ଖଣ୍ଡଗିରି: ଶୁକ୍ରବାରଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାର ଶୁଭାରମ୍ଭ ହେଉଛି। ଏଣୁ ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ଆରମ୍ଭ କଲେଣି ପ୍ରାଥମିକ ପୂଜାପାଠ ଓ ଅନ୍ୟ ବିଧି ବିଧାନ। ଏହା ଭିତରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦୦ରୁ ଅଧିକ ସାଧୁସନ୍ଥ ଆସିଛନ୍ତି ବୋଲି ଖବର ମିଳିଛି। ପବିତ୍ର ମାଘ ସପ୍ତମୀରେ ଅର୍କକ୍ଷେତ୍ର କୋଣାର୍କ-ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ସାଧୁମୟ ହୋଇଯିବ ତପୋଭୂମି ପବିତ୍ର ଖଣ୍ଡଗିରି। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ସାଧୁମାନେ ବୁଡ଼ ପକାଇବେ। ନାଗା ସନ୍ନ୍ୟାସୀଙ୍କଠୁ ନେଇ ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସଂପ୍ରଦାୟ, ଗୌଡ଼ୀୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ସମାଗମ ହେବ। ଅଖଣ୍ଡ ଧୁନି ଜଳିବ। ସେହିଭଳି ମା’ ବାରଭୂଜା ପୀଠରେ ପ୍ରସିଦ୍ଧ ରାମଚରିତ ମାନସପାରାୟଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

Advertisment

ରାଣୀହଂସପୁରରେ ବିଜେ କରିବେ ଅନନ୍ତ କେଶରୀ
ପ୍ରଭୁ ଅନନ୍ତ କେଶରୀ ଏକ ବିରାଟ ପଟୁଆରରେ ରାଣୀହଂସପୁରକୁ ବିଜେ କରିବେ। ପ୍ରଥମେ ଜାଗମରା ଗାଁ ନାଗାମଠରୁ ଅନନ୍ତ କେଶରୀଙ୍କୁ ସୁସଜ୍ଜିତ ବିମାନରେ ସଂକୀର୍ତ୍ତନ, ଘୋଡ଼ାନାଚ, ଷଣ୍ଢନାଚ, ସମ୍ବଲପୁରୀ ବାଜାର ରୋଶଣିରେ ଗାଁ ପରିକ୍ରମା କରାଯିବ। ପରେ ପ୍ରଭୁଙ୍କୁ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଅଣାଯିବ। ‌ସେଠା‌‌ରେ ଭୋଗରାଗ, ପୂଜାର୍ଚ୍ଚନା କରାଯିବା ପରେ ପୁଣି ରାତିରେ ହିଁ ସେ ନାଗାମଠକୁ ଫେରିବେ। ଗ୍ରାମଲୋକଙ୍କ କହିବା କଥା, ୧୯୧୨ ମସିହାରେ ଅନନ୍ତ କେଶରୀ ଜାଗମରା ଗ୍ରାମକୁ ଯାଇଥିଲେ। ଏହି ମେଳା ତାଙ୍କର। ତେଣୁ ସେ ଖଣ୍ଡଗିରି ଆସିବା ପରେ ହିଁ ମାଘମେଳା ଆରମ୍ଭ ହୁଏ। ଶୁକ୍ରବାର ଠାରୁ ବିଶ୍ବଶାନ୍ତି ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ।
ଏବେଠୁ ଉଠିଲାଣି ଗଞ୍ଜେଇ ଧୂଆଁ
ମାଘ ମେଳା ପାଇଁ ସାରା ଭାରତରୁ ଆସିଥିବା ସାଧୁସନ୍ଥ ଓ ସେମାନଙ୍କ ଶିଷ୍ୟମାନେ ଖଣ୍ଡଗିରିରେ ଡେରା ପକାଇଛନ୍ତି। ସପ୍ତମୀରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ସାଧୁସନ୍ଥମାନେ ଜପତପ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସାଧୁସନ୍ଥ ଓ ସେମାନଙ୍କ ଶିଷ୍ୟମାନେ ଗଞ୍ଜେଇ ସେବନ କରିବା ଏଠି ସାଧାରଣ କଥା। ଏବେଠୁ ସମଗ୍ର ଅଞ୍ଚଳରେ ଗଞ୍ଜେଇ ଧୂଆଁ ଉଠିବାର ଦେଖା ଯାଉଛି। ଗଞ୍ଜେଇ ଏକ ନିଷିଦ୍ଧ ନିଶାଦ୍ରବ୍ୟ ହୋଇଥିଲେ ହେଁ କିଛି ‌ସାଧୁ ଏହାକୁ ଶିବଙ୍କ ପ୍ରସାଦ କହି ଟାଣୁଛନ୍ତି। ବି‌ଶେଷକରି ନାଗାସାଧୁମାନେ ବିପୁଳ ମାତ୍ରାରେ ଗଞ୍ଜେଇ ଟାଣୁଥିବା ଦେଖିବାକୁ ମିଳୁଛି। ତେବେ ଏହାକୁ ଅଧିକାଂଶ ଲୋକ ସ୍ବାଭାବିକ ବୋଲି ମନେ କରୁଛନ୍ତି।

ଭୁବନେଶ୍ବର: ୧୬ରୁ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଖଣ୍ଡଗିରି ମାଘମେଳା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛି ବିଏମ୍‌ସି। ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବସିଥିବା ପ୍ରସ୍ତୁତି ବୈଠକରେ ଅଦ୍ୟାବଧି ହୋଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ହୋଇଥିଲା। ମେଳାକୁ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଆଡୁ କୋଳଥିଆ ଛକଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ବ୍ରିଜ୍‌ ତଳେ, ବରମୁଣ୍ଡା ଆଡୁ ପ୍ରାଚୀ ରିସୋର୍ଟ ଠାରୁ ଖଣ୍ଡଗିରି ଥାନା ପର୍ଯ୍ୟନ୍ତ, ଜାଗମରା ଆଡୁ ସୋଆ ୟୁନିଭର୍ସିଟି ନିକଟରେ ହାଉସିଂବୋର୍ଡ ନିର୍ମାଣ ପରିସର ଏବଂ ଖାରବେଳ ପାର୍କ ନିକଟରେ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଜୟଦେବ ବାଟିକା ଆଡୁ ଓଏସ୍ଆର୍‌ଟିସି ଷ୍ଟାଣ୍ଡ୍‌ରେ ଏକମାତ୍ର ଜାଗାରେ ମାଗଣା ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ସଂଯୁକ୍ତ ବିଭାଗର ଅଧିକାରୀମାନେ ସକାଳେ କ୍ଷେତ୍ର ପରିଦର୍ଶନ କରି ପାର୍କିଂ, ଷ୍ଟଲ୍ ପ୍ଳାନିଂ, ପରିମଳ, ସୂଚନା ପ୍ରଦାନ, ସାଧୂସନ୍ଥଙ୍କ ପାଇଁ ଆଲୋକ, ପାନୀୟଜଳ ବ୍ୟବସ୍ଥା, ଜବରଦଖଲ ଉଚ୍ଛେଦ ବାବଦରେ ଯାଞ୍ଚ କରିଥିଲେ। ଦୋକାନ ପାଇଁ ପ୍ରାୟ ୫୦୦ ଆବେଦନ ଆସିଥିବା ବେଳେ ପ୍ରାୟ ୩୬୦ଟି ଷ୍ଟଲ୍‌କୁ ଅନୁମୋଦନ ଦେବାକୁ ପ୍ରକ୍ରିୟା ଜାରି ରହିଛି। ଜାଗମରାରୁ ଅନନ୍ତକେଶରୀଙ୍କ ଯାତ୍ରା ସମୟରେ ଉତ୍ତମ ଆଲୋକୀକରଣ ପାଇଁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟହ ୩ଥର ସଫେଇ କରିବାକୁ ନିଷ୍ପତ୍ତି ହୋଇଛି।

publive-image

ଶୀଘ୍ର ଆସି ପ୍ରସ୍ତୁତି କାର୍ଯ୍ୟ କରନ୍ତି ହରିଓମ୍ ବାବା
୧୯୯୧ ମସିହାରୁ ଖଣ୍ଡଗିରିର କୁମ୍ଭମେଳାକୁ ଆସୁଛନ୍ତି ହରିଓମ୍ ବାବା। ଗତ ୬ ତାରିଖରୁ ଆସି ମେଳା ଆୟୋଜନର ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସାଧାରଣ ସମୟରେ ଏହି ପାହାଡ଼କୁ କେହି ଧ୍ୟାନ ଦିଅନ୍ତି ନାହିଁ। ମେଳା ଆୟୋଜନ ପାଇଁ ସଫେଇ କରିବାକୁ ପଡ଼ିଥାଏ। ଯଜ୍ଞକୁଣ୍ଡ ନିର୍ମାଣ, ଖାଦ୍ୟ ବ୍ୟବସ୍ଥା, ପୂର୍ଣ୍ଣମୀ ଦିନ ଅତିଥି ସାଧୁମାନଙ୍କୁ ସମ୍ମାନିତ କରାଯାଏ। ଏହିସବୁ କାର୍ଯ୍ୟ ପାଇଁ ତତ୍ତ୍ବାବଧାନ କରିବାକୁ ପଡ଼େ। ସବୁବର୍ଷ ଏହି ସମୟରେ ହଜାର ହଜାର ସାଧୁ ଆସନ୍ତି। ସେମାନଙ୍କ ଦାୟିତ୍ବ ନିଅନ୍ତି ହରିଓମ୍‌ ବାବା।
ବେପାରୀଙ୍କ କଥା ରହିଲା
ଚଳିତବର୍ଷ ପ୍ରଥମକରି ଦୋକାନଗୁଡ଼ିକୁ ସମାନ ଆକାର ଓ ରୂପ ଦେବାକୁ ଚିନ୍ତା କରାଯାଇଥିଲା। ଦୋକାନ ବା ଷ୍ଟଲ୍‌ଗୁଡ଼ିକ ଗୋଟିଏ ରଙ୍ଗ ଓ ଗୋଟିଏ ସାଇଜ୍‌ର ହୋଇଥାନ୍ତା। ଏଥିପାଇଁ ବିଏମ୍‌ସି ପକ୍ଷରୁ ବହୁ ଆଗରୁ ଯୋଜନା ହୋଇଥିଲା। ହେଲେ ଉଠା ବ୍ୟବସାୟୀମାନେ ଆଜି ଏହାକୁ ନେଇ ଅରାଜି ହୋଇଥିଲେ। ‌ସେମାନଙ୍କ କହିବା କଥା, ବ୍ୟବସାୟ କରିବାରୁ ସେମାନେ ଏକାଧିକ ସ୍ଥାନକୁ ଯାଉଥିବାରୁ ନିଜ ଦୋକାନ ମାପରେ ସେମାନଙ୍କର ଜିନିଷପତ୍ର ତିଆରି ହୋଇ ରହିଛି। ହଠାତ୍‌ ଏଭଳି ଦୋକାନର ରୂପଭେକ ପରିବର୍ତ୍ତନ କଲେ ଅସୁବିଧ‌ା ହେବ। ଏଣୁ ବିଏମ୍‌ସି ଅଧିକାରୀ ଓ ଉଠାଦୋକାନୀଙ୍କ ମଧ୍ୟରେ ଆଜି ଅପରାହ୍ନ ସମୟରେ କିଛି କଥା କଟାକଟି ହୋଇଥିଲା। ଶେଷରେ ଦୋକାନୀଙ୍କ କଥା ରହିଥିଲ‌ା ଓ ବିଏମ୍‌ସି ଫେରିଥିଲା।