ରଙ୍ଗବୋଳା ମୁହଁ ପଛର ମରମ କଥା: ଅନ୍ତର କାନ୍ଦୁଥିଲେ ବି ମଞ୍ଚରେ ହସାଇଛୁ

ଭୁବନେଶ୍ବର: କେ‌ହି କେବେ କ’ଣ ଦୁଃଖରେ ହସିପାରେ? ଅନ୍ତରର‌ ଅଦେଖା କୋହକୁ ଚାପି, ଠୋ ଠୋ ହସାଇପାରେ? ହଁ, ପାରେ। କେହି ପାରୁ କି ନପାରୁ, ଅନ୍ତତଃ କଳାକାରଟିଏ ତ ନିଶ୍ଚୟ ପାରେ। ମଶାଣିରେ ନିଜ ମା’ ମୁହଁରେ ନିଆଁ ଦେଇ ଆସିଥିବା ଯାତ୍ରା କଳାକାରଟିଏ ବି ମଞ୍ଚରେ ଜୋକର ସାଜି ହସାଇବାର ସାହସ ଜୁଟାଇପାରେ। ଯେବେ ରାତି ଗାଢ଼ ହୁଏ, ସେତିକି ବେଳେ ସେମାନେ ମୁହଁରେ ରଙ୍ଗ ମାଖି ରଙ୍ଗମଞ୍ଚକୁ ଓହ୍ଲାନ୍ତି। ତାଙ୍କ କୌତୁକିଆ କଥାରେ ‌ଦର୍ଶକେ ହସି ହସି ଗଡ଼ି ଯାଆନ୍ତି। ମଞ୍ଚ ଉପରେ ତାଙ୍କ ଚରିତ୍ର ଦେଖି ଅନେକ ଭାବନ୍ତି, ସତେ କେଡ଼େ ହସକୁରା ମଣିଷଟିଏ। ମଣିଷ ମାତ୍ରକେ ତ ଦୁଃଖ ଥାଏ। କିନ୍ତୁ ଫରକ ଏତିକି ଯେ ତାଙ୍କ ଦୁଃଖ ଓ କୋହ ‘ରଙ୍ଗ ପାଉଡର’ ତଳେ କବର ନେଇଯାଏ। ସଂପ୍ରତି ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଚାଲିଥିବା ବେଳେ ଆମେ ଭେଟିଥିଲୁ ଯାତ୍ରା ଜଗତର ଦୁଇ ଲୋକପ୍ରିୟ ହାସ୍ୟ ଅଭିନେତାଙ୍କୁ। ସାଉଁଟିଥିଲୁ ସେ ଭୁଲି ପାରୁ ନଥିବା ସେଇ ଅଭୁଲା କଥାକୁ।

ଦିନେ ସାତଶଙ୍ଖ ଅପେରାର ବ୍ରାଣ୍ଡ୍‌ ପାଲଟି ଯାଇଥିବା ଜଗା ରାଉତ ଯାତ୍ରା ଦର୍ଶକଙ୍କ ମଧ୍ୟରେ ଏକ ପରିଚିତ ନାଁ। ସଂପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିବା ଜଗାଙ୍କ ଗାଲରେ ଭାତୁଡ଼ି, ଜିଭ ଅଗରେ ଅସଜଡ଼ କଥା ଓ ଛୋଟେଇ ଚାଲିବାର ଦୃଶ୍ୟ ଯେ କେହି ବି ଦେଖିଛି ସେ ହସିହସି ବେଦମ ହୋଇଛି। ମାତ୍ର ଯାତ୍ରା ପାଇଁ ଜଗାଙ୍କୁ ଛାଡ଼ିବାକୁ ପଡ଼ିଥିଲା ନିଜ ପୈତୃକ ଘର। ଯାତ୍ରାରେ ଅଭିନୟର ନିଶା ଏତେ ଘାରିଲା ଯେ ସବୁ କିଛି ଛାଡ଼ି ପଳାଇ ଆସିଥିଲେ। ୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ। ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଲେ। ଅଭିନୟରେ ବିଭୋର କରୁଥିବା ଜଗା ରାଉତଙ୍କ ଜୀବନରେ ବି ଆସିଥିଲା ସେମିତି ଏକ ଅଦିନିଆ ଝଡ଼। ସାତଶଙ୍ଖ ଅପେରାର ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’ ନାଟକରେ ସେ ଏକ ସ୍ଥାନରେ କମେଡିଆନ ହାବିଲଦାର ଭୂମିକାରେ ଅଭିନୟ କରୁଥା’ନ୍ତି। ଖବର ଆସିଲା ଯେ ତାଙ୍କ ବଡ଼ ଭାଇଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ତୁରନ୍ତ ସେ ଭାଇ ପାଖକୁ ଯାଇ ଶବ ବ୍ୟବଚ୍ଛେଦ କରାଇଲେ। ଦୁଃଖରେ ମ୍ରିୟମାଣ ଜଗା ଯାତ୍ରା ମାଲିକଙ୍କୁ କହିଲେ, ମୁଁ ଆଜି ଅଭିନୟ କରିପାରିବିନି। ହେଲେ ମଶାଣି ପାଖରେ ଯାତ୍ରା ମାଲିକ ପହଞ୍ଚି କହିଲେ, ତୁ ଯଦି ଆଜି ରାତିରେ ଅଭିନୟ ନ କରିବୁ ଦର୍ଶକ ମୋର ସବୁ ଜିନିଷ ପୋଡ଼ି ଦେବେ। ତେଣୁ କାନ୍ଧରେ ସେଇ ଓଦା ଗାମୁଛା ଖଣ୍ଡକୁ ପକାଇ ସେ ବାଧ୍ୟ ହୋଇ ମଞ୍ଚ ଅଭିମୁଖେ ଆସିଲେ। ଗୋଟେ ପଟେ ଭାଇର ଜୁଇ ନିଆଁ ଜଳୁଥିଲା, ଅନ୍ୟପଟେ ସେ ମଞ୍ଚରେ କମେଡିଆନ ଭୂମିକାରେ ଦର୍ଶକଙ୍କୁ ହସାଉଥିଲେ। ନିଜ ମା’ ମରିଯିବା ବେ‌ଳେ ମଧ୍ୟ ମା’ଙ୍କୁ ସ୍ବର୍ଗଦ୍ବାର ପଠେଇ ଦେଇ ମଞ୍ଚରେ ପାଦ ଥାପିଥିଲେ କମେଡି କିଙ୍ଗ୍‌ ଜଗା ରାଉତ। ଦୀର୍ଘ ୬୨ ବର୍ଷ ଧରି ମନୋରଂଜନ ବାଣ୍ଟୁଥିବା ଜଗା ଜୀବନରେ ଅନେକ କିଛି ହରାଇଛନ୍ତି। ମାତ୍ର ସେଥିରେ ତାଙ୍କର ଅବସୋସ ନାହିଁ। ସେ କୁହନ୍ତି, ଲୋକେ ତାଙ୍କ ଅଭିନୟ ଦେଖି ହସିଦେ‌ଲେ କୁଆଡ଼େ ‌ସବୁ ଦୁଃଖ ତାଙ୍କର ଲାଘବ ହେଇଯାଏ।

ଯାତ୍ରା ଜଗତର ଆଉ ଜଣେ କମେଡି ମହାରଥୀ ହେଉଛନ୍ତି ସଂପ୍ରତି ଯାତ୍ରା ‘ମାୟାନଗରୀ’ରେ ଅଭିନୟ କରୁଥିବା ରବି ଶତପଥୀ। ଦିନେ ସେ ଥିଲେ ଜଣେ ପାଲା ଗାୟକ। ତାଙ୍କ ବାପା ଚାହୁଁଥିଲେ ରବି ଜଣେ ଭଲ ପାଲା ଗାୟକ ହେଉ। ମାତ୍ର ରବି ଘର ଛାଡ଼ି ଅପେରା ପାର୍ଟିକୁ ପଳାଇ ଆସିଥିଲେ। ୧୯୭୭ରେ ପ୍ରଭାକର କରଶର୍ମାଙ୍କ ସହ ଯାତ୍ରା ଜଗତକୁ ଆସି ଗୀତ ଗାଇବା ସହ ନାଚୁଥିଲେ। ପରେ ଛୋଟମୋଟ ଅଭିନୟ କଲେ। ଦିନେ ଅଭିନୟରୁ ରୋଜଗାର କରିଥିବା ୨୦ଟା ୧୦ ଟଙ୍କିଆ ନୋଟ୍‌ ନେଇ ବାପାଙ୍କୁ ଧରେଇବାରୁ ବାପା କହିଲେ, କିରେ କୋଉଠୁ ଚୋରି କରିଛୁ। ଏତେ ପଇସା କୋଉଠୁ ଆଣିଲୁ? ଯେମିତି ବାପା ବୁଝିବାକୁ ପ୍ରସ୍ତୁତ ନଥିଲେ। ମାତ୍ର ଯେବେ ପୁଅର ଅଭିନୟ ଦେଖି ‌ଦର୍ଶକ ତାଳି ମାରୁଛନ୍ତି ବୋଲି ଶୁଣିଲେ, ପାରାଦୀପରେ ଚାଲିଥିବା ‘ବାଃ ବାଃରେ ଆମେରିକା’ ନାଟକ ଯାଇ ଦେଖିଲେ। ଲୋକେ ହସିହସି ବେଦମ ହେଉଥିଲେ ହେଁ ରବିଙ୍କ ବାପା ହସି ପାରୁନଥିଲେ। ବରଂ ଘରକୁ ଆସି ରବିଙ୍କ ମା’ଙ୍କୁ କହିଲେ, ବୁଝିଲୁ ଟୋକାଟା କ’ଣ କରୁଛି ଯେ ଲୋକେ ତାଳି ମାରୁଛନ୍ତି। କିନ୍ତୁ ମତେ ଭାରି ଲାଜ ଲାଗୁଛି। ଏବେ ରବିଙ୍କ ବାପା ନାହାନ୍ତି। ହୁଏତ ସେ ଏବେ ଥିଲେ ଜାଣିଥାଆନ୍ତେ ଯେ ସେଦିନ ବର୍ଷକୁ ୨ଶହ ଟଙ୍କା ରୋଜଗାର କରୁଥିବା ତାଙ୍କ ପୁଅ ଏବେ ବର୍ଷକୁ ୧୫ରୁ ୧୭ଲକ୍ଷ ଟଙ୍କା ରୋଜଗାର କରୁଛି। ଲକ୍ଷଲକ୍ଷ ହୃଦୟରେ ରବି ଶତପଥୀ ଯାତ୍ରା କମେଡିର ଏକ ବ୍ରାଣ୍ଡ ହୋଇଯାଇଛି।

ସମ୍ବନ୍ଧିତ ଖବର