ଖଣ୍ଡଗିରି ନାବାଳିକା ଉଦ୍ଧାର ମାମଲା: ପୁଲିସ ଉପରେ ହାଇକୋର୍ଟ କ୍ଷୁବ୍ଧ, ଡିସିପିଙ୍କୁ ବ୍ୟକ୍ତିଗତ ହାଜିରା ନି‌ର୍ଦ୍ଦେଶ

କଟକ : ଜଣେ ଅପହୃତା ନାବାଳିକାର ଉଦ୍ଧାର ମାମଲାରେ ପୁଲିସ ତଦନ୍ତକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ଏହାର ଶୁଣାଣି ସମୟରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଜି ବି ଅସନ୍ତୋଷ ପ୍ରକାଶ କରି ଆସନ୍ତା ୨୭ ତାରିଖରେ ଭୁବନେଶ୍ବର ଡିସିପିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ବିରେଧରେ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତର ସାନି ସ୍ଥିତି ନେଇ ରିପୋର୍ଟ ଦାଖଲ କରାଯାଇ ନଥିବାରୁ ହାଇକୋର୍ଟ ଡିସିପିଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଜବାବ ରଖିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଡିସିପି ହାଜର ହୋଇ ଏହି ପ୍ରସଂଗରେ ସ୍ପଷ୍ଟୀକରଣ ଦେବା ସହିତ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନି‌େର୍ଦ୍ଦଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଯୁକ୍ତ ଦୁଇ ପଢୁଥିବା ଏହି ନାବାଳିକାକୁ ଗତବର୍ଷ ନଭେମ୍ବର ୧୭ରେ ଅପହରଣ କରାଯାଇଥିବା ନେଇ ପରିବାର ତରଫରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ପୁଲିସ ନାବାଳିକାକୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ ହୋଇଥିଲା। ଏ ନେଇ ନାବାଳିକାଙ୍କ ମା’ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୦, ଡିସେମ୍ବର ୨୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ନାବାଳିକାଙ୍କୁ ଉଦ୍ଧାର ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଲାଗି ଖଣ୍ଡଗିରି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ତଦନ୍ତର ତଦାରଖ ପାଇଁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ବାରମ୍ବାର ନାବାଳିକାଙ୍କ ଉଦ୍ଧାର ପ୍ରସଂଗରେ ସମୟ ଲୋଡ଼ା ଯାଇଥିଲା।

ଏପ୍ରିଲ ୨୬ରେ ହାଇକୋର୍ଟ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ନାବାଳିକାଙ୍କୁ ଉଦ୍ଧାର ପାଇଁ ତଦନ୍ତକାରୀ ଅଧିକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଘଟଣାର କିଭଳି ଭାବେ ତଦନ୍ତ ହେବ ଜଣା ନାହିଁ ବୋଲି ହାଇକୋର୍ଟ କହିଥିଲେ। ଅଦାଲତଙ୍କ ସମୟ ନଷ୍ଟ କରିଥିବା ତଥା ତ୍ରୁଟି କରିଥିବା ଏଭଳି ପୁଲିସ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ତଦନ୍ତର ତଦାରଖ କରି ପରବର୍ତ୍ତୀ ଶୁଣାଣି ସମୟରେ ସାନି ସ୍ଥିତି ନେଇ ରିପୋର୍ଟ ଦାଖଲ ପାଇଁ ଭୁବନେଶ୍ବର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌରେନ୍ଦ୍ର କୁମାର କାନୁନଗୋ ଏହି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର