ରାତି ପାହିଲେ ଖଣ୍ଡଗିରି କୁମ୍ଭ ମେଳା, ଆସିଲେଣି ଶତାଧିକ ନାଗା ସାଧୁ

ଭାଙ୍ଗିଲା ୫୭ ବର୍ଷର ପରମ୍ପରା, ସବୁଠି ଖାଁ ଖା‌ଁ

ଖଣ୍ଡଗିରି: ଆଉ ମାତ୍ର ଦିନକ ପରେ ଖଣ୍ଡଗିରି କୁମ୍ଭ ମେଳା। ଆସିଲେଣି ଶହେରୁ ଅଧିକ ନାଗା ସାଧୁ। ଏହା ବ୍ୟତୀତ ପୁରୀ, ପଟ୍ଟାମୁଣ୍ଡାଇ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ସାଧୁଙ୍କ ସମାଗମ ହେବା ଆରମ୍ଭ ହୋଇଗଲାଣି। ତେବେ ୫୭ ବର୍ଷ ପରେ ପ୍ରଥମ ଥର ପାଇଁ ମେଳା ଅବସରରେ ପ୍ରଥମ ଥର ପାଇଁ ଦୋକାନ ବଜାର ପଡ଼ିବ ନାହିଁ କି ଯାତ୍ରାର ଆୟୋଜନ ହେବ ନାହିଁ। ତେଣୁ ଅନ୍ୟବର୍ଷ ଭଳି ଚଳିତ ବର୍ଷ ମେଳାର ପରିବେଶ ଚଳଚଞ୍ଚଳ ନାହିଁ। ସବୁଠି ଖାଁ-ଖାଁ ଲାଗୁଛି। କେବଳ ପୂଜା ପାଇଁ ନାଗା ସାଧୁଙ୍କ ପ୍ରସ୍ତୁତି ଜାରି ରହିଛି।

ମାଘ ସପ୍ତମୀର ପବିତ୍ର ତିଥିରେ ଖଣ୍ଡଗିରି ପାହାଡ଼ରେ ହୁଏ ସୂର୍ଯ୍ୟ ଉପାସନା ବା କୁମ୍ଭ ମେଳା। ବିଶ୍ବାସ ଅନୁସାରେ, ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପୁଣ୍ୟ ମିଳିଥାଏ। ତେଣୁ ଏଠାରେ ଶୁକ୍ରବାରଠାରୁ ହୋମଯଜ୍ଞ ସହିତ ଜପତପ, ରାମଧୂନ ଚାଲିବ। ଖଣ୍ଡଗିରି ପାହାଡ଼ର ଏହି ୯ ଦିନ ପାଇଁ ଏକ ମହାତୀର୍ଥରେ ପରିଣତ ହେବ। ବିଧି ଅନୁସାରେ, ପ୍ରତ୍ୟୁଷରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସାଧୁମାନେ ଖଣ୍ଡଗିରି ଆସିବେ। ଏଥିପାଇଁ ଆୟୋଜନକାରୀ କମିଟି, ବିଏମ୍‌ସି ଏବଂ ପୁଲିସ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଜାରି ରହିଛି।

ଅନ୍ୟଦିଗରେ ପ୍ରତିବର୍ଷ ଖଣ୍ଡଗିରି ଯାତ୍ରା ସହିତ ଯାତ୍ରା ଜଗତର ନବବର୍ଷ ଆରମ୍ଭ ହୁଏ। ଏହି ଯାତ୍ରାକୁ ଭିତ୍ତି କରି ନୂତନ କାହାଣୀ ରଚନା ହୁଏ। ୭ଟି ପେଣ୍ଡାଲରେ ଇଷ୍ଟର୍ଣ୍ଣ ଅପରୋ, କୋଣାର୍କ ଗଣନାଟ୍ୟ, ଇନ୍ଦ୍ର ଭୁବନ, ସୂର୍ଯ୍ୟ ମହଲ, ତୁଳସୀ ଗଣନାଟ୍ୟ, ବାଘାଯତିନ, କଳିଙ୍ଗ ଗଣନାଟ୍ୟ ପ୍ରଭୃତି ରାଜ୍ୟର ନାମକରା ଯାତ୍ରାପାର୍ଟିଗୁଡ଼ିକ ନୂଆ ନୂଆ ନାଟକ ନେଇ ପରସ୍ପରକୁ ଟକ୍କର ଦିଅନ୍ତି। ଏକାସହିତ ୭ଟି ପେଣ୍ଡାଲରେ ଯାତ୍ରା ହେଉଥିଲେ ମଧ୍ୟ ସବୁ ପେଣ୍ଡାଲରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ହୁଏ। ଯାତ୍ରା ଆୟୋଜନ ପାଇଁ ହାଇକୋର୍ଟର ଅନୁମତି ମିଳିଥିଲେ ମଧ୍ୟ ବିଏମସି ପକ୍ଷରୁ ଏଥିପାଇଁ କଟକଣା ଜାରି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଯାତ୍ରା ସୁରକ୍ଷା ମଞ୍ଚ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରରାୟ। ବିଳମ୍ବରେ କଟକଣା ଲାଗିବା ଯୋଗୁଁ ପେଣ୍ଡାଲ ଭଡ଼ାରେ ଆଣିଥିବା ଯାତ୍ରା ମାଲିକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହା ବ୍ୟତୀତ ପ୍ରତିବର୍ଷ ୪୦ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଥାଏ ବୋଲି କୁହାଯାଏ। କିନ୍ତୁ ଏ ବର୍ଷ ପ୍ରଥମ ଥର ପ‌ାଇଁ ଯାତ୍ରା ଆୟୋଜନରେ କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି। ରାଜ୍ୟ ଭିତରୁ ଓ ବାହାରୁ ମେଳାରେ ପଡ଼ୁଥିବା ୪୦୦ ଷ୍ଟଲରେ ଦୋକାନବଜାର ମଧ୍ୟ ଦେଖିବାକୁ ମିଳିବ ନାହିଁ। ତେଣୁ ଦୋକାନୀମାନେ ଏଥର ବିପୁଳ କ୍ଷତିର ସମ୍ମୁଖୀନ ହେବେ ବୋଲି କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର