ଭୁବନେଶ୍ବର : ପାଖେଇଲାଣି ଖଣ୍ଡଗିରି ମେଳା। ସଜବାଜ ହେଲେଣି ଯାତ୍ରା ଦଳ। ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ଯାତ୍ରା ମହାକୁମ୍ଭକୁ ନେଇ ଆରମ୍ଭ ହୋଇଗଲାଣି କାଉଣ୍ଟ୍ଡାଉନ୍। ଯାତ୍ରା ପରିବେଷଣ ପାଇଁ ଆୟୋଜକ କମିଟି ୧୨ଦିନର ଅନୁମତି ମଧ୍ୟ ଆଣିସାରିଲେଣି। ମାତ୍ର ଖଣ୍ଡଗିରି ଯାତ୍ରା ମଧ୍ୟଭାଗରେ ମାଟ୍ରିକ୍ ପରୀକ୍ଷା ପଡ଼ୁଥିବାରୁ ଯାତ୍ରା କେତେଦିନ ମଂଚସ୍ଥ ହେବ ସେନେଇ ପ୍ରଶ୍ନ ଉଠିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଖଣ୍ଡଗିରି ମେଳା ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହେଉଛି। ତେବେ ଯାତ୍ରା ୧୪ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ମଞ୍ଚସ୍ଥ ହେବା ପାଇଁ ଆୟୋଜକ କମିଟିମାନେ ଅନୁମତି ଆଣିଛନ୍ତି। ମାତ୍ର ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ପରେ ମାଟ୍ରିକ୍ ଓ +୨ ପରୀକ୍ଷା ବେଳେ ରାଜ୍ୟର କୌଣସି ସ୍ଥାନରେ ଯାତ୍ରା ପରିବେଷଣ ନକରିବାକୁ ନିର୍ଦେଶ ଦିଆଯାଇଛି। ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ ୮ ପର୍ଯ୍ୟନ୍ତ ଚାଲିବାକୁ ଅଛି। ତେଣୁ ଏହି ସମୟ ମଧ୍ୟରେ ନାଟକ ପାଇଁ ଅନୁମତି ନଦେବାକୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ପୁଲିସ୍ ଡିଜି, ଆଇଜି, ଭୁବନେଶ୍ବର-କଟକର ପୁଲିସ୍ କମିସନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି, ଡିସିପିମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଯଦି ଏହି ସମୟରେ ଯାତ୍ରା ପରିବେଷଣ କରାଯାଏ, ତେବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦର୍ଶାଯାଇଛି। ତେଣୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଶେଷ ଭାଗ ଆଡ଼କୁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିବା ନେଇ ଦ୍ବନ୍ଦ୍ବ ଉପୁଜିଛି। ଏନେଇ ଡିସିପି ଅନୁପ ସାହୁ କହିଛନ୍ତି, ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଯେମିତି ପ୍ରଭାବିତ ନହୁଅନ୍ତି ସେ ବାବଦେର ଯାତ୍ରା କମିଟି ସହ ଆଲୋଚନା ପୂର୍ବକ ପଦକ୍ଷେପ ନିଆଯିବ।
ମାଟ୍ରିକ୍ ଓ +୨ ପରୀକ୍ଷାର୍ଥୀଙ୍କୁ ଦୃଷ୍ଟିରେ ରଖି ଖଣ୍ଡଗିରି ଡୁମଡୁମା ଅଞ୍ଚଳର ବାସିନ୍ଦା ଅକ୍ଷୟ କୁମାର ପଟ୍ଟନାୟକ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ପରେ ଡ. ବାଲା ଏନେଇ ନୋଟିସ୍ ଜାରି କରିଛନ୍ତି। ଖଣ୍ଡଗିରି ଯାତ୍ରା ବେଳେ ଆଇଗିଣିଆ, ଡୁମୁଡୁମା, ଜାଗମରା, ରାଜୀବ ନଗର, ଏସିଆନ୍ ପ୍ଲାଜା, ଖଣ୍ଡଗିରି ବାରି, ଧର୍ମବିହାର, ସତ୍ୟସାଇ ଏନ୍କ୍ଲେଭ୍ ଅଞ୍ଚଳର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ସାମ୍ଭାବ୍ୟ ସମସ୍ୟା ଉପୁଜିବାକୁ ଦୃଷ୍ଟିରେ ରଖି ସେ ଏ ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ସମସ୍ତ ଯାତ୍ରା ଆୟୋଜକ କମିଟି ଏ ବାବଦରେ ସଚେତନ ରହିବା ସହ କୌଣସି ଯାତ୍ରା ଅନୁଷ୍ଠାନକୁ ଏହି ସମୟରେ ଯାତ୍ରା ପରିବେଷଣ ପାଇଁ ବଇନା ନଦେବାକୁ ଓଡ଼ିଶା ଯାତ୍ରା ସୁରକ୍ଷା ମଂଚ କମିଟିର ସଭାପତି ନୃସିଂହ ପ୍ରସାଦ ସୁନ୍ଦରାୟ କହିଛନ୍ତି।
ବଦଳିବ ଶିବାନୀ, କୋଣାର୍କର ସ୍ଥାନ
ବାରଭୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ଘରୋଇ ପ୍ଲଟ୍ରେ ଦୀର୍ଘବର୍ଷ ହେବ ଶିବାନୀ ଓ କୋଣାର୍କ ଗଣନାଟ୍ୟ ପର୍ଯ୍ୟାୟକ୍ରମେ ନାଟକ ପରିବେଷଣ କରିଆସୁଥିଲେ। ମାତ୍ର ଉକ୍ତ ସ୍ଥାନ ବିକ୍ରି ହୋଇସାରିଥିବାରୁ ଚଳିତ ବର୍ଷ ସେଠାରେ ନାଟକ ହେବ ନାହିଁ। ସମ୍ଭବତଃ ଏହା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ହେବା ନେଇ ଯୋଜନା କରାଯାଉଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ପରିଷଦକୁ ଜାଗା ପାଇଁ ଅନୁମତି ମିଳିନଥିବାରୁ ଶିବାନୀ ଓ କୋଣାର୍କ ଗଣନାଟ୍ୟର ନାଟକ ମଂଚସ୍ଥ ହେବା ନହେବା ନେଇ କଥା ଝୁଲି ରହିଛି।