ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆଉ ଦୁଇଦିନ: ସବୁ ରିପିଟ୍‌, ହାଉସଫୁଲ

ଭୁବନେଶ୍ବର: ସଞ୍ଜ ନଇଁଲେ ଟିକେଟ୍‌ ସରିଯାଉଛି। ରାତି ସାଢ଼େ ୧୧ରୁ ପ୍ରେକ୍ଷାଳୟ ଭର୍ତି ହେଇଯାଉଛି। ଟିକେଟ୍‌ କାଉଣ୍ଟର ଆଗରେ ହାଉସଫୁଲ୍‌ ପୋଷ୍ଟର ‌ଝୁଲାଇ ଦିଆଯାଉଛି। ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଏତେ ସ‌ଉକ ଯେ ‌ଯାତ୍ରାପ୍ରେମୀ ଦର୍ଶକ କାହିଁ କେତେ ଆଡ଼ୁ ଆସି ଏଠାରେ ରୁଣ୍ଡ ହେଉଛନ୍ତି। ଯାତ୍ରା ସରିବାକୁ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଯାତ୍ରା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଯାତ୍ରା ଦଳ ପକ୍ଷରୁ ମଧ୍ୟ ସବୁଠୁ ଚର୍ଚ୍ଚିତ ନାଟକ ପରିବେଷଣ କରାଯାଉ ଥିବା ଓ ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସେଇ ଗୋଟିଏ ନାଟକ ରିପିଟ୍‌ ଚାଲିଛି।

ଆଜି ବି ସବୁଠି ରିପିଟ୍‌ ଲଢ଼େଇ
ଖଣ୍ଡଗିରି ଯାତ୍ରା ମଞ୍ଚରେ ରିପିଟ୍‌ ଲଢ଼େଇ ଆଜି ବି ଜାରି ରହିଛି। ଆଜି ନୂଆ ଦଳ ଭାବେ ‘ସ୍ବର୍ଣ୍ଣ ମହଲ’ ମହତାବ ପେଣ୍ଡାଲ୍‌ରେ ‌ଯୋଗ ଦେଇଛି। ଏହା ବ୍ୟତୀତ ୫ଟି ଯାକ ପାର୍ଟି ନିଜର ଯାତ୍ରା ରିପିଟ୍‌ କରିଛନ୍ତି। ଶିବାନୀ ଗଣନାଟ୍ୟ ନାଟକ ‘ରଙ୍ଗ ଲଗେଇଛି ରଙ୍ଗ ନାଗରୀ’କୁ ରିପିଟ କରିଚାଲିଥିବା ବେଳେ ରାଜଧାନୀ ଅପେରା ତା’ର ବହୁ ଚର୍ଚ୍ଚିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’କୁ ରିପିଟ୍‌ କରିଛି। କେସିଏ ପଡ଼ିଆରେ ରଙ୍ଗ ମହଲ ‘ମୁଁ ସେଇ ଭଦ୍ରକିଆ ଟୋକା’ ନାଟକ ରିପିଟ୍‌ କରିଥିବା ବେଳେ କେସିଏ ପଡ଼ିଆ ୨ରେ ଅପେରା ସୂର୍ଯ୍ୟମନ୍ଦିର ମଧ୍ୟ ‘ମାୟାବିନୀ ମୌସୁମୀ’ ନାଟକ ପୁଣି ମଂଚସ୍ଥ କରିଛି। ଧଉଳି ଗଣନାଟ୍ୟ ମଧ୍ୟ ‘ସେଦିନର କଥା ମନେ ଅଛି ନା’ ନାଟକ ମଂଚସ୍ଥ କରିଛି।

ଶନିବାର, ରବିବାର ଛୁଟି ଦିନ, ସକାଳୁ ଲାଗିବ ଲମ୍ବା ଲାଇନ୍‌
ଖଣ୍ଡଗିରି ଯାତ୍ରା ଶେଷ ପାହାଚ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆସନ୍ତା ଦୁଇଦିନ ଭିଡ଼ ଅସମ୍ଭାଳ ହେବ। ଏଣେ ଆସନ୍ତାକାଲି ଶନିବାର ଥିବାରୁ ରବିବାର ଛୁଟିଦିନ ପୂର୍ବରୁ ଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ଜମିବ। ଏଥିପାଇଁ ସକାଳୁ ଟିକେଟ କାଉଣ୍ଟର ଖୋଲୁଥିବାରୁ ପ୍ରବଳ ଭିଡ଼ ଜମିବ ବୋଲି ମହତାବ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି। ଏମିତି ବି ଏଇ ଦୁଇଦିନ ହେବ ସନ୍ଧ୍ୟାରୁ ଟିକେଟ୍‌ ସରିଯାଉଥିବାରୁ ଆଜି ନିରାଶ ହୋଇ ଫେରୁଥିବା ଲୋକେ ଆସନ୍ତାକାଲି ସକାଳୁ ଆସି ‌ଟିକେଟ୍‌ କାଟିବେ ବୋଲି ଯୋଜନା କରୁଛନ୍ତି।

ଚର୍ଚ୍ଚାରେ ‘ନିର୍ଭୟା’ ନୃତ୍ୟ
ଖଣ୍ଡଗିରି ଯାତ୍ରା ମଇଦାନରେ ଶେଷ ପର୍ଯ୍ୟାୟରେ ଯାତ୍ରା ଦଳ ‘ସ୍ବର୍ଣ୍ଣମହଲ’ ସାମିଲ ହୋଇଛି। ମହତାବ ସାଂସ୍କୃତିକ ପରିଷଦ ମଞ୍ଚରୁ ତୁଳସୀ ଗଣନାଟ୍ୟ ବିଦାୟ ନେଇଥିବା ବେଳେ ପାଦ ଥାପିଛି ‘ସ୍ବର୍ଣ୍ଣମହଲ’। ଶତରୂପା ମିଶ୍ରଙ୍କ ରଚନା ଓ କିଶୋର ଖଣ୍ଡୁଆଳଙ୍କ ନିର୍ଦେଶନାରେ ମଂଚସ୍ଥ ନାଟକ ‘ସିନ୍ଦୂର ହାଟରେ ସିନ୍ଦୂର ନାହିଁ’ ପ୍ରଥମ ରାତିରୁ ଦର୍ଶକଙ୍କ ମନ ଜିଣିଛି। ତେବେ ‘ନିର୍ଭୟା’ ଘଟଣାକୁ ନେଇ ଯାତ୍ରା ମଞ୍ଚରେ ପରିବେଷିତ ସ୍ବତନ୍ତ୍ର ନୃତ୍ୟକୁ ବିପୁଳ କରତାଳି ମିଳିଛି। ନୃତ୍ୟଗୁରୁ ଗଙ୍ଗାଧରଙ୍କ ନୃତ୍ୟ ସଂଯୋଜନାରେ ‘ନିର୍ଭୟା’ ଘଟଣାକୁ ଅତ୍ୟନ୍ତ ମାର୍ମିକ ସ୍ପର୍ଶ ଦେଇ ପ୍ରସ୍ତୁତ କରାଯାଇଥିବାରୁ ତାହା ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି।

ସବୁଠି ମନ ଜିଣୁଛି ରଙ୍ଗେଇଲୁଣ୍ଡା…
ଯାତ୍ରା ମଂଚସ୍ଥ ହେବା ପୂର୍ବରୁ ଜାତୀୟ ସଂଗୀତ ଗାନର ପରମ୍ପରା ବଜାୟ ରହିଥିବା ବେଳେ ଯାତ୍ରା ମଞ୍ଚରେ ଦେଶାତ୍ମବୋଧକ ଗୀତକୁ ବି ପ୍ରାଧାନ୍ୟ ଦେଇଛନ୍ତି ନୃତ୍ୟ ନିର୍ଦେଶକମାନେ। ଉଭୟ ଗୀତ ଓ ନୃତ୍ୟରେ ବିଭିନ୍ନ ଦେଶାତ୍ମବୋଧ ଗୀତକୁ ନେଇ ଏକ ନୃତ୍ୟ ପ୍ରତ୍ୟେକ ରାତିରେ ଦେଖିବାକୁ ମିଳୁଛି। ତେବେ ‘ତତେ ନେଇଯିବି ରଙ୍ଗେଇଲୁଣ୍ଡାଲୋ ମୁଁ ପରା ତୋର କ୍ୟୁଟ ମୁଣ୍ଡା…ଗୀତରେ ନୃତ୍ୟରେ ମନ ଜିଣୁଛନ୍ତି ପ୍ରତ୍ୟେକ ଯାତ୍ରାଦଳ। ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ୍‌ ପ୍ରସ୍ତୁତ ମଳୟ ମିଶ୍ରଙ୍କ ନିର୍ଦେଶିତ ଏବଂ ହ୍ୟୁମାନ ସାଗର ଓ ଇରା ମହାନ୍ତି ଗାଇଥିବା ଏହି ଗୀତଟି ଏବେ ପ୍ରତ୍ୟେକ ଯାତ୍ରା ପାର୍ଟିର ନୃତ୍ୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର