ସୀମା ଟପିଲା ଯାତ୍ରାରେ ଅଶ୍ଳୀଳତା

ବୁର୍ଖା, ଶାଢ଼ି ପିନ୍ଧି ନାଚିବି?

ଭୁବନେଶ୍ବର : ଦର୍ଶକଙ୍କ ମନୋରଂଜନ କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ। ଯଦି ଗୋଟେ ପ୍ଲେଟ୍‌ରେ ଭାତ, ଡାଲି, ତରକାରି ସାଙ୍ଗକୁ ଚଟଣି ଥାଏ, ତେବେ ମୁଁ ହେଉଛି ସେଇ ଚଟଣି। ‌ଲୋକ ମତେ ଏମିତି ଲୋଡ଼ୁଥିବାରୁ ମୁଁ ଏମିତି ନାଚୁଛି ବୋଲି ଦମ୍ଭୋକ୍ତି କରିଛନ୍ତି ନୃତ୍ୟଶିଳ୍ପୀ (ଆଇଟମ୍‌ ଡ୍ୟାନ୍ସର) ରାନୀ। ଶନିବାର ଯାତ୍ରା ମଞ୍ଚରେ ରାନୀଙ୍କ ଅଙ୍ଗ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜି ‘କନକ ନ୍ୟୁଜ୍‌’କୁ ସାକ୍ଷାତକାର ଦେଇ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ଶନିବାର ନୃତ୍ୟ ପରିବେଷଣ ପରେ ମଂଚ ତଳକୁ ଆସି ଜଣେ ଦର୍ଶକଙ୍କ କାନକୁ କାମୁଡ଼ିବା ଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏ ଘଟଣା ବାବଦରେ ମତ ରଖି ସେ କହିଛନ୍ତି, ମୁଁ ସେହି ଦର୍ଶକଙ୍କ କାନକୁ ଜୋର୍‌ରେ କାମୁଡ଼ି ନଥିଲି। ବରଂ ତାହା ଥିଲା ମୋ ପ୍ୟାର୍‌ ଭରା କିସ୍‌। ସେ ଏକଥା ବି କହିଲେ, ଲୋକେ ଯଦି ମତେ ବୁର୍ଖା କି ଶାଢ଼ି ପିନ୍ଧି ନାଚିଲେ ଗ୍ରହଣ କରିବେ ତାହେଲେ ବି ମୁଁ ପ୍ରସ୍ତୁତ ଅଛି। ମୁଁ ସେକ୍ସ ରାକେଟ୍‌ରେ ଧରାପଡ଼ିନି କି କାହାକୁ ହତ୍ୟା କରିନାହିଁ। କିନ୍ତୁ ମତେ ‌ଏବେ ସେମିତି ବ୍ୟବହାର କରାଯାଉଛି। ସେ ଏକଥା ବି କହିଛନ୍ତି ‌ଯଦି ମତେ କେହି ଓଡ଼ିଶାର ସନି ଲିଓନି ନାଁରେ ଡାକେ ତାହେଲେ ବି ମୁଁ ଖୁସି ହେବି। ଯଦି କେହି ହେଲେନ୍‌ କିମ୍ବା ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରୁଛି ତେବେ ବି ମୁଁ ଖୁସି। ମତେ ଯିଏ ଯାହା ଡାକୁ ମୋର କିଛି ବି ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଖଣ୍ଡଗିରି ଯାତ୍ରା ପଡ଼ିଆରେ ଯାତ୍ରା ସଚ୍ଚିଦାନନ୍ଦମ୍‌ରେ ଗତ ଶନିବାର ରାତିରୁ ରାନୀ ଜଣେ ଦର୍ଶକଙ୍କ କାନକୁ କାମୁଡ଼ିବା ଦୃଶ୍ୟ ଭାଇରାଲ୍‌ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା। ଏହି ଘଟଣା ପରେ କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏପଟେ ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ଡିସିପିଙ୍କୁ ଦାବିପତ୍ର

ଭୁବନେଶ୍ବର : ଖଣ୍ଡଗିରି ମେଳା ଅବସରରେ ଚାଲିଥିବା ଯାତ୍ରାରେ ଅଶ୍ଳୀଳତା ସୀମା ଲଙ୍ଘିଛି। ରେକର୍ଡ ଡ୍ୟାନ୍ସ ବେଳେ ଉଲଗ୍ନ ନୃତ୍ୟ କରିବା ସହ ଗ୍ୟାଲେରି ଭିତରେ ପଶି ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେଇଥିବା ନର୍ତ୍ତକୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଆଜି ଓଡ଼ିଶା ନାରୀ ସଚେତନ ମଞ୍ଚ ପକ୍ଷରୁ ୧୦ଜଣ ମହିଳା ଡିସିପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ପୃକ୍ତ ନର୍ତ୍ତକୀଙ୍କ ବିରୋଧରେ ଆପରାଧିକ ଦଫାରେ ମାମଲା ରୁଜୁ କରି ତାଙ୍କୁ ଓ ପାର୍ଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚ ଦାବି କରିଛି। ତେବେ ଏ ନେଇ ପୁଲିସ କମିସନର ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇ ସାରିଥିବା ଡିସିପି କହିଛନ୍ତି। ପୁଲିସ କମିସନର୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯାତ୍ରା ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ନିୟୋଜିତ କରାଯାଇଛି। ସମ୍ପୃକ୍ତ ମାଲିକଙ୍କ ସମେତ ନର୍ତ୍ତକୀଙ୍କୁ ମଧ୍ୟ ନୋଟିସ୍‌ କରାଯାଉଛି। ଆଗକୁ ଯେଭଳି ଅଶ୍ଳୀଳତା ନ ରହିବ, ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଯୋଜନା ହେଉଛି। ଏହାକୁ ବନ୍ଦ କରିବା ପୁଲିସ କ୍ଷମତା ପରିଧୀରେ ଆସୁଛି କି ନାହିଁ, ତାହା ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର