ଖଣ୍ଡଗିରି ମେଳାରେ ଯାତ୍ରା ନିଷ୍ପତ୍ତି ଝୁଲିଲା

ଦୁଇ ଦିନ ପ‌େର ପୁଣି ବସିବ ବୈଠକ

ଭୁବନେଶ୍ବର : ଆସନ୍ତା ୧୮ତାରିଖରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବ। ହେଲେ ମେଳାରେ ଏଥର କେତେ ଷ୍ଟଲ୍‌ ପଡ଼ିବ, ଯାତ୍ରା ହେବ ନା ନାହିଁ, ଯାତ୍ରା ହେଲେ କେତେ ଦର୍ଶକ ବସିବେ ତାହା ନିଷ୍ପତ୍ତି ହୋଇପାରୁନି।

ଖଣ୍ଡଗିରି କୁମ୍ଭମେଳା ନେଇ ଆଜି ବିଏମ୍‌ସି ପକ୍ଷରୁ ବିଭିନ୍ନ ଯାତ୍ରା କମିଟି ସହ ଆଲୋଚନା ହୋଇଛି। ଏଥିରେ ଯାତ୍ରା କମିଟି ପୂର୍ବ ବର୍ଷଗୁଡ଼ିକ ଭଳି ମେଳା ଓ ଯାତ୍ରା କରିବାକୁ ଅନୁମତି ମାଗିଥିଲେ କିନ୍ତୁ ବିଏମ୍‌ସି କମିସନର ଏଥିରେ ସହମତ ହୋଇନଥିଲେ। ବିଏମ୍‌ସି କମିସନର କହିଥିଲେ ଯେ, ଆମେ କରୋନା କଟକଣା ପାଇଁ ୫୦୦ଲୋକ ସାମାଜିକ ଦୂରତା ରଖି ଏକାଠି ହେବାକୁ ଅନୁମତି ଦେଉଛୁ। କିନ୍ତୁ ଯାତ୍ରା ମଞ୍ଚ ନିକଟରେ ୪ହଜାରରୁ ଅଧିକ ଚେୟାର ପଡ଼ିଲେ, ୪୦୦ରୁ ଅଧିକ ଷ୍ଟଲ୍‌ ପଡ଼ିଲେ କିପରି ଭିଡ଼ ନିୟନ୍ତ୍ରଣ ହେବ? ଏହାର ଉତ୍ତର ରଖିବାକୁ ଯାଇ ଯାତ୍ରା କମିଟିର କର୍ମକର୍ତ୍ତା କହିଥିଲେ ଯେ, ଯାତ୍ରା ମଞ୍ଚ ନିକଟରେ ଗୋଟିଏ ଚେୟାର ଛାଡ଼ି ଦର୍ଶକ ବସିବେ। ଏଥିରେ ବି କମିସନର ରାଜି ହୋଇନଥିଲେ। କମିସନର ଯାତ୍ରା କମିଟିକୁ କହିଛନ୍ତି ଯେ, ଦୁଇ ଦିନ ଏ ନେଇ ଚିନ୍ତା କରି ପ୍ରସ୍ତାବ ଦିଅ। ଏହାପରେ ବିଚାର କରାଯିବ। ଆଜି ଏମିତି କହି ବିଏମ୍‌ସି ଯାତ୍ରା କମିଟି ଉପରେ ନିଷ୍ପତ୍ତି ଛାଡ଼ି ଦେଇଛି।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ଖଣ୍ଡଗିରି ମେଳାରୁ ପ୍ରାୟ ୪୦ଲକ୍ଷ ଟଙ୍କା ରାଜସ୍ବ ପାଉଥିବାବେଳେ ମେଳା ନ ହେଲେ ବିଏମ୍‌ସି ଏତିକି ରାଜସ୍ବ ହରାଇବ। ଏବେ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମରେ କରୋନା କଟକଣାକୁ ଉଲ୍ଲଂଘନ କରି ହଜାରହଜାର ଲୋକଙ୍କୁ ଏକାଠି କରୁଛନ୍ତି। ସେତେବେଳେ ପ୍ରଶାସନ କଡ଼ା ପଦକ୍ଷେପ ନେଇପାରୁନି। ‌ମାତ୍ର କଟକଣା ଆଳରେ ଖଣ୍ଡଗିରି ମେଳା ବନ୍ଦ କରିବାକୁ ଯୋଜନା ହେଉଛି।

ସମ୍ବନ୍ଧିତ ଖବର