ଯଲିଉଡ୍‌ ଜୁଏଲ୍‌ଙ୍କୁ ଝୁରୁଛି ଖଣ୍ଡଗିରି ଯାତ୍ରା ମଞ୍ଚ

ମଞ୍ଚ ଅଛି। ହେଲେ ଦିଶୁନି ବଦ୍‌ମାସ ମୀନକେତନଙ୍କ ବଦମାସୀ। ଶୁଭୁନି ‘ବାଞ୍ଝ ମାଇପଟା ସପନ ଦେଖୁଛି ସାତ ପୁଅ ମା’ ହେବି…ଇଲୋ ହେଇଲୋ…ଭଳି ଅନନ୍ତ ଓଝାଙ୍କ କଲମ ନିଃସୃତ ଦମଦାର୍‌ ସଂଳାପ। ଯାତ୍ରା ମହଲରେ ଅପେରା ରାଣୀ ମୀନାକ୍ଷିଙ୍କ ମନଛୁଆଁ ଅଭିନୟକୁ ନେଇ ଆଉ ହୁରି ପଡ଼ୁନି। ଖଣ୍ଡଗିରି ଯାତ୍ରା ମହାକୁମ୍ଭକୁ ୯ଦିନ ପୂରିଛି ସତ, ହେଲେ ଏତେ ଭିଡ଼ ଭିତରେ ବି ମଞ୍ଚ ଯେମିତି ଖାଁ ଖାଁ ଲାଗୁଛି। ଗତବର୍ଷ ଯେଉଁମାନଙ୍କ ସଂଳାପ ନିସ୍ତବ୍ଧ ରାତିରେ ହଜାର ହଜାର ଦର୍ଶକଙ୍କ ତନମନରେ ରୋମାଞ୍ଚ ଭରୁଥିଲା ଏ ବର୍ଷ ତା’ର ଅଭାବ ବେଶ୍‌ ବାରି ହୋଇ ପଡ଼ୁଛି। ଖଣ୍ଡଗିରି ଯାତ୍ରା ମଇଦାନ ସେମାନଙ୍କୁ ଚାହିଁ ରହିଛି, କିନ୍ତୁ ସେମାନେ ଚାଲି ଯାଇଛନ୍ତି ଏକ ଅଫେରା ରାଇଜକୁ।
ଏହାକୁ ନେଇ ସତ୍ୟନାରାୟଣ ରାଉତରାୟଙ୍କ ସ୍ୱତନ୍ତ୍ର ଆଲେଖ୍ୟ।

ସଚ୍ଚିଦାନନ୍ଦମ୍‌ ନାହିଁ କି ମୀନକେତନ ନାହାନ୍ତି

କିଏ କହେ ମୀନ। କିଏ କହେ ମୀନକେତନ। ହେଲେ ଜଣଙ୍କ ମୁହଁରେ ଭାରି ଭଲଲାଗେ ‘ବଦମାସ ମୀନକେତନ’। ଗତବର୍ଷ ଠିକ୍‌ ଏତିକିବେଳେ ତଳେ ଯାତ୍ରା ମଂଚରେ ଚର୍ଚ୍ଚାରେ ଥିଲା ‘ବଦ୍‌ମାସ ମୀନକେତନ’ ନାଟକର ଏଇ ସଂଳାପ। ଯାତ୍ରା ସଚ୍ଚିଦାନନ୍ଦମ୍‌ରେ ତାଙ୍କ ନିର୍ଦେଶିତ ଓ ଅଭିନୀତ ଏହି ନାଟକ ଦେଖିବା ପାଇଁ ଟିକେଟ୍‌ କାଉଣ୍ଟର ଆଗରେ ଲାଗୁଥିଲା ଲମ୍ବା ଲାଇନ୍‌। ଖଣ୍ଡଗିରି ଯାତ୍ରା ପଡ଼ିଆରେ ଯାହାଙ୍କ କର୍କଶ ହାଃ ହାଃ ଛାତି ଥରାଇ ଦେଉଥିଲା, ଠିକ୍‌ ଯାତ୍ରା ସରୁସରୁ ତାଙ୍କୁ କାଳ ଭଳି ବେଢ଼ିଯାଇଥିଲା ବଡ଼ ରୋଗଟା। ତା ପରର ଘଟଣା କାହାକୁ ଅଛପା ନାହିଁ। ଜୁନ୍‌ ୩୦ ତାରିଖ ବିଳମ୍ବିତ ରାତିରେ ତାଙ୍କର ଅକାଳ ବିୟୋଗ ପରେ ଯଲିଉଡ୍‌ ସ୍ତବ୍ଧ ହୋଇଯାଇଥିଲା। ଆଜି କଳିଙ୍ଗ ମଞ୍ଚ ଅଛି ସତ କିନ୍ତୁ ଏଥର ସେଇ ମଞ୍ଚରେ ସଚ୍ଚିଦାନନ୍ଦମ ନାହିଁ କି ସେ ବି ନାହାନ୍ତି। ଯେମିତି ମୀନକେତନଙ୍କ ବିନା ଏଥର ଖଣ୍ଡଗିରି ଯାତ୍ରା ଦୁନିଆ ସଚ୍ଚିଦାନନ୍ଦମଙ୍କୁ ଡାକି ଆଣିପାରିନି।

ମୀନାକ୍ଷୀଙ୍କ ବିନା ‘କାହାଣୀ କାନ୍ଦିଲା…

ଘାଟିକିଆ ମଞ୍ଚରେ ବାଘାଯତୀନ ଲୋକନାଟ୍ୟ ଭେଟି ଦେଇଥିଲା ତା’ର ବହୁ ଚର୍ଚିତ ନାଟକ ‘କାହାଣୀ କାନ୍ଦୁଚି ଆଖି ଲୁଚେଇ’। ମାତ୍ର ଏଥିରେ ଯିଏ ନାୟକ ବାପି ପଣ୍ଡାଙ୍କ ନାୟିକା ଭୂମିକାରେ ଅଭିନୟ କରିଥାଆନ୍ତେ ତାଙ୍କୁ ଏଥର ଯାତ୍ରା ମଞ୍ଚରେ ଦେଖିବାକୁ ମିଳିନାହିଁ। ଗତବର୍ଷ ଅଗଷ୍ଟ ୧୩ ତାରିଖରେ ଏହି ନାୟିକା ସସ୍ମିତା ଖଟୁଆ ଓରଫ୍‌ ମୀନାକ୍ଷୀ ଶୌଚାଳୟକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଫଳରେ ଏଥର ଖଣ୍ଡଗିରିର ଯାତ୍ରା ପେଣ୍ଡାଲ୍‌ରେ ସେଇ ନାଟକ ମଞ୍ଚସ୍ଥ ହେଉଥିଲେ ହେଁ ଏଥିରେ ଆଉ ମୀନାକ୍ଷୀ ନଥିଲେ।

ଅଧାରେ ରହିଗଲା ଅନନ୍ତଙ୍କ ‘ଛଅ ମାଣ ଆଠ ଗୁଣ୍ଠ’

କେତେଜଣ କହୁଛନ୍ତି ମୁଁ କାଳେ କେନ୍ଦ୍ରାପଡ଼ାର ଏମ୍‌ଏଫ୍‌ ହୁସେନ୍‌ ହେବାକୁ ଚେଷ୍ଟା କରିଛି। ବାସ୍ତବରେ ମୁଁ ସେମିତି କିଛି ହେବାକୁ ଚାହିଁନି। ମୋ’ର କେବଳ ଗୋଟିଏ ଇଚ୍ଛା, ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ଅନନ୍ତ ଓଝା ହୋଇ ବଞ୍ଚିବାକୁ ଚାହେଁ…। ନାଟ୍ୟ ଜଗତର ଭୀଷ୍ମ ପିତାମହ ନାଟ୍ୟକାର ତଥା ନିର୍ଦେଶକ ଅନନ୍ତ ଓଝା ଦିନେ ଏକ ଟିଭିକୁ ସାକ୍ଷାତକାର ଦେବା ବେଳେ ଏମିତି କହି ପକାଇଥିଲେ। ଗତବର୍ଷ ଏଇ ଖଣ୍ଡଗିରି ଯାତ୍ରା ପଡ଼ିଆରେ ତାଙ୍କ ରଚିତ କୋଣାର୍କ ଗଣନାଟ୍ୟର ‘ମାଇଚିଆ ଗୋଖେଇ ସାହୁ’ ଏବଂ ତୁଳସୀ ଗଣନାଟ୍ୟର ‘ଆଖି ତୁ କାନ୍ଦେନା’ ବାରମ୍ବାର ରିପିଟ୍‌ ହୋଇ ଦର୍ଶକଙ୍କ ମନ ହରଣ କରିଥିବା ବେଳେ ଆଜି ତାଙ୍କର ଅଭାବ ବାରି ହୋଇପଡ଼ୁଛି। କେବଳ ଦର୍ଶକ ନୁହନ୍ତି କଳାକାର, ନିର୍ଦେଶକମାନେ ବି ତାଙ୍କୁ ଭାଳି ହେଉଛନ୍ତି। ୧୫୦ରୁ ଊର୍ଧ୍ୱ ନାଟକ ରଚନା ସହ ୫୦ ନାଟକରେ ନିର୍ଦେଶନା ଦେଇଥିବା ଅନନ୍ତ ଓଝାଙ୍କୁ ‘ମୋ ପେଁକାଳି ବଜେଇ ଦେ’, ‘ବିଦେଶିନୀ’, ‘ବନ୍ଧା ପଡ଼ିଛି ମୋ ବାହା ମୁକୁଟ’, ‘ଫୁଲ ବଉଳବେଣୀ’ ଏବଂ ‘ମୁଇଁ ସମ୍ବଲପୁରୀ ନନୀ’ ଭଳି ପ୍ରତ୍ୟେକ ନାଟକ ଯାତ୍ରା ଜଗତରେ ଉତ୍ତୁଙ୍ଗ ପୁରୁଷ ସଜେଇଥିଲା। ହେଲେ ୨୦୧୮ର ନୂଆ ସୂର୍ଯ୍ୟ ଦେଖିବା ପୂର୍ବରୁ ୨୦୧୭ ଡିସେମ୍ବର ୩୧ରେ ସେ ଆରପୂରକୁ ଚାଲିଗଲେ। ତେଣୁ ଫକୀରମୋହନ ସେନାପତିଙ୍କ କାଳଜୟୀ ରଚନା ‘ଛ ମାଣ ଆଠ ଗୁଣ୍ଠ’କୁ ଯାତ୍ରାରେ ରୂପାନ୍ତରିତ କରି ଖଣ୍ଡଗିରିରେ ଉତାରିବାକୁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ସବୁଦିନ ପାଇଁ ତାହା ଅଧୁରା ରହିଗଲା।

ସମ୍ବନ୍ଧିତ ଖବର