ସରିଲା ଯାତ୍ରା ମହାକୁମ୍ଭ

ଭୁବନେଶ୍ବର : ସରିଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ଶେଷ ରାତିରେ ନୂଆ ନାଟକ ସହ ବିଦାୟ ନେଇଛନ୍ତି ଯାତ୍ରା ଦଳ। କିଛିଦିନ ଧରି ଯାତ୍ରା ରସିକଙ୍କୁ ଟାଣୁଥିବା କୋଳାହଳମୟ ଖଣ୍ଡଗିରି ଏଣିକି ନିରବ ପାଲଟିବ। ପ୍ରକୃତ ମେଳା ସରି ଯାଇଥିଲେ ମଧ୍ୟ ଯାତ୍ରା ମଂଚସ୍ଥ ହେଉଥିବାରୁ ମେଳାରେ ବିକ୍ରିବଟା ଏବଂ ଯାତ୍ରା ଦେଖା ଜମିଥିଲା। ଆଜି ମେଳାର ଶେଷ ଦିନ ଥିବାରୁ ଅପରାହ୍‌ଣରୁ ଭିଡ଼ ଦେଖିବାକୁ ମିଳିଥିଲା। ମୀନାବଜାର ବୁଲା ସହ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ରାତିରେ ଯାତ୍ରା ଦେଖିବା ପାଇଁ ମଧ୍ୟ ପ୍ରବଳ ସମାଗମ ହୋଇଥିଲା।

ଏଥର ଯାତ୍ରାକୁ ନେଇ ଚର୍ଚ୍ଚା ନାହିଁ

ବିଗତ ବର୍ଷମାନଙ୍କରେ କିଛି ନିର୍ଦିଷ୍ଟ ସଂଳାପ ଏବଂ କାହାଣୀକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏଥର କିନ୍ତୁ ସେମିତି ଚର୍ଚ୍ଚିତ ସଂଳାପ ଆଉ କେହି ଉଚ୍ଚାରଣ କରିବା ଦେଖିବାକୁ ମିଳୁନାହିଁ। କୌଣସି କାହାଣୀକୁ ନେଇ ମଧ୍ୟ ଆଉ ଚର୍ଚ୍ଚା ହେଉନାହିଁ। ସେହିପରି କିଛି ବଲିଉଡ୍‌ ଓ ଓଲିଉଡ୍‌ର ଅଭିନେତ୍ରୀଙ୍କୁ ଯାତ୍ରା ମଂଚକୁ ଆଣିଥିଲେ ଯାତ୍ରା କମିଟି ଓ ମାଲିକ। ଏହି ବଳରେ ଅନେକ ନୂଆ ଦର୍ଶକଙ୍କୁ ଯାତ୍ରା ଦର୍ଶକ ମଂଚକୁ ଟାଣିବାକୁ ସଫଳ ହୋଇଥିଲେ। ଏଥର କିନ୍ତୁ କେବଳ ଯାତ୍ରା ଦର୍ଶକଙ୍କୁ ହିଁ ମଂଚ ସାମ୍ନାରେ ଦେଖିବାକୁ ମିଳିଛି। ପୂର୍ବଥର ଅତିରିକ୍ତ ଅର୍ଥ ଦେଇ ବଲିଉଡ୍‌ ଓ ଓଲିଉଡ୍‌ ସେଲେବ୍ରିଟିଙ୍କୁ ମଂଚକୁ ଆଣିଥିବା କମିଟି ଏଥର ଆଉ ସେମିତି କରିବାକୁ ମନ ବଳେଇ ନାହାନ୍ତି।

ପୁଣି ଆରବର୍ଷକୁ 

ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ମେଳା ଓ ଯାତ୍ରା ଶେଷ ହୋଇଥିବା ବେଳେ କିଛି ମଧୁର ଓ ତିକ୍ତ ଘଟଣା ସହ ଏହି ମହୋତ୍ସବର ପରଦା ନଇଁଛି। ଯାତ୍ରା ମଂଚରେ ମୁମ୍ବାଇ ଓ ଋଷିଆର ନୃତ୍ୟଶିଳ୍ପୀଙ୍କୁ ଓଡ଼ିଆ ଗୀତରେ ନୃତ୍ୟ ପରିବେଷଣ କରୁଥିବା ଦେଖି ଦର୍ଶକ ବିଭୋର୍‌ ହୋଇଥିବା ବେଳେ କିଛି ନାଟକ ଲୋକଙ୍କୁ ରାତି ପାହିବା ଯାଏଁ ମଂଚ ସାମ୍ନାରେ ଅଟକାଇ ପାରିଥିଲା। ମାତ୍ର ଶେଷ ଭାଗରେ ଯାତ୍ରାକୁ ନେଇ ବିବାଦ ଉପୁଜିଥିଲା। ଛତିଶଗଡ଼ ଆଇଟମ୍‌ ନୃତ୍ୟଶିଳ୍ପୀ ରାନୀ ଯାତ୍ରା ମଞ୍ଚରେ ଉତ୍ତେଜକ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିଲେ। ଏମିତିକି ଏ ବାବଦରେ ଖଣ୍ଡଗିରି ଥାନା ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା।

ସମ୍ବନ୍ଧିତ ଖବର