ସୋମବାରରୁ ଖଣ୍ଡଗିରି କୁମ୍ଭମେଳା: ଆସିଲେଣି ସାଧୁସନ୍ଥ ବାନ୍ଧିଲେଣି ପୂଜା ବେଦୀ

ବିଜୁଳି, ପାଣି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ

ଖଣ୍ଡଗିରି : ସୋମବାରଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାର ଶୁଭାରମ୍ଭ ହେଉଛି। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସାଧୁ ସନ୍ଥମାନେ ଖଣ୍ଡଗିରିରେ ପହଞ୍ଚିଗଲେଣି। ପୂଜା ପାଇଁ ସେମାନେ ବେଦୀ ବାନ୍ଧିବା ଓ ଅନ୍ୟାନ୍ୟ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କିନ୍ତୁ ସେମାନଙ୍କ ପାଇଁ ବିଜୁଳି ବ୍ୟବସ୍ଥା ହୋଇନଥିବାରୁ ସେମାନେ ପାହାଡ଼ରେ ଅନ୍ଧାରରେ ରାତି କାଟିବାକୁ ବାଧ୍ୟ ହୋଇଛନ୍ତି। ସେହିଭଳି କୁମ୍ଭମେଳା ସ୍ଥଳରେ ସେମାନଙ୍କ ପାଇଁ ପାଣି ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ଏମିତିକି ମେଳା ସ୍ଥଳ ସଫେଇ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ସାଧୁସନ୍ଥମାନଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହା ସତ୍ତ୍ବେ ମେଳା ପାଇଁ ପ୍ରସ୍ତୁତି ଜାରି ରହିଛି।

ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟ ବାହାରୁ ଉଜ୍ଜୟିନୀରୁ ନାଗା ସାଧୁ ଆସିଛନ୍ତି। ସେହିଭଳି ଭୁବନେଶ୍ବର, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରୁ ସାଧୁମାନେ ଖଣ୍ଡଗିରିରେ ପହଞ୍ଚିଛନ୍ତି। ଶନିବାର ଦିନ ତମାମ ସେମାନେ ପୂଜା ବେଦୀ ବନ୍ଧା କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। କିଏ ସଫେଇ କରୁଥିଲେ ତ ଆଉ କିଏ ମାଟି ଖୋଳୁଥିଲେ। ଆହୁରି ଅନେକ ସାଧୁମାନଙ୍କ ରହିବା ପାଇଁ ବ୍ୟବସ୍ଥା କରୁଛନ୍ତି। ପ୍ରତ୍ନତାତ୍ବିକ ବିଭାଗର ନିର୍ଦେଶ ଅନୁସାରେ, ଏଠାରେ ସ୍ଥାୟୀ ପିଣ୍ଡି ନିର୍ମାଣ କରାଯାଇପାରିବ ନାହିଁ। ଏଥିପାଇଁ ପ୍ରତିବର୍ଷ ସାଧୁମାନେ ଯଜ୍ଞ ବେଦୀ ନିର୍ମାଣ କରନ୍ତି। ସେମାନେ ମା’ ବାରଭୁଜାଙ୍କ ନିକଟରେ ଆଶ୍ରୟ ନେଇଥାଆନ୍ତି। ପଣ୍ଡିତ ଭକ୍ତ ଚରଣ ଦାସଙ୍କ ସୂଚନାନୁସାରେ, ବିଶ୍ବାସ ରହିଛି ଯେ ଶନିବାର ରାତିରେ ଖଣ୍ଡଗିରି ଚତୁଃପାର୍ଶ୍ବରେ ଥିବା ଦେବା-ଦେବୀମାନେ ଦେବସଭାରେ ଉପସ୍ଥିତ ହୁଅନ୍ତି। ମା’ ସରସ୍ବତୀଙ୍କ ପୂଜନ ସହିତ ମା’ ବାରଭୁଜା ଠାକୁରାଣୀଙ୍କ ପୂଜନ ପ୍ରଥମ ଦିବସ କାର୍ଯ୍ୟ ହୋଇଥାଏ। ସାଧୁସନ୍ଥମାନେ ଭଗବାନଙ୍କୁ ଅନ୍ନ ଡାଲମା ଅର୍ପଣ କରିବା ପରେ ହାଣ୍ଡି ଭାଙ୍ଗି ସୂର୍ଯ୍ୟ ଦର୍ଶନ ସହିତ ବୁଡ଼ ପକାଇଥାଆନ୍ତି। ଏହି ଅବସରରେ ସେମାନେ ନାମ ସଂକୀର୍ତ୍ତନ କରିବେ। ଚନ୍ଦ୍ରଭାଗାରେ ବୁଡ଼ ପଡ଼ିବା ପରେ ସୋମବାର ଠାରୁ ମାଘ ସପ୍ତମୀ ପୂଜା ଆରମ୍ଭ ହେବ। ପୂର୍ଣ୍ଣ କୁମ୍ଭକୁ ସ୍ଥାପନ କରିବା ପାଇଁ ଅନେକ ପୂର୍ଣ୍ଣ କୁମ୍ଭ ସ୍ଥାପନ ହେବା ପରେ ଯେଉଁଠି ମେଳା ହୁଏ, ତାକୁ କୁମ୍ଭମେଳା କୁହାଯାଏ।

ଏହି ପୂର୍ଣ୍ଣ କୁମ୍ଭଗୁଡ଼ିକ କେବଳ ସାଧୁ ସନ୍ଥମାନଙ୍କ ଦ୍ବାରା ହିଁ ଆକାଶ ଗଙ୍ଗା, ଗୁପ୍ତ ଗଙ୍ଗା ଆଦି ପବିତ୍ର ସ୍ଥାନରୁ ଜଳ ଆଣି କୁମ୍ଭ ସ୍ଥାପନ କରାଯାଏ। ମାଘ ମାସ ଶୁକ୍ଳ ସପ୍ତମୀ ପାଳନ କରାଯାଏ। କାରଣ ଏହି ଦିନ ହିଁ ମା’ ବାରଭୁଜା ପ୍ରକଟ ହେଉଥିବା ନେଇ କିଂବଦନ୍ତୀ ରହିଛି। ସାଧୁସନ୍ଥମାନେ ଖଣ୍ଡଗିରିରେ ପହଞ୍ଚି ତପସ୍ୟାରତ ହୋଇଥାଆନ୍ତି। ବୈଦିକ କର୍ମକର୍ମାଣୀକୁ ବ୍ୟବହାର କରି ସପ୍ତଦିନାତ୍ମକ(ସାତ ଦିନିଆ) ଯଜ୍ଞ ଆରମ୍ଭ ହୁଏ। ମା’ ବାରଭୁଜାଙ୍କୁ ଦର୍ଶନ କରିବା ପରେ ମା’ଙ୍କଠାରୁ ଆଦେଶ ପାଦୁକା ମାଳା ଆଣି କୁମ୍ଭମେଳା ଯଜ୍ଞକୁଣ୍ଡ ଆରମ୍ଭ ହୁଏ। ପ୍ରଥମେ ପାଦୁକା ଆଶ୍ରମରୁ ସାଧୁ ସନ୍ଥମାନେ ଯାଇ ଆକାଶ ଗଙ୍ଗାରୁ ପାଣି ଆଣି ପାଦୁକା ଆଶ୍ରମରେ ପୂଜା ବିଧି ଆରମ୍ଭ ହୋଇଥାଏ। ଏଠାରେ ଅଖଣ୍ଡ ନାମ ଏବଂ ଭଜନ, କୀର୍ତ୍ତନ ଅଗ୍ନି ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିଥାଏ। ଏହି କୁମ୍ଭମେଳାରେ ସାଧୁମାନେ ସାଧନା ଏବଂ ସିଦ୍ଧିପ୍ରାପ୍ତି ପାଇଁ ଏଠାକି ହୋଇଥାଆନ୍ତି। ବିଶ୍ବାସ ରହିଛି ଯେ ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପରମ ପୁଣ୍ୟପ୍ରାପ୍ତି ହୁଏ। ତେଣୁ ଏଠାରେ ହୋମଯଜ୍ଞ ସାଙ୍ଗକୁ ଜପତପ ଚାଲିବ। ରାମଚରିତ ମାନସ ଗୁଞ୍ଜରଣରେ ସାରା ପାହାଡ଼ରେ ଆଧ୍ୟାତ୍ମିକ ପରିବେଶ ଖେଳିଯିବ। ଯଜ୍ଞରୁ ନିସୃତ ଘୃତର ମହକ ଓ ରାମନାମ ଜପ ଯୋଗୁଁ ସମଗ୍ର ପାହାଡ଼ରେ ସୃଷ୍ଟି ହେବ ଏକ ଭକ୍ତିମୟ ପରିବେଶ। ଏହା ଦେଖିବା ପାଇଁ ଆଜିଠାରୁ ଭକ୍ତଙ୍କ ସମାଗମ ମଧ୍ୟ ଆରମ୍ଭ ହେଲାଣି। ମାତ୍ର ପରିତାପର କଥା ଏପର୍ଯ୍ୟନ୍ତ ପାହାଡ଼ରେ ଉପଯୁକ୍ତ ସଫେଇ ହୋଇନାହିଁ। ଫଳରେ ବିଭିନ୍ନ ସ୍ଥାନରେ ମଦ ବୋତଲ, ସିଗାରେଟ ଖୋଳ, ଖଲି ପତ୍ର ଓ ବିଭିନ୍ନ ପ୍ରକାର ପଚା ଖାଦ୍ୟ ପଡ଼ି ରହିଛି। ଶୌଚାଳୟ ମଧ୍ୟ ଅଧାରେ ପଡ଼ିଛି। ଆବଶ୍ୟକ ପାଣି ବ୍ୟବସ୍ଥା ନାହିଁ। ମେଳା ପାଇଁ ବିଏମ୍‌ସି ପ୍ରସ୍ତୁତି ନେଇ କେହି ସ୍ପଷ୍ଟ ଚିତ୍ର ଦେଇନାହିଁ।

ରହସ୍ୟଜନକ ଖଣ୍ଡଗିରି, ଧର୍ମ, ପରିବେଶ ଏବଂ ପ୍ରତ୍ନତାତ୍ବିକ ଗବେଷଣାର ମିଳନ ସ୍ଥଳ
ପରିବେଶବିତ୍‌ ପ୍ରସାଦ କୁମାରଙ୍କ ଅନୁସାରେ ଖଣ୍ଡଗିରି ପାହାଡ଼ରେ ଘାସ, ଗୁଳ୍ମ, ବଡ଼ ଗଛ, ଲତା ଜାତୀୟ, ଗରୁଡ଼, କେନ୍ଦୁ, ନିରାଶ, ଗୁଆ କୋଳି, ଗଛ ବା ପଥର ଦେହରେ ମାଡ଼ି ହୋଇ ବଢୁଥିବା ଶିଉଳି, ଫର୍ମ, ଅର୍କିଡ ଭଳି ୪୫୦ ପ୍ରଜାତିର ଗଛ ରହିଛି। ଏଥିରେ ଆଲ୍‌ଫୋନ୍‌ସିଆ ମାଡ୍ରାସ ପାଟନା, ସାଇଫୋନ୍‌ଡନ ସିଲାଷ୍ଟ୍ରେନିଅ ଭଳି ୩ଟି ପ୍ରଜାତିର ଗଛ ରହିଛି, ଯାହା ରାଜ୍ୟର ଅନ୍ୟ କୌଣସି ଜଙ୍ଗଲରେ କ୍ବଚିତ୍‌ ଦେଖାଯାଏ। ଝାରକୋସଡେମିଆଏସିଡମ୍ପ ଭଳି ଔଷଧୀୟ ଗଛ ମଧ୍ୟ ଅନ୍ୟ ସ୍ଥାନରେ ଦେଖାଯାଉନାହିଁ। ଏଠାରେ ଥିବା ୧୫ଟି ଗୁମ୍ଫାକୁ ନେଇ ଧାର୍ମିକ ଏବଂ ପ୍ରତ୍ନତାତ୍ବିକ ଗବେଷକମାନେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ଗୁମ୍ଫାଗୁଡ଼ିକରେ କେଉଁଠି ବୌଦ୍ଧ ଧର୍ମର ଝଲକ ମିଳେ ତ ଆଉ କେଉଁଠି ହିନ୍ଦୁ ଦେବା-ଦେବୀଙ୍କ ମୂର୍ତ୍ତି ରହିଥିବା କୁହାଯାଏ।

କିଛି ଐତିହାସିକଙ୍କ ଅନୁସାରେ, ଜୈନ ସନ୍ୟାସୀଙ୍କ ପାଇଁ ଏଠାରେ ଗୁମ୍ଫା ରହିଛି। ଏପରିକି ଲଲାଟକେଶରୀ ଗୁମ୍ଫା ଭଳି ଅନେକ ସ୍ଥାନରେ ଆଜି ବି ସାଧୁମାନେ ସାଧନା କରୁଥିବା ବିଶ୍ବାସ କରାଯାଏ। ଏପରିକି କିଛି ଲୋକଙ୍କ ବିଶ୍ବାସ ଅନୁସାରେ ଲଲାଟକେଶରୀ ଗୁମ୍ଫାରେ କାନ ଦେଲେ, ସେମାନଙ୍କ ଉଚ୍ଚାରଣ ଶୁଣାଯାଉଛି। ଏହା ପାଖରେ ପଥରରେ ଖୋଦିତ ପ୍ରତିମୂର୍ତ୍ତି ରହିଛି। ପାହାଡ଼ର ଶୀର୍ଷକୁ ଗଲେ, ବରଗଛ ନିକଟରେ ଦେବସଭା ହେଉଥିବା ବିଶ୍ବାସ କରାଯାଏ। ବରଗଛରେ ମନସ୍କାମନା ପୂରଣ ପାଇଁ ଭକ୍ତମାନଙ୍କୁ ମଧ୍ୟରୁ କିଏ କନା ତ ଆଉ କିଏ ପଥର ମଧ୍ୟ ବାନ୍ଧି ଥାଆନ୍ତି। ପାହାଡ଼ର ଅପରପାର୍ଶ୍ବର ତଳକୁ ଖସିଲେ ଗୁପ୍ତ ଗଙ୍ଗା ଅଛି। ଯେଉଁଠି ଅନବରତ ପାଣି ବାହାରୁଥିବା କୁହାଯାଏ। ଏଠାରୁ ଜଳ ନେଇ କୁମ୍ଭମେଳା ଆରମ୍ଭ ହୁଏ। ଏଠାରେ ଥିବା ପଞ୍ଚତୀର୍ଥରେ ସାଧୁମାନେ ସ୍ନାନ କରୁଥିବା କୁହାଯାଏ। ଏଠାରେ ଥିବା ୧ ନମ୍ବର ଗୁମ୍ଫାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ୁଥିବା ବିଶ୍ବାସ କରାଯାଏ। ଏଠାରେ ପର୍ତ୍ତୁଗାଲ ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳେ। ରହସ୍ୟମୟୀ ଖଣ୍ଡଗିରିକୁ ଜାଣିବା ପାଇଁ କୁମ୍ଭମେଳା ଏକ ଉକୃଷ୍ଟ ଅବସର।

ସମ୍ବନ୍ଧିତ ଖବର