ଆରମ୍ଭ ହେଲା ଖଣ୍ଡଗିରି ଯାତ୍ରା ମହାସମର : ଆଜି ଆସିଲେ ୨, କାଲି ‌ସାମିଲ୍‌ ହେବେ ଆଉ ୨

ଭୁବନେଶ୍ବର : ଉଜାଗର ହୋଇଛି ଖଣ୍ଡଗିରି। ଯାତ୍ରା ସଂଳାପରେ ଲହଡ଼ି ଭାଙ୍ଗୁଛି ଖଣ୍ଡଗିରି ପାଦଦେଶ। ଖଳନାୟକଙ୍କ କର୍କଶ ସଂଳାପ ସାଙ୍ଗକୁ ନାୟକ ନାୟିକାଙ୍କ ରୋମାଣ୍ଟିକ ଦୃଶ୍ୟରେ ବିଭୋର ହୋଇଛନ୍ତି ଯାତ୍ରାପ୍ରେମୀ। ଖଣ୍ଡଗିରି ଯାତ୍ରା ମହାକୁମ୍ଭ ପ୍ରଥମ ରଜନୀ ଦର୍ଶକଙ୍କ ମନ ଜିଣିଛି। ଆଜି ପ୍ରଥମ ରାତିରେ ପ୍ରବେଶ କରିଛନ୍ତି ହେଭିୱେଟ୍‌ ପାର୍ଟି କୋଣାର୍କ ଓ କଳିଙ୍ଗ ଗଣନାଟ୍ୟ। ଆସନ୍ତାକାଲି ଯାତ୍ରା ମାୟାନଗରୀ ଓ ସ୍ବପ୍ନ ମହଲ ଯୋଡ଼ିହେବେ।

କୋଣାର୍କ ଗଣନାଟ୍ୟ ଆଜି ପ୍ରଥମ ରାତିରେ ଡ.ଦୀପକ ଜେନାଙ୍କ ରଚିତ ଓ ଗୁରୁପ୍ରସାଦ ମିଶ୍ରଙ୍କ ନିର୍ଦେଶିତ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକ ପରିବେଷଣ କରିଛି। ସନାତନ ସେବା ସମିତି ପକ୍ଷରୁ ଘାଟିକିଆ ପଡ଼ିଆରେ ଏହି ନାଟକ ଦେଖିବା ପାଇଁ ବିପୁଳ ସମାଗମ ହୋଇଥିଲା। ବିଶେଷକରି ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ଭୟଙ୍କର ଅଭିନୟ ଦେଖିବା ପାଇଁ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହା ବ୍ୟତୀତ ରୁଦ୍ର, ଜିତୁ, ନଳିନୀ, ପୂଜା ଓ ମିଟୁନାଙ୍କ ଭଳି କଳାକାରଙ୍କ ଅଭିନୟ ଦର୍ଶକ ଦେଖିବାର ସୁଯୋଗ ପାଇଥିଲେ। ଏଥିସହ ଦ୍ବିତୀୟ ଯାତ୍ରା ଦଳ ଭାବେ ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍‌ରେ ମଂଚସ୍ଥ ହୋଇଥିଲା କଳିଙ୍ଗ ଗଣନାଟ୍ୟର ସାମାଜିକ ନାଟକ ‘ଶ୍ରାବଣ ମାସର ଶେଷ ରାତି’। ଲିଲି ଦାସ ଏହାର ରଚନା କରିଥିବା ବେଳେ ଇଂ ଆଶୁତୋଷ ମହାପାତ୍ର ନିର୍ଦେଶନା ଦେଇଛନ୍ତି। ଏଥର ପ୍ରଥମ ପର୍ଯ୍ୟାୟରେ ମାତ୍ର ୨ଟି ଯାତ୍ରା ଦଳ ମଂଚ ପ୍ରବେଶ କରିଥିବାରୁ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା।

ଆସନ୍ତାକାଲି ଆଉ ଦୁଇଟି ପାର୍ଟି ସାମିଲ୍‌ ହେବେ। ଯାତ୍ରା ଜଗତର ହେଭିୱେଟ୍‌ କଳାକାରଙ୍କୁ ନେଇ ଗଠିତ ଯାତ୍ରା ‘ମାୟାନଗରୀ’ କାଲି ମାୟା ଲଗାଇବାକୁ ଆସୁଛି। ଆସନ୍ତାକାଲି ମହତାବ ପେଣ୍ଡାଲ୍‌ରେ ମାୟାନଗରୀ ଭେଟିଦେବ ବହୁ ଚର୍ଚ୍ଚିତ ନାଟକ ‘କଥା ଦିଅ କରିବନି ପର’। ଏଥିରେ ଚିକୁ-କୁନି ଯୋଡ଼ି ସହ ଚରିତ୍ର ଅଭିନେତାରେ ବୈକୁଣ୍ଠ-ବାସନ୍ତୀ ଓ କମେଡି ଭୂମିକାରେ ରବି ଶତପଥୀଙ୍କ ଅଭିନୟ ଦେଖିବାର ସୁଯୋଗ ନେବେ ଦର୍ଶକ। ଏହାବ୍ୟତୀତ ମହତାବ ପେଣ୍ଡାଲ୍‌ରେ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମରେ ମୁମ୍ବାଇର ଐଶ୍ବର୍ଯ୍ୟାଙ୍କ ନୃତ୍ୟ ଦର୍ଶକଙ୍କୁ ନଚାଇବ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଆସନ୍ତାକାଲି ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା କେସିଏ ପଡ଼ିଆକୁ ଓହ୍ଲାଇବ ଅପେରା ‘ସ୍ବପ୍ନ ମହଲ’। ସିଆଇଡି ଦୟା ଭଳି ଚର୍ଚ୍ଚିତ ସସ୍‌ପେନ୍‌ସ ଧର୍ମୀ ନାଟକରେ ଦର୍ଶକଙ୍କୁ ଭିନ୍ନ ସ୍ବାଦର ଅନୁଭବ ମିଳିବ।

୧୦୦ ଅପେରା କଳାକାରଙ୍କୁ ସମ୍ମାନିତ କରାଯିବ
ଭୁବନେଶ୍ବର : ଅପେରା କଳାକାରଙ୍କ ପ୍ରତିଭାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବ ଚନ୍ଦନ ଜଲିଉଡ୍‌ ସମ୍ମାନ। ପ୍ରେରଣା ଇଣ୍ଟରନାସନାଲ୍‌ ଗ୍ରିନ୍‌ ଆର୍ମି ଓ ଓଡ଼ିଶା ବୀର ମହାସଂଘ ସହଯୋଗରେ ଆସନ୍ତା ୭ରୁ ୧୪ ତାରିଖ ମଧ୍ୟରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ଅପେରା କଳାକାରଙ୍କୁ ସମ୍ମାନିତ କରାଯିବ। ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ କଳାକାରଙ୍କୁ ସମ୍ବର୍ଧନା ସହ ନୃତ୍ୟ, ସଂଗୀତ, ସଂଳାପ, ଅଭିନୟ ଭଳି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଏଥିସହ ବହୁ ଯାତ୍ରା କଳାକାରଙ୍କ ଫଟୋକୁ ନେଇ ‘ଚିହ୍ନନ୍ତୁ ଆପଣଙ୍କ କଳାକାରଙ୍କୁ’ ଶୀର୍ଷକ ଏକ ଫଟୋ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ଯାତ୍ରା କଳାକାରଙ୍କ ଜୀବନକୁ ନେଇ ‘ନାଟ୍ୟ ପ୍ରତିଭା ପରିଚିତି’ ନାମକ ଏକ ପୁସ୍ତକ ମଧ୍ୟ ପ୍ରକାଶନ କରାଯିବ। ଆଜି ହୋଟେଲ୍‌ ପ୍ରେସିଡେନ୍‌ସିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରେରଣା ଇଣ୍ଟରନାସ୍‌ନାଲ୍‌ ଗ୍ରିନ୍‌ ଆର୍ମିର କମାଣ୍ଡର ଇନ୍‌ ଚିଫ୍‌ ଡ.ଦିଲ୍ଲୀପ ଶ୍ରୀଚନ୍ଦନ ଏହା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡ.ପ୍ରକାଶ ଶ୍ରୀଚନ୍ଦନ, ନାଟ୍ୟ ଅଭିନେତା ବୈକୁଣ୍ଠ ପାରେଖ, ରବି ଶତପଥୀ, ଧୀରେନ୍ଦ୍ର କୁମାର ମିଶ୍ର, ସାମାଜିକ କର୍ମୀ ନମ୍ରତା ଚଢ଼ା, ଅରୁନ୍ଧତୀ ସୁନ୍ଦରାୟ, ଶର୍ମିଷ୍ଠା ରାଉତ, ଅବନୀ ଜେନା, ଆଶିଷ ବରିସର, ଇଂ ଅଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର