କେମିତି ହେବ ଖଣ୍ଡଗିରି ମେଳା? ନିଷ୍ପତ୍ତି ନେଇପାରୁନି ବିଏମ୍‌ସି

କରୋନା ଆଳରେ ଦିନ ଗଡ଼ାଉଛନ୍ତି, ୫୦% ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଯାତ୍ରା କମିଟି ରାଜି

ଭୁବନେଶ୍ବର : ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳାକୁ ଆଉ ମାତ୍ର ୧୦ଦିନ ରହିଲା। ହେଲେ ମେଳାରେ ୪୦୦ ଷ୍ଟଲ୍‌ ପଡ଼ିବ କି ୨୦୦ ଷ୍ଟଲ୍‌ ପଡ଼ିବ, ଯାତ୍ରା ହେବ କି ନାହିଁ, ଯାତ୍ରା ହେଲେ କେତେ ଦର୍ଶକ ବସି‌ପାରିବେ ସେନେଇ ବିଏମ୍‌ସି କିଛି ଠୋସ୍‌ ନିଷ୍ପତ୍ତି ଶୁଣାଉନି। କରୋନା କଟକଣା ଆଳରେ ଦିନ ଗଡ଼ାଇବାରେ ଲାଗିଛି। ଖଣ୍ଡଗିରି ମେଳାର ରୂପରେଖ କିପରି ହେବ ସେନେଇ ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନାଲ୍‌ ଡେପୁଟି କମିସନର ନା ବିଏମ୍‌ସି କମିସନର କେହି କିଛି ସ୍ପଷ୍ଟ କରୁଛନ୍ତି। ସ୍ଥିତି ଏପରି କଲେଣି ଯେ, ବିଳମ୍ବରେ ଅନୁମତି ଦେଇ ସବୁ ଅବ୍ୟବସ୍ଥିତ କରିଦେ‌େବ। ଆଉ ବିଏମ୍‌ସି କର୍ତ୍ତୃପକ୍ଷ ସବୁ ଦୋଷ ଯାତ୍ରା କମିଟି ଓ ଆୟୋଜକଙ୍କ ମୁଣ୍ଡରେ ଲଦିଦେବ।

ରାଜଧାନୀରେ ତୋଷାଳି ମେଳା, ଆଦିବାସୀ ମେଳାକୁ ଯେପରି ବ୍ୟବସ୍ଥିତ ଢଙ୍ଗରେ କରାଗଲା, ସବୁ ସିନେମା ହଲ୍‌ରେ ଯେପରି ଦର୍ଶକ ଫିଲ୍ମ ଦେଖୁଛନ୍ତି, ସେହି ଏସ୍‌ଓପିକୁ ଅନୁଧାବ କରି ବିଏମ୍‌ସି ଖଣ୍ଡଗିରି ମେଳା ଆୟୋଜନ କରିପାରନ୍ତା। ହେଲେ କର୍ତ୍ତୃପକ୍ଷ ଖଣ୍ଡଗିରି ମେଳା ନେଇ ଆଗ୍ରହ ଦେଖାଉନଥିବାରୁ କିଛି ନିଷ୍ପତ୍ତି ହୋଇପାରୁନି।

କର୍ତ୍ତୃପକ୍ଷ କହିଛନ୍ତି ଖଣ୍ଡଗିରି ଫ୍ଲାଏଓଭର ନିର୍ମାଣ ହେଉଥିବାରୁ ଭାରୀଯାନ ଯାତାୟତରେ ବହୁ ସମସ୍ୟା ଉପୁଜୁଛି। କିଛି ଅଘଟଣକୁ ଏଡ଼ାଇବାକୁ ଯାଇ ଆମକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ। ଯଦି ଭାରୀଯାନର ଭୟ ରହୁଛି ତେବେ ଯାତ୍ରା ଯେଉଁ ୧୨ ଦିନ ହେବ ସେହି ସମୟରେ ସଂଧ୍ୟାରୁ ସକାଳୁ ପର୍ଯ୍ୟନ୍ତ ଭାରୀଯାନଗୁଡ଼ିକୁ ପିତାପଲ୍ଲୀ ନିକଟରେ ଡାଇଭର୍ଟ କରାଯାଇପାରିବ। କଟକ ପାର୍ଶ୍ବରୁ ଆସୁଥିବା ଗାଡ଼ିକୁ ଗୋପାଳପୁର ନିକଟରେ ଡାଇଭର୍ଟ କରାଯାଇପାରନ୍ତା। ଏହାଦ୍ବାରା ଭାରୀଯାନ ଭୟ ରହନ୍ତାନି ଏବଂ ବିଏମ୍‌ସି କଟକଣା ଅନୁଯାୟୀ ସବୁ କାର୍ଯ୍ୟକ୍ରମ ସୁରୁଖୁରରେ ହୋଇପାରନ୍ତା। ହେଲେ ଯେଉଁ ଅଧିକାରୀମାନେ ଯାତ୍ରା କରେଇ ନ ଦେବା ମୁଡ୍‌ରେ ଅଛନ୍ତି ସେମାନେ କାହିଁକି ଏ ଦିଗ ଉପରେ ଚିନ୍ତା କରିବେ?

ସେହିପରି ଏବେ ବିଏମ୍‌ସିକୁ କରୋନା କଟକଣା କଥା ମନେ ପଡ଼ୁଛି। କିନ୍ତୁ ରାଜଧାନୀରେ ନିକଟରେ ହୋଇଥିବା ଦୁଇଟି କାର୍ଯ୍ୟକ୍ରମ ସ୍ବଚ୍ଛ ବିନ୍ଦୁସାଗର ଯୋଜନାର ଶୁଭାରମ୍ଭ, ପୁରୀ ବାଇପାସ୍‌ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନ ସମୟରେ କ’ଣ ବିଏମ୍‌ସିର କରୋନା କଟକଣା କଥା ମନେ ନଥିଲା? ନା ରାଜନୈତିକ ଦଳ ପାଇଁ ଗୋଟେ ନିୟମ ଓ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ନିୟମ?

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ଖଣ୍ଡଗିରି ମେଳାରେ ଷ୍ଟଲ୍‌ ପକାଇବାକୁ ଓ ଯାତ୍ରା କରିବାକୁ ଅନୁମତି ଦେଲେ ଦୈନିକ ୫୦ହଜାର ଲୋକଙ୍କ ସମାଗମ ହେବ। କରୋନା କଟକଣା ପାଇଁ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ଯଦି ୫୦% ଦର୍ଶକଙ୍କୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଯାତ୍ରା କରିବାକୁ ଯାତ୍ରା କମିଟି ରାଜି ହେବେ ତେବେ ଆମେ ଅନୁମତି ଦେବୁ। ଯାତ୍ରା କମିଟି ଏ ନେଇ ଚିନ୍ତା କରି ଜଣାଇଲେ ଆମେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବୁ।

ଏ ନେଇ ଏକ ଯାତ୍ରା କମିଟିର କର୍ମକର୍ତ୍ତା କହିଛନ୍ତି ଯେ, ଆମେ ୫୦% ଦର୍ଶକଙ୍କୁ ନେଇ ଯାତ୍ରା କରିବୁ ବୋଲି ବିଏମ୍‌ସିକୁ ଲିଖିତ ଭାବେ ଜଣାଇଛୁ। ବିଏମ୍‌ସି ଏସ୍‌ଓପି ପାଳନ କରିବୁ ବୋଲି ମଧ୍ୟ କହିଛୁ। ଆଉ ପୁଣି କ’ଣ ମତାମତ ଦେବୁ? ଯଦି ବିଏମ୍‌ସି ଚାହିଁବ ତେବେ ଅନୁମତି ଦେବ ନହେଲେ ନାହିଁ।

ସମ୍ବନ୍ଧିତ ଖବର