ଖଣ୍ଡଗିରି : ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମହା କୁମ୍ଭମେଳା। ପାହାଡ଼ରେ ସାଧୁସନ୍ଥମାନେ ଆରମ୍ଭ କରିଛନ୍ତି ସୂର୍ଯ୍ୟ ଉପାସନା। ହୋମ ଧୂଅାଁରେ ମହକି ଉଠିଛି ଗିରି ଗହ୍ଵର। ରାମ ନାମ ଓ ବିଭିନ୍ନ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଖଣ୍ଡଗିରି ପାହାଡ଼। ସମଗ୍ର ପାହାଡ଼ରେ ବ୍ୟାପୀ ଯାଇଛି ଆଧ୍ୟାତ୍ମିକତାର ପରିବେଶ।
ଗତ ରାତିରୁ ଆସ୍ଥାନ ଜମାଇଥିବା ସନ୍ଥମାନେ ଆଜି ସକାଳୁ ସକାଳୁ ଆରମ୍ଭ କରିଥିଲେ ସୂର୍ଯ୍ୟ ଉପାସନା। ମା ବାରଭୁଜାଙ୍କ ପୀଠରେ ଆରମ୍ଭ ହୋଇଛି ରାମଚରିତ ମାନସ ପାରାୟଣ। ପାହାଡ଼ ଉପରେ ସାଧୁସନ୍ଥଙ୍କ ଅସ୍ଥାୟୀ ଶିବିରମାନଙ୍କରେ ହୋମକୁଣ୍ଡରେ ଅଗ୍ନି ସଂସ୍ଥାପନ ହୋଇଥିଲା ଓ ଆରମ୍ଭ ହୋଇଥିଲା ଅଖଣ୍ଡ ଯଜ୍ଞର ପ୍ରଥମ ଆହୁତି। ମୁଖ୍ୟ ସନ୍ଥମାନେ ହୋମକୁଣ୍ଡରେ ଅଖଣ୍ଡ ହୋମ କରୁଥିବାବେଳେ ସହଯୋଗୀମାନେ ବିଭିନ୍ନ କାମରେ ଲାଗି ପଡ଼ିଥିଲେ। କିଏ ଭୋଗ ପ୍ରସ୍ତୁତିରେ ଲାଗିଥିଲେ ତ କିଏ ମୁଖ୍ୟ ସନ୍ଥମାନଙ୍କୁ ହୋମରେ ସହଯୋଗ କରୁଥିଲେ। ଦ୍ୱିପ୍ରହରେ ପ୍ରାୟ ସମସ୍ତ ସନ୍ଥ ଶିବିରରେ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥିଲା ଖଣ୍ଡଗିରି ପ୍ରସାଦ। ଖଣ୍ଡଖିରି ହେଉଛି ଏହି ମେଳାର ସ୍ୱତନ୍ତ୍ର ଭୋଗ। ଏହି ଭୋଗ ପାଇବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
କିନ୍ତୁ ଆଜି ଖଣ୍ଡଗିରି ପାହାଡ଼ରେ ବାହାର ରାଜ୍ୟର ନାଗା ସାଧୁମାନଙ୍କୁ ଦେଖିବାକୁ ମିଳି ନଥିଲା। ଓଡ଼ିଶା ବନ୍ଦ କାରଣରୁ ହୁଏତ ସେମାନେ ପହଞ୍ଚି ପାରି ନଥିବା କୁହାଯାଉଛି। ତେବେ ଓଡ଼ିଶାର ମୟୂରଭଂଜ, କଟକ, ଢେଙ୍କାନାଳ ଆଦି ଅଞ୍ଚଳରୁ ବିଭିନ୍ନ ମଠର ସାଧୁସନ୍ଥମାନେ ସେମାନଙ୍କ ହୋମଯଜ୍ଞ ଆରମ୍ଭ କରିଛନ୍ତି।
/sambad/media/post_attachments/wp-content/uploads/2018/01/arjun-khandagiri-300x225.jpg)
ସାଧୁସନ୍ଥ ଅସନ୍ତୁଷ୍ଟ
ଚଳିତ ବର୍ଷ ବହୁ ସାଧୁସନ୍ଥ ଖଣ୍ଡଗିରି ମେଳା ଆୟୋଜନ ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପାହାଡ଼ ପାଦଦେଶରେ ସନ୍ଥମାନଙ୍କ ଅସ୍ଥାୟୀ ଶିବିର ଘନ ଅନ୍ଧାରରେ ରହିଛି। ବିଦ୍ୟୁତ୍ ସଂଯୋଗ କରାଯାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ରାତିରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି। ତପ ସାଧନରେ ଅନ୍ଧାର ସେମାନଙ୍କ ପାଇଁ ସମସ୍ୟା ନୁହେଁ, କିନ୍ତୁ ଶିଷ୍ୟ, ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କ ଚଳପ୍ରଚଳ ପାଇଁ ଆଲୋକ ଜରୁରି ହୋଇଥିବାରୁ ସମସ୍ୟା ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ କର୍ପୋରେଟର ଅଶ୍ୱିନୀ କୁମାର ସୁନ୍ଦରାୟଙ୍କ କହିବା ଆସନ୍ତାକାଲି ସକାଳ ସୁଦ୍ଧା କଥା ସବୁ ଶିବିରକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ। ସାଧୁସନ୍ଥମାନଙ୍କ ରହଣିରେ କୌଣସି ଅସୁବିଧା ରହିବ ନାହିଁ।
ପ୍ରଭୁ ଶ୍ରୀ ଅନନ୍ତ କେଶରୀଙ୍କ ରାଣୀ ହଂସପୁର ଗମନ
ପାରମ୍ପରିକ ରୀତିରେ ଆଜି ସନ୍ଧ୍ୟାରେ ଜାଗମରା ନାଗା ମଠରୁ ପ୍ରଭୁ ଶ୍ରୀ ଅନନ୍ତ କେଶରୀ ଉଦୟଗିରି ପାହାଡ଼ସ୍ଥିତ ରାଣୀଗୁମ୍ଫାର ରାଣୀ ହଂସପୁରକୁ ଯାତ୍ରା କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ପ୍ରଭୁଙ୍କୁ ସୁସଜ୍ଜିତ ବିମାନରେ ନିଆଯାଇଥିଲା। ଆଗେ ଆଗେ ରଙ୍ଗିନ୍ ଆଲୋକମାଳା ଭିତରେ ସମ୍ବଲପୁରୀ ଢୋଲ ଭଳି ବିଭିନ୍ନ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଘଣ୍ଟ ଘଣ୍ଟାର ଶବ୍ଦ ଶୋଭାଯାତ୍ରାର ସୌନ୍ଦର୍ଯ୍ୟ ବର୍ଧନ କରୁଥିଲା। ତେବେ ସବୁଠୁ ବଳି ପଡ଼ିଥିଲା ଆତସବାଜି କାର୍ଯ୍ୟକ୍ରମ। ବାଣର ରଙ୍ଗିନ୍ ଚକ୍ମକ୍ ଆଲୋକ ସାଙ୍ଗକୁ ପ୍ରବଳ ଧୂଅାଁ ଶୋଭାଯାତ୍ରା ମାହୋଲକୁ ଚମକାଇ ଦେଉଥିଲା। ରାସ୍ତାରେ ବହୁ ମାନସିକଧାରୀମାନଙ୍କ ପକ୍ଷରୁ ବିଧି ଅନୁସାରେ ପ୍ରଭୁ ଶ୍ରୀ ଅନନ୍ତ କେଶରୀଙ୍କୁ ଭୋଗ ଲାଗି କରାଯାଉଥିଲା। ବିଶେଷକରି ଯାତ୍ରା ପରିବେଷଣ କରାଯାଉଥିବା ୭ଟି ପେଣ୍ଡାଲ ପକ୍ଷରୁ ଠାକୁରଙ୍କୁ ଭୋଗ ଲାଗି କରାଯାଉଥିଲା।
ଠାକୁରଙ୍କ ଏଭଳି ଯାତ୍ରା ପଛରେ ଥିବା କାରଣକୁ ନେଇ ନାନା ମତ ରହିଛି। ତେବେ ସ୍ଥାନୀୟ ଲୋକଙ୍କ ମତରେ ଏକଦା ପ୍ରଭୁ ଶ୍ରୀ ଅନନ୍ତ କେଶରୀ ପ୍ରକୃତରେ ଉଦୟଗିରି ପାହାଡ଼ରେ ଅବସ୍ଥାନ କରୁଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ମାଉସୀମା ବିଜେ ରଥଯାତ୍ରା ଭଳି ଉଦୟଗିରି ପାହାଡ଼ରେ ପ୍ରଭୁଙ୍କର ଏହି ରାଣୀ ହଂସପୁର ଗମନ ଲୀଳଖେଳା ଚାଲୁଥିଲା। ମାତ୍ର କୌଣସି କାରଣରୁ ପ୍ରଭୁ ଜାଗମରା ନାଗା ମଠକୁ ସ୍ଥାନାନ୍ତର ହେଲେ ଓ ସେହି ଦିନଠାରୁ ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ପବିତ୍ର ମାଘ ସପ୍ତମୀ ତିଥି ରାତିରେ ଏହା ଚାଲି ଆସିଛି। ନିୟମାନୁସାରେ ପ୍ରଭୁ ରାତିରେ ରାଣୀ ହଂସପୁରରେ ମାତ୍ର କେଇ ଘଣ୍ଟା ରହିବା ପରେ ପୁଣି ନିଶାର୍ଧରେ ହିଁ ମଠକୁ ଫେରି ଆସନ୍ତି। ବଡ଼ ବିଚିତ୍ର ଏହି ପରମ୍ପରା। ପ୍ରଭୁ ଗଲାବେଳ ବାଜା ବାଣ ରୋଷଣୀରେ ଗଗନପବନ ପ୍ରକମ୍ପିତ ହୁଏ, ମାତ୍ର ଫେରନ୍ତା ଯାତ୍ରା ସମସ୍ତଙ୍କ ଅଗୋଚରରେ ଅନୁଷ୍ଠିତ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/arjuna-khandagiri.jpg-ff.jpg)