯାତ୍ରା ରସିକ ବଳରାମ ଦାସ କହିଛନ୍ତି।
କେବଳ ମହତାବ ପେଣ୍ଡାଲ୍ରେ ତୁଳସୀ ଗଣନାଟ୍ୟକୁ ଛାଡ଼ି ଦେଲେ ଆସନ୍ତାକାଲି ଆଉ କେହି ନାଟକ ପରିବର୍ତନ କରିବେ ନାହିଁ ବୋଲି ସୂଚନା ମିଳିଛି। ତୁଳସୀ ଗଣନାଟ୍ୟ ୩ ଦିନ ଧରି ‘ଲୁହରେ ଲୁହରେ ଲଭ୍ଷ୍ଟୋରି’ ନାଟକ ମଞ୍ଚସ୍ଥ କରି ଆସୁଥିବା ବେଳେ ଆସନ୍ତାକାଲି ‘ରୁଷନା ମୋ ସୁନା ଭଉଣୀ’ ମଞ୍ଚସ୍ଥ କରିବ ବୋଲି ଘୋଷଣା କରିଛି। ତେଣୁ ଯାତ୍ରା ରସିକମାନେ ଜଣାଶୁଣା ଅଭିନେତ୍ରୀ ଜୁଲି ପଣ୍ଡାଙ୍କୁ ଦେଖିବାର ସୁଯୋଗ ପାଇବେ ବୋଲି ସଭାପତି କୃଷ୍ଣଚନ୍ଦ୍ର ଜେନା ଏବଂ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ସୂଚନା ଦେଇଛନ୍ତି। ‘ଇଷ୍ଟର୍ଣ୍ଣ ବ୍ଲୁ’ ଜାଗମରା ମେଳଣ ପଡ଼ିଆରେ ଦ୍ୱିତୀୟ ପର୍ଯ୍ୟାୟରେ ‘ନାରୀ ତୁ କୋଉ ଧାତୁରେ ଗଢ଼ା’ ନାଟକରୁ ଅଭିଯାନ ଆରମ୍ଭ କରିଥିବା ବେଳେ ସେଇ ନାଟକ ହିଁ ରିପିଟ୍ କରିଛି। ବିଶେଷକରି ସଂଜୟ ଭୋଳଙ୍କ ଭୟଙ୍କର ଅଭିନୟ ସାଙ୍ଗକୁ ଲରେନ୍ସ ଓ ଉଷଶୀଙ୍କ ଭଳି ସିନେ ତାରକାଙ୍କୁ ଦେଖିବାକୁ ପ୍ରବଳ ସମାଗମ ହେଉଛି।
ଯାତ୍ରା ଇନ୍ଦ୍ରଭୁବନ ‘ସୁନା ହରିଣୀ’ର ମାୟାରେ ରସିକ ଦର୍ଶକଙ୍କୁ ବାନ୍ଧି ରଖୁଥିବା ବେଳେ ମେଲୋଡ଼ିରେ ଅମିତ ଓ ରୀନାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି। କେସିଏ ପଡ଼ିଆରେ ‘ରଙ୍ଗମହଲ’ ‘ମିଛୁଆ ରାଧୁଆ ଗପ ସରିଲା’ ନାଟକକୁ ରିପିଟ୍ କରିଥିବା ବେଳେ ଅସୀମା ପଣ୍ଡାଙ୍କ ଗୀତରେ ଦର୍ଶକ ଢେର୍ ଝୁମୁଛନ୍ତି। ଶିବାନୀ ଗଣନାଟ୍ୟ ମଧ୍ୟ ‘ରୂପ ରାଇଜର ରାଜକୁମାରୀ’ ନାଟକ ଜରିଆରେ ଦର୍ଶକଙ୍କ ମନ ଜିଣୁଥିବା ବେଳେ ଏହି ନାଟକ ଜାରି ରଖିବ ବୋଲି ସୂଚନା ମିିଳିଛି। କଳିଙ୍ଗ ଗଣନାଟ୍ୟ ‘ରାଧା ହଜିଗଲା ଅଧା ବାଟରେ’କୁ ରିପିଟ୍ କରି ଚାଲିଥିବା ବେଳେ କାହାଣୀ ମନଛୁଆଁ ହୋଇଛି ବୋଲି ଦର୍ଶକମାନେ ପ୍ରତିକ୍ରିୟା ରଖିଛନ୍ତି। ଘାଟିକିଆ ପଡ଼ିଆରେ ସ୍ୱର୍ଣ୍ଣମହଲ ଆଲୁଅରେ ଆଖିଝଲସା ଅନୁଭୂତି ଦେଉଥିବା ବେଳେ ‘ମିଛୁଆ ସ୍ୱାମୀ’କୁ ରିପିଟ୍ କରି ଚାଲିଛି।