ଖଣ୍ଡଗିରି : ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ସରିବା ଦିନ ଯେତିକି ପାଖେଇ ଆସୁଛି, ଜନଗହଳି ସେତିକି ବଢ଼ିବାରେ ଲାଗିଛି। ଆଉ ଦୁଇ ଦିନ ପରେ ପବିତ୍ର ମାଘ ପୂର୍ଣ୍ଣିମାରେ କୁମ୍ଭମେଳା ସରିବ। ଚନ୍ଦ୍ରଗ୍ରହଣ ପାଇଁ କିଛି ସନ୍ଥଙ୍କ ଶିବିରରେ ମଙ୍ଗଳବାର ହୋମଯଜ୍ଞର ପୂର୍ଣ୍ଣାହୁତି ଆୟୋଜନ ହେଉଥିବା ବେଳେ କିଛି ଶିବିରରେ ପୂର୍ଣ୍ଣିମା ଦିନ ଗ୍ରହଣ ଛାଡ଼ିବା ପରେ ଏହି ପର୍ବ ସମାହିତ ହେବ। ସାଧୁସନ୍ଥଙ୍କ କୁମ୍ଭମେଳା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଂଜ ହେଲେ ଭଜନ କୀର୍ତନ ଜମୁଛି। କେଉଁଠି ଖଜଣି ମାଡ଼ ଚାଲିଛି ତ କେଉଁଠି ମୃଦଙ୍ଗ ବାଜୁଛି। ଏଣେ ପାହାଡ଼ ପାଦଦେଶରେ ଜମିଥିବା ମେଳା ବଜାରରେ ବି ବେଶ୍ ଲୋକାରଣ୍ୟ ହେଉଛି। ଦିନରେ ଲୋକେ ମେଳା ବୁଲିବାରୁ ମଜା ଉଠାଉଥିବା ବେଳେ ରାତିରେ ଅପେରା ଦର୍ଶକଙ୍କ ମନୋରଂଜନ ହେଉଛି। ତେଣୁ ଏବେ ପାହାଡ଼ ଉପରେ ରାମନାମର ଧୂନ୍ ଗଗନପବନ କମ୍ପାଉଥିବା ବେଳେ ପାହାଡ଼ ତଳେ ମେଳା ବଜାରରେ ଲାଗିଛି ମନୋରଂଜନ କାର୍ଯ୍ୟକ୍ରମର ଭିଡ଼।
ମୋବାଇଲ୍ ଚୋର ମାଳମାଳ
ମେଳାରେ ମୋବାଇଲ୍ ଚୋରି ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ପ୍ରତିଦିନ ପୁଳା ପୁଳା ମୋବାଇଲ୍ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହି ମୋବାଇଲ୍ ଲୁଟେରାମାନଙ୍କ ଗ୍ୟାଙ୍ଗ୍ ରହିଛି। ଗ୍ୟାଙ୍ଗ୍ରେ ପ୍ରାୟ ସବୁ ଅଣଓଡ଼ିଆ ନାବାଳକ ଅଛନ୍ତି। ଜଣେ ମୋବାଇଲ୍ ଝାମ୍ପି ନେବା ମାତ୍ରେ ତାହା ଚଟାପଟ୍ ଗହଳି ଭିତରେ ହାତକୁ ହାତକୁ ଡେଇଁ ଶେଷରେ ଉଭାନ୍ ହୋଇଯାଉଛି। ତେଣୁ ଲୋକେ ଜଣଙ୍କୁ ଧରି ପୁଲିସ ଜିମା ଦେଲେ, କିଛି ଫାଇଦା ହେଉନି। ଅସ୍ଥାୟୀ ପୁଲିସ ଫାଣ୍ଡି ପୁଲିସ ସିସିଟିଭି ଆଧାରରେ ବହେ ଖୋଜୁଛି ସିନା ଏତେ ଗହଳି ଭତରେ ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ଧରିବା ସମ୍ଭବ ହେଉନାହିଁ। ଅବଶ୍ୟ କିଛି ନାବାଳକ ଲୁଟେରା ଧରାପଡ଼ୁଛନ୍ତି ଓ ସେମାନଙ୍କଠାରୁ ଚୋରି ମୋବାଇଲ୍ ଜବତ ହେଉଛି।
ଗୁଜବ ଡରାଇ ଦେଉଛି
ବେଳେବେଳେ ମେଳା ଭିଡ଼ରେ ବିଭିନ୍ନ ଗୁଜବ ଲୋକଙ୍କୁ ଡରାଇ ଦେଉଛି। ଆଜି ଏମିତି ଦୁଇ ଦୁଇଟି ଗୁଜବ ମେଳା ଭିଡ଼ରେ ହଇଚଇ ସୃଷ୍ଟି କରିଥିଲା। ଜଣେ ମକା ସିଜା ଦୋକାନୀର ଗ୍ୟାସ୍ ସିଲିଣ୍ଡର ହଠାତ୍ ଲିକ୍ ହେଲା। କିନ୍ତୁ ନିଅାଁ ଲାଗିନଥିଲା। ମାତ୍ର ଗ୍ୟାସ୍ ସିଲିଣ୍ଡର ଫାଟିଗଲା ବୋଲି ଗୁଜବ ପ୍ରଚାର ହୋଇଗଲା ଓ ଲୋକେ କିଛି ସମୟ ପାଇଁ ଭୟରେ ଏଣେତେଣେ ଧାଁ ଧଉଡ଼ କରିବାରେ ଲାଗିଲେ। ସେହିଭଳି ଏକ ମାଙ୍କଡ଼ ଜଣେ ଯୁବକଙ୍କ ହାତରୁ ବାଦାମ ଭଜା ନେବାକୁ ଉପରକୁ ଡେଇଁ ପଡ଼ିଲା। ଭୟରେ ଯୁବକଜଣଙ୍କ ପଛକୁ ଘୁଞ୍ଚୁ ଘୁଞ୍ଚୁ ପଡ଼ିଗଲେ ଓ ବେହୋସ୍ ହୋଇଗଲେ। ସଙ୍ଗେ ସଙ୍ଗେ ପ୍ରଚାର ହୋଇଗଲା ଯେ ପାଗଳା ମାଙ୍କଡ଼ ମାତିଛି। ତେଣୁ କିଛି ସମୟ ଯାଏ ସେଠାରେ ଆତଙ୍କର ବାତାବରଣ ଖେଳି ଯାଇଥିଲା। ପୁଲିସ ଆମ୍ବଲାନ୍ସରେ ଯୁବକଙ୍କୁ ହସ୍ପିଟାଲ ପଠାଇଥିଲା ଓ ସେ ସୁସ୍ଥ ଥିବା ପୁଲିସ ସୂଚନା ଦେଇଛି।
ମେଲିଛି ମନୋହରି ସାମଗ୍ରୀର ପସରା
ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ମହିଳାମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ବିକ୍ରି ହେଉଛି। ଚୁଡ଼ିଠାରୁ ଶାଢ଼ି ପର୍ଯ୍ୟନ୍ତ ସବୁ ବିକି୍ରି ହେଉଛି। ଚୁଡ଼ିବାଲାଙ୍କ ଠେଲା ଗାଡ଼ି ଲାଇନ୍ ହୋଇ ରହୁଛି ଓ ସେଠାରେ ମହିଳାମାନଙ୍କ ଭିଡ଼ କାହିଁରେ କ’ଣ! ଏଥିସହିତ ତାଳ ଦେଇ ବହୁ ଅଣଓଡ଼ିଆ ଟାଟୁବାଲା ବି ଭଲ ବେପାର କରୁଛନ୍ତି। ତେବେ ଘରକରଣା ଜିନିଷ ଦୋକାନ ଆଗରେ ରହୁଛି ଅଧିକ ଭିଡ଼। ବାଉଁଶ ତିଆରି ଜିନିିଷ ସାଙ୍ଗକୁ ଖଜୁରି ଝାଡ଼ୁ ବେପାର ବଢ଼ୁଥିବା ଦେଖାଯାଉଛି। ନିତିଦିନିଆ ହାଟ ବଜାରରେ ସବୁ ମିଳୁଥିଲେ ବି ମେଳାରେ ଅଧିକ ପ୍ରକାରର ଜିନିଷ ମିଳେ ବୋଲି ଗ୍ରାହକମାନଙ୍କ ମତ। ସେହିଭଳି ମେଳାରେ ଜିନିଷ କିଣିବା ଏକ ନିଆରା ମଜା ବୋଲି କିଛି ଗ୍ରାହକ କୁହନ୍ତି।
ଫାଙ୍କା ପଡ଼ୁଛି ଚକ୍ର ଦୋଳି
ମୀନା ବଜାରରେ ପ୍ରବଳ ଭିଡ଼ ଜମୁଛି। ଅପରାହ୍ଣରୁ ମୀନା ବଜାରରେ ଲୋକଙ୍କ ଭିଡ଼। କିନ୍ତୁ ଚକ୍ର ଦୋଳି ଫାଙ୍କା ପଡ଼ୁଛି। ଡରରେ ପ୍ରାୟ ଲୋକ ଚକ୍ର ଦୋଳିରେ ବସୁନାହାନ୍ତି। ଅଥଚ ଅନ୍ୟ ସମସ୍ତ ଦୋଳିରେ ଭିଡ଼ ଲାଗୁଛି। ଦଶହରା ବେଳେ ବରମୁଣ୍ଡାରେ ଚକ୍ର ଦୋଳି ଅଟକି ଯାଇଥିବା କଥାକୁ ମନେ ପକାଇ ଏହି ବେପାର ମାନ୍ଦା ହେଉଥିବା କୁହାଯାଉଛି।