ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ଲାଗିଛି ଯାତ୍ରା ଜ୍ବର, ଯାତ୍ରା ପ୍ରଚାର ଗାଡ଼ି ଗୋଡ଼ାଗୋଡ଼ି

ଭୁବନେଶ୍ବର: ଶେଷ ପର୍ଯ୍ୟାୟ ଖଣ୍ଡଗିରି ଯାତ୍ରା ମଇଦାନ ସରଗରମ ହୋଇଛି। ସଞ୍ଜ ନଇଁଲେ ଖଣ୍ଡଗିରିକୁ ଲୋକଙ୍କ ସୁଅ ଛୁଟୁଛି। ସନ୍ଧ୍ୟା ୭ଟାରୁ କିଛି ସ୍ଥାନରେ ଟିକେଟ୍‌ ସରିଯାଉଥିବା ବେଳେ ଆଉ କିଛି ସ୍ଥାନରେ ରାତି ୧ଟା ପର୍ଯ୍ୟନ୍ତ ଟିକେଟ୍‌ ନେବାକୁ ବିପୁଳ ଭିଡ଼ ଦେଖିବାକୁ ମିଳୁଛି। ୬ଟି ପେଣ୍ଡାଲ୍‌ରେ କେବଳ ଯାତ୍ରା ଦେଖିବା ପାଇଁ ପ୍ରତ୍ୟେକ ରାତିରେ ୩୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେଉଛି। ରିପିଟ୍‌ ଲଢ଼େଇ ଚାଲିଥିଲେ ହେଁ ଦର୍ଶକଙ୍କ ସଂଖ୍ୟା କମିବା ବଦଳରେ ବଢ଼ି ବଢ଼ି ଚାଲିଛି। ‌କିଛି ସ୍ଥାନରେ ଯାତ୍ରା ରସିକ ଦର୍ଶକମାନେ ବିଳମ୍ବରେ ଆସି ଟିକେଟ୍‌ ଖୋଜି ବୁଲୁଥିବା ବେଳେ କମିଟିକୁ ଯାଇ କହୁଛନ୍ତି, ଅଧିକ ଟଙ୍କା ଦେବୁ ହେଲେ ଟିକେଟ୍‌ ଦିଅ। ଯେମିତି ଖଣ୍ଡଗିରି ଯାତ୍ରା ମଇଦାନ ଏବେ ବାଇ କରିଛି।

କେବଳ ଯାତ୍ରା ଦର୍ଶକଙ୍କ ମଧ୍ୟରେ ବିକଳ ସ୍ଥିତି ଦେଖିବାକୁ ମିଳିନାହିଁ, ଯାତ୍ରା ପ୍ରଚାର କରୁଥିବା ଗାଡ଼ି ଏମିତି ଗୋଡ଼ାଗୋଡ଼ି ହେଉଛନ୍ତି ଯେ ତାହା ବି କୌଣସି ନାଟକଠୁ କମ୍‌ ‌ନୁହେଁ। ବଡ଼ କଥା ହେଉଛି, ଯାତ୍ରା ପ୍ରଚାର ବେଳେ ପ୍ରଚାରକମାନେ ପରସ୍ପରକୁ କମେଣ୍ଟ କରିବା ମଧ୍ୟ ଦେଖିବାକୁ ମିଳିଛି। ଆଜି ଦୁଇ ଯାତ୍ରା ଦଳ ରଙ୍ଗମହଲ ଓ ରାଜଧାନୀ ଅପେରାର ପ୍ରଚାର ଗାଡ଼ି ଖଣ୍ଡଗିରିରୁ ଜାଗମରା ମଧ୍ୟରେ ଗୋଡ଼ାଗୋଡ଼ି ହେଉଥିବା ବେଳେ କେହି କାହାର ପ୍ରଚାରକୁ ଶୁଣାଇ ଦେବାକୁ ପ୍ରସ୍ତୁତ ନଥିଲେ। ମଝିରେ ମଝିରେ ଗୋଟେ ପକ୍ଷରୁ ଭାସି ଆସୁଥିଲା, ତୁ କାଲିର ବଚ୍ଚା। ଅପର ପକ୍ଷରୁ ବି ସେମିତି କମେଣ୍ଟ ଆସୁଥିଲା।

ଆଜି ବି ରିପିଟ୍‌ ଲଢ଼େଇ
ଖଣ୍ଡଗିରି ଯାତ୍ରା ମଞ୍ଚରେ ରିପିଟ୍‌ ଲଢ଼େଇ ଆଜି ବି ଜାରି ରହିଛି। ୬ଟି ଯାକ ପାର୍ଟି ନିଜର ଯାତ୍ରା ରିପିଟ୍‌ କରିଛନ୍ତି। ଶିବାନୀ ଗଣନାଟ୍ୟ ନାଟକ ‘ରଙ୍ଗ ଲଗେଇଛି ରଙ୍ଗ ନାଗରୀ’କୁ ରିପିଟ କରି ଚାଲିଥିବା ବେଳେ ରାଜଧାନୀ ଅପେରା ତା’ର ବହୁ ଚର୍ଚ୍ଚିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’କୁ ରିପିଟ୍‌ କରିଛି। କେସିଏ ପଡ଼ିଆରେ ରଙ୍ଗ ମହଲ ‘ମୁଁ ସେଇ ଭଦ୍ରକିଆ ଟୋକା’ ନାଟକ ରିପିଟ୍‌ କରିଥିବା ବେଳେ କେସିଏ ପଡ଼ିଆ ୨ରେ ଅପେରା ସୂର୍ଯ୍ୟମନ୍ଦିର ମଧ୍ୟ ‘ମାୟାବିନୀ ମୌସୁମୀ’ ନାଟକ ପୁଣି ମଞ୍ଚସ୍ଥ କରିଛି। ଧଉଳି ଗଣନାଟ୍ୟ ମଧ୍ୟ ‘ସେଦିନର କଥା ମନେ ଅଛି ନା’ ନାଟକ ମଞ୍ଚସ୍ଥ କରିଛି।

ଆଜି ଆସିବ ‘ସ୍ବର୍ଣ୍ଣମହଲ’, ନୃତ୍ୟରେ ଦେଖାଇବ ‘ନିର୍ଭୟା’
ଶୁକ୍ରବାର ଶେଷ ପର୍ଯ୍ୟାୟ ଯାତ୍ରା ପେଣ୍ଡାଲ୍‌ରେ ଯୋଗ ଦେବାକୁ ଯାଉଛି ‘ସ୍ବର୍ଣ୍ଣମହଲ’। ମହତାବ ସାଂସ୍କୃତିକ ପରିଷଦ ମଞ୍ଚରେ ତୁଳସୀ ଗଣନାଟ୍ୟ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ନାଟକ କରି ଆଜି ବିଦାୟ ନେଇଥିବା ବେଳେ ଆସନ୍ତାକାଲି ପାଦ ଥାପିବାକୁ ଯାଉଛି ‘ସ୍ବର୍ଣ୍ଣମହଲ’। ଶତରୂପା ମିଶ୍ରଙ୍କ ରଚନା ଓ କିଶୋର ଖଣ୍ଡୁଆଳଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହେବ ‘ସିନ୍ଦୂର ହାଟରେ ସିନ୍ଦୂର ନାହିଁ’। ତେବେ ଯାତ୍ରା ଜଗତର ଜଣାଶୁଣା ନୃତ୍ୟ ଗୁରୁ ଗଙ୍ଗାଧରଙ୍କ ନୃତ୍ୟ ସଂଯୋଜନାରେ ଆସନ୍ତାକାଲି ନୂଆଧରଣର ନୃତ୍ୟ ‘ନିର୍ଭୟା’ ଦର୍ଶକଙ୍କ ମନ ଜିଣିବ। ସଂପ୍ରତି ନିର୍ଭୟା ଘଟଣାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିବା ବେଳେ ସେ ନିଜର ନୃତ୍ୟ ସଂଯୋଜନାରେ ‘ନିର୍ଭୟା’ କଥାବସ୍ତୁକୁ ‌ଦର୍ଶକଙ୍କ ନିକଟରେ ପରଷି ଦେବେ। ଏଥିସହ ଏହି ନାଟକରେ ଆପୁ-ଅଜୁ, ହାପି, ପଞ୍ଚାନନ, ଜ୍ଞାନ, କାବେରୀଙ୍କ ଅଭିନୟ ଦେଖିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର