ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପରଦା ନଇଁଲା : ଅପେକ୍ଷା ଆର ବରଷକୁ…

ଆଉ ଶୁଭିବନି ଲହରିଆ ସଂଳାପ। ଖଣ୍ଡଗିରି ଐତିହ୍ୟ କୋଳରେ ଆଉ ଜମିବନି ହାଉଜାଉ ଭିଡ଼। କାଲିଠୁ ରାତିରେ ପୁଣି ଛାଇଯିବ ନିରବତା। ନିଜ ଘରକୁ ବାହୁଡ଼ିଯିବେ କୁଣିଆ। ଖଣ୍ଡଗିରି କୁମ୍ଭମେଳାରୁ ନେଇ ଯାତ୍ରା ମହାକୁମ୍ଭ ପର୍ଯ୍ୟନ୍ତ ପ୍ରାୟ ୧୬ଦିନର ଯାତ୍ରା ପରେ ଚଳିତ ବର୍ଷର ଏହି ମହା ଉତ୍ସବରେ ଟାଣି ହୋଇଛି ଯବନିକା।

ଖଣ୍ଡଗିରି ମେଳା ପରିସରରେ ଆଜି ଲୋକାରଣ୍ୟ ପାଲଟିଥିଲା। ରବିବାର ‌ଛୁଟିଦିନକୁ ଶେଷ ଦିନ। ତେଣୁ ଖଣ୍ଡଗିରି ମେଳାର ସ୍ପର୍ଶ ପାଇବାକୁ କାହିଁ ସହରରୁ ଉପକଣ୍ଠ, ସବୁଠୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ। ଅପରାହ୍‌ଣ ବେଳକୁ ଭିଡ଼ ଯେମିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। କିଣାବିକା ଧୁମ୍‌ ଚାଲିଥିଲା। ଆଜିକାଲିର ଦୁନିଆରେ ସବୁ ଘର ପାଖରେ ମିଳି ଯାଉଥିଲେ ହେଁ ମେଳା ଯେମିତି ହାତଠାରି ଡାକି ନେଇଥିଲା କିଣାକିଣି କରିବାକୁ। କିଏ ଟାଟୁ ଆଙ୍କିବାରେ ମଜି ଯାଇଥିଲା ତ କିଏ ଘରକରଣା ସାମଗ୍ରୀ କିଣିବାରେ ବ୍ୟସ୍ତ ଥିଲା। ଝିଅମାନେ ଚୁଡ଼ି ଓ ଅଳଙ୍କାର କିଣାରେ ବୁଡ଼ି ରହିଥିଲେ ତ ଆଉ କେଉଁଠି ଆଚାର, ବଡ଼ି କିଣିବାକୁ ଭିଡ଼ ଜମିଥିଲା। କୋଉଠି ଟୋକାମାନେ ଉଷୁମ ମଟର ସୁପର ମଜା ନେଉଥିଲେ ତ ଆଉ କିଏ ଝାଲ ବାରମଜାର ମଜା ନେଉଥିଲା।

କଳାକାରଙ୍କୁ ସମ୍ବର୍ଧନା

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ମହତାବ ପେଣ୍ଡାଲରେ ମହତାବ ସାଂସ୍କୃତିକ ପରିଷଦ ନିଜର ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖିଥିଲା। କଳା ପ୍ରଦର୍ଶନ କରି ଲକ୍ଷଲକ୍ଷ ଦର୍ଶକଙ୍କ ମନୋରଂଜନ କରିଥିବା କଳାକାରଙ୍କୁ ଶ୍ରଦ୍ଧାରୁ ସ୍ବୀକୃତି ଦେବା ପାଇଁ ପରିଷଦ ପକ୍ଷରୁ ଆଜି ସମ୍ବର୍ଧନା ପର୍ବ ଆୟୋଜିତ ହୋଇଥିଲା। ବିଧାୟକ ‌ଅନନ୍ତ ନାରାୟଣ ଜେନା, ପୂର୍ବତନ କର୍ପୋରେଟର ଅଶ୍ବିନୀ ସୁନ୍ଦରାୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା ଓ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ଉପସ୍ଥିତ ରହି ଅପେରା ‘ସ୍ବର୍ଣ୍ଣମହଲ’ ପରିବାର ତଥା କିଛି କଳାକାରଙ୍କୁ ସମ୍ବର୍ଧିତ କରିଥିଲେ। ବିଶେଷକରି ନୃତ୍ୟରେ ‘ନିର୍ଭୟା’ କଥାବସ୍ତୁକୁ ବେଶ୍‌ ଭାବସ୍ପର୍ଶୀ ଢଙ୍ଗରେ ଉପସ୍ଥାପନ କରି ଦର୍ଶକଙ୍କଠାରୁ ଭରପୂର ପ୍ରଶଂସା ପାଇଥିବା ସ୍ବର୍ଣ୍ଣମହଲର ନୃତ୍ୟ ସଂଯୋଜକ ମାଷ୍ଟର ଗଙ୍ଗାଧରଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ମଧ୍ୟ ପୂଜ୍ୟପୂଜାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲେ ହେଁ ଚଳିତ ବର୍ଷ ଏହା କୌଣସି କାରଣ ଯୋଗୁଁ ହୋଇପାରିନାହିଁ ବୋଲି ସମ୍ପାଦକ ମହେନ୍ଦ୍ର କୁମାର ଗୁରୁ କହିଛନ୍ତି। ତେବେ ଦର୍ଶକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ଅନେକ ଦର୍ଶକ ପ୍ରଶଂସା କରିଛନ୍ତି।

ପୁଲିସ ଓ ପ୍ରଶାସନକୁ ଧନ୍ୟବାଦ
ଖଣ୍ଡଗିରି କୁମ୍ଭମେଳାରୁ ନେଇ ଯାତ୍ରା ମହାକୁମ୍ଭ ପର୍ଯ୍ୟନ୍ତ ୪ ପ୍ଲାଟୁନ ପୁଲିସ ନିୟୋଜିତ ହୋଇ ଶୃଙ୍ଖଳା ବ୍ୟବସ୍ଥାକୁ ତଦାରଖ କରିବା ସହ ଟ୍ରାଫିକ ପରିଚାଳନା କରିଥିଲେ। ସେହିଭଳି ପ୍ରଶାସନ ମଧ୍ୟ ଯଥାସମ୍ଭବ ପରିଚ୍ଛନ୍ନତାକୁ ଗୁରୁତ୍ବ ଦେଇଥିଲା। ଯଦିଓ ଟ୍ରାଫିକ୍‌ ଭିଡ଼ ଯୋଗୁଁ କିଛିଟା ସମସ୍ୟା ସୃଷ୍ଟି ହୋଇଥିଲା, ମାତ୍ର ପରେ ଏଦିଗରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥିଲା। ତେଣୁ ପ୍ରଶାସନ ଓ ପୁଲିସକୁ କୃଷ୍ଣଚନ୍ଦ୍ର ଜେନା, ନୃସିଂହ ପ୍ରସାଦ ସୁନ୍ଦରାୟ ଓ ମହେନ୍ଦ୍ର କୁମାର ଗୁରୁ ଓ ଅନ୍ୟ କମିଟି ସଦସ୍ୟମାନେ କୃତଜ୍ଞତା ଜଣାଇଛନ୍ତି।

ରିପିଟ୍‌ ନାଟକରେ ଶେଷ
ଖଣ୍ଡଗିରି ଯାତ୍ରା ପେଣ୍ଡାଲ୍‌ରୁ ଗତକାଲି ଏକମାତ୍ର ଯାତ୍ରା ଦଳ ଭାବେ ଶିବାନୀ ଗଣନାଟ୍ୟ ବିଦାୟ ନେଇଥିବା ବେଳେ ଆଜି ୫ଟି ଯାତ୍ରା ଦଳ ସେଇ ରିପିଟ ନାଟକ ମଂଚସ୍ଥ କରି ବିଦାୟ ନେଇଛନ୍ତି। ଗତକାଲି ଶନିବାର ଥିବାରୁ ଯାତ୍ରା ଦେଖିବା ପାଇଁ ପ୍ରବଳ ସମାଗମ ହୋଇଥିବା ବେଳେ ଆଜି ମଧ୍ୟ ଶେଷ ଦିନ ଥିବାରୁ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା। ମହତାବ ପେଣ୍ଡାଲ୍‌ରେ ସ୍ବର୍ଣ୍ଣମହଲ ‘ସିନ୍ଦୁର ହାଟରେ ନାହିଁ ସିନ୍ଦୁର’ ନାଟକ ମଂଚସ୍ଥ କରି ବିଦାୟ ନେଇଥିବା ବେଳେ ଜାଗମରା ମେଳଣ ପଡ଼ିଆରେ ରାଜଧାନୀ ଅପେରା ୭ ରାତି ସେଇ ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ନାଟକ ମଂଚସ୍ଥ କରି ବିଦାୟ ନେଇଛି। କେସିଏ ପଡ଼ିଆରେ ରଙ୍ଗମହଲ ‘ମୁଁ ସେଇ ଭଦ୍ରକିଆ ଟୋକା’ ଏବଂ ଅପେରା ସୂର୍ଯ୍ୟମନ୍ଦିର ‘ମାୟାବିନୀ ମୌସୁମୀ’ ନାଟକ ଆରମ୍ଭରୁ ଶେଷ ଯାଏ ମଂଚସ୍ଥ କରି ବିଦାୟ ନେଇଥିବା ବେଳେ ଘାଟିକିଆ ପଡ଼ିଆରେ ଧଉଳି ଗଣନାଟ୍ୟ ‘ସେଦିନର କଥା ମନେ ଅଛି ନା’ ନାଟକକୁ ପ୍ରଥମରୁ ଶେଷ ଯାଏ ରିପିଟ କରି ବିଦାୟ ନେଇଛି।

ସମ୍ବନ୍ଧିତ ଖବର