ଖଣ୍ଡଗିରି ଅପେରା ଲଢ଼େଇ: ବଦଳୁନି ବହି, ଉତ୍କଣ୍ଠାରେ ଅନୁସନ୍ଧାନ ନାଟକ

ଭୋଜପୁରୀକୁ ବଳେଇପଡ଼ୁଛି ଓଡ଼ିଆ ଗୀତ ‘ମେଘରେ ମେଘ...’

ଖଣ୍ଡଗିରି: ଖଣ୍ଡଗିରି କୁମ୍ଭମେଳାରେ ଅପେରା ମହାକୁମ୍ଭର ଉଷ୍ମତା ବଢ଼ିବାରେ ଲାଗିଛି। ଯାତ୍ରା ମହାସମରର ପ୍ରଥମ ପର୍ଯ୍ୟାୟ ଚାରି ରାତିରେ ପହଞ୍ଚିଲାଣି। ସବୁଠି ଚାଲିଛି ପୁରୁଣା ନାଟକ। ବଦଳୁନି ବହି। ଦର୍ଶକମାନେ ଅନୁସନ୍ଧାନର ନାଟକ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ଏବେ ପ୍ରତିଯୋଗିତାରେ ଥିବା ୫ଟି ଯାକ ଅପେରା ଦଳ ପ୍ରଥମରୁ ଗୋଟିଏ ବହିକୁ ରିପିଟ୍‌ କରିଚାଲିଛନ୍ତି। ସବୁ ପାର୍ଟି ପକ୍ଷରୁ ନୂଆ ଅନୁସନ୍ଧାନର ନାଟକ କଥା ବେଶ୍ ପ୍ରଚାର କରାଯାଉଛି ସିନା ମଞ୍ଚସ୍ଥ ହେଉନାହିଁ। କେବଳ ବଡ଼ବଡ଼ ଆକର୍ଷଣୀୟ ହୋର୍ଡିଂରେ ନୂଆ ନାଟକର ନାଁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ବଢ଼ାଉଛି। ମହତାବ ମଣ୍ଡପରେ ଅପେରା ବିଶ୍ବଦରବାର ୪ ରାତି ହେଲା ସେଇ ନାଟକ ‘ମୃତ୍ୟୁ ପରେ ମଣିଷ’ ପ୍ରଦର୍ଶନ କରୁଛି। ୩ ତାରିଖ ହେବ ଏହି ପାର୍ଟିର ଶେଷ ରଜନୀ। ତେଣୁ ବିଦାୟ ରଜନୀରେ ଏହାର ଅନୁସନ୍ଧାନ ନାଟକ ‘କଳା ରଙ୍ଗ ନାହିଁ କଳା ନାୟକ’ ମଞ୍ଚସ୍ଥ ହେବ ବୋଲି ଘୋଷଣା କରାଯାଇଛି। ସେହିଭଳି ଅପେରା ସୂର୍ଯ୍ୟମନ୍ଦିର ନାଟକ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’କୁ ବଦଳାଉନାହିଁ।

ଏହି ପାର୍ଟି ୪ ତାରିଖ ରାତିରେ ପ୍ରତିଯୋଗିତାରୁ ବିଦାୟ ନେବାକୁ ଥିବା ବେଳେ ଅନୁସନ୍ଧାନ ନାଟକ ‘ଯମ ଯନ୍ତ୍ରଣା’ ଓ ‘ଭୁଲିଯା ଯାହା ଭୁଲ୍‌ ହୋଇଛି’ ମଞ୍ଚସ୍ଥ ହୋଇନାହିଁ। ଅପେରା ରାଜଧାନୀ ମଧ୍ୟ ୪ ତାରିଖ ରାତିରେ ଶେଷ ମଞ୍ଚ କରି ବିଦାୟ ନେବ। ପ୍ରଥମରୁ ଏହି ପାର୍ଟି ‘ସିଂହଦ୍ବାର ମନା ମତେ ସ୍ବର୍ଗଦ୍ବାର ମନା’ ନାଟକ ଚଲାଇଛି। ଏହାର ଅନୁସନ୍ଧାନ ନାଟକ ‘ଚନ୍ଦ୍ରବଦନୀର ଚଉଠି ରାତି’ ସେମିତି ଉତ୍କଣ୍ଠାରେ ରହିଛି। ଶିବାନୀ ଗଣନାଟ୍ୟ ଆରମ୍ଭରୁ ସେଇ ଗୋଟିଏ ନାଟକ ‘ଆଖି ତୋର ଲୁହ ମୋର’ ମଞ୍ଚସ୍ଥ କରିଚାଲିଛି। ଏହାର ଅନୁସନ୍ଧାନ ନାଟକ ‘ରଙ୍ଗ ଲଗେଇଛି ରଙ୍ଗନାଗରୀ’କୁ ଦର୍ଶକମାନେ ଅପେକ୍ଷା କରିରହିଛନ୍ତି। ୬ ତାରିଖରେ ଏହି ପାର୍ଟି ବିଦାୟ ନେବା ପୂର୍ବରୁ ନୂଆ ନାଟକ କରିବ କି ନାହିଁ ବୁଝାପଡ଼ୁନାହିଁ। ସେହିପରି ରଙ୍ଗମହଲ ଦୁଇ ରାତି ହେଲା ମଞ୍ଚସ୍ଥ କରୁଛି ‘ଚାଲିବା ଆଗରୁ ବାଟ ସରିଲା’। ଏହାର ଅନୁସନ୍ଧାନ ନାଟକ ‘ପୁରୁଷର ଦେହ ନାରୀର ମନ’ ଓ ‘ଜାରଜ ଜହର ନୁହେଁ କାହାର’କୁ ‌ଅପେରାପ୍ରେମୀମାନେ ଉତ୍କଣ୍ଠାର ସହ ଅନେଇବସିଥିବା ଚର୍ଚ୍ଚା ହେଉଛି। ଏହି ପାର୍ଟି ୧୦ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ରହିବାକୁ ଥିବାରୁ ଦର୍ଶକମାନେ ନୂଆ ନାଟକ ଦେଖିବାର ସୁଯୋଗ ପାଇବେ ବୋଲି କୁହାଯାଉଛି।

ମୋ ନାଁରେ ଅଝଟ ଛୁଆ ଖାଇ ଦେଉଥିଲା, ଶୋଇପଡ଼ୁଥିଲା… ‌
‘ଦିନଥିଲା, ଏଇ ସୁବାସ ବେହେରା ନାଁ ଶୁଣିଲେ ଗର୍ଭିଣୀ ଗାଈ ବାଟ ଛାଡ଼ିଦେଉଥିଲା। କୋଷ କୋଷ ଯାଏ ମୋ ନାଁ ଶୁଣିଲେ ଅଝଟ ଛୁଆ ତା ମା’ କୋଳରେ ଶୋଇପଡ଼ୁଥିଲା। ସୁବାସ ବେହେରା ଲକ୍ଷେ ଟଙ୍କା ମାଗିଲେ, ତାକୁ ୨ଲକ୍ଷ ଟଙ୍କା ମିଳୁଥିଲା। କିନ୍ତୁ ଆଜି! ତୁ ମୋ ଜୀବନକୁ ଆସିବା ପରେ ଗୋଖର ନାଗସାପଟା ବିଷହୀନ ଦନ୍ତହୀନ ହୋଇଗଲା। ସେଦିନର ଖରାପ ମଣିଷଟା ଭଲ ହେଇ ଆଜି କ’ଣ ପାଉଛି ଲୋ? ଯିଏ ଫୋନ୍‌ କଲ ପାଉପାଉ ଲକ୍ଷେ ଟଙ୍କା ଘରେ ଦେଇ ଯାଉଥିଲା, ଆଜି ତା’ ଦୁଆରକୁ ଯାଇ ହାତ ପତେଇଲେ ବି ୩୦ ଟଙ୍କା ମିଳୁନି!’ ଚରିତ୍ର ଅଭିନୟରେ ଥିବା ଦୁର୍ଦ୍ଦାନ୍ତ ଖଳନାୟକ ଶୁଭେନ୍ଦୁଙ୍କ କଣ୍ଠରେ ଏହି ପଶ୍ଚାତାପର ସଂଳାପଟି କିଛି ସମୟ ପାଇଁ ଦର୍ଶକଙ୍କୁ ଗୁମ୍‌ସୁମ୍‌ କରିଦେଉଛି। ଅପେରା ସୂର୍ଯ୍ୟମନ୍ଦିରର ନାଟକ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’ରେ ଖଳନାୟକ ଶୁଭେନ୍ଦୁ ଗୋଟିଏ ଦୃଶ୍ୟରେ ସ୍ତ୍ରୀଙ୍କୁ କହୁଥିବା ଏହି ସଂଳାପ ଏବେ ବେଶ୍ ଚର୍ଚ୍ଚାରେ। ୩୦ ତାରିଖ ଅର୍ଥାତ୍ ପ୍ରଥମ ରାତିରୁ ଏହି ସଂଳାପ ତଥା ନାଟକର ଏହି ଦୃଶ୍ୟ ଦର୍ଶକଙ୍କୁ ବାରମ୍ବାର ଆକୃଷ୍ଟ କରୁଛି।

ଭୋଜପୁରୀକୁ ବଳେଇପଡ଼ୁଛି ଓଡ଼ିଆ ଗୀତ ‘ମେଘରେ ମେଘ…’

ଏଥର ଖଣ୍ଡଗିରି ଅପେରା ଲଢ଼େଇରେ ଗୀତ ‘ଝୁଲୁରେ ନିତାଇ ଝୁଲୁ’ ସବୁ ପେଣ୍ଡାଲରେ ପରିବେଷଣ କରାଯାଉଛି। ସେହିଭଳି ଓଡ଼ିଆ ଆଧୁନିକ ଗୀତ ରେକର୍ଡ ଡ୍ୟାନ୍‌ସ ‘ମେଘରେ ମେଘ, ତୋ ପ୍ରେମରେ ଛୁଆଁରେ ଭିଜା ତୁ ଆଗ…’ ସବୁ ପେଣ୍ଡାଲରେ ଦର୍ଶକମାନଙ୍କ ମନକିଣୁଛି। ତେବେ ସବୁବର୍ଷ ଭଳି ଏଥର ବି ଭୋଜପୁରୀ ଗୀତର ରେକର୍ଡ ଡ୍ୟାନ୍‌ସ ମଞ୍ଚ ଦୁଲୁକାଉଛି। ‘ମାର୍‌ଲୋ ଖଚାଖଚ୍‌’ ଭଳି ଭୋଜପୁରୀ ଆଇଟମ୍ ସବୁ ପେଣ୍ଡାଲରେ ହୁଲ୍‌ସ୍ତୁଲ କରୁଛି। ତେବେ ଅପେରା ସୂର୍ଯ୍ୟମନ୍ଦିର, ରଙ୍ଗମହଲ, ବିଶ୍ୱଦରବାର, ଶିବାନୀ ଗଣନାଟ୍ୟ, ରାଜଧାନୀ ଅପେରା ପେଣ୍ଡାଲରେ ଗତ ୩ଦିନ ହେଲା ଓଡ଼ିଆ ରୋମାଣ୍ଟିକ ଗୀତ ‘ମେଘରେ ମେଘ’ ଭୋଜପୁରୀ ଗୀତ ରେକର୍ଡ ଡ୍ୟାନ୍‌ସକୁ ବଳେଇ ପଡ଼ୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର