ଖଣ୍ଡଗିରି: କୁମ୍ଭମେଳା ଅବସରରେ ଖଣ୍ଡଗିରିରେ ଚାଲିଥିବା ଅପେରା ଲଢ଼େଇରେ ଯାତ୍ରାପ୍ରେମୀଙ୍କ ନିଦ ହଜାଉଛି ନୂଆ ନାଟକ। ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାସଂଗ୍ରାମରେ ନୂଆ ପାର୍ଟିମାନଙ୍କ ନୂଆ ନାଟକ ଆଡ଼କୁ ମୁହାଁଇଛନ୍ତି ଦର୍ଶକ। ଖଣ୍ଡଗିରି ବସ୍ ଟର୍ମିନାଲ୍ ନିକଟ ବରମୁଣ୍ଡା ବାବା ନୀଳକଣ୍ଠେଶ୍ବର ପେଣ୍ଡାଲରେ ଅପେରା ସ୍ବର୍ଣ୍ଣମନ୍ଦିରର ନୂଆ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ ପ୍ରଥମ ରାତିରେ ଦର୍ଶକଙ୍କୁ ରୋମାଞ୍ଚିତ କରିଛିି। ଆଜି ପ୍ରଥମ ରଜନୀରେ ରାଣୀଙ୍କୁ ଦେଖିବା ପାଇଁ ପୂରା ସୋ’ ହାଉସଫୁଲ୍ ରହିଥିଲା।
ସେହିଭଳି ହରେକୃଷ୍ଣ ମହତାବ ପେଣ୍ଡାଲରେ ଅପେରା ସାଇ ସମ୍ରାଟ୍ର ନୂଆ ନାଟକ ‘ଏ କେମିତିକା ପ୍ରତାରଣା’ରୁ ମଧ୍ୟ ଦର୍ଶକମାନେ ଏକ ନୂଆ ଅନୁଭୂତି ସାଉଁଟୁଥିବା ଚର୍ଚ୍ଚା ହେଉଛି। ଖଳନାୟକ ସଞ୍ଜୀବଙ୍କ ଭୟଙ୍କର ଅଭିନୟ ପ୍ରଥମ ରାତିରେ ଦର୍ଶକଙ୍କୁ ରାତି ପାହିବା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଆଜି ରାତିରେ ସନାତନ ସେବା ମଣ୍ଡପରୁ ସୂର୍ଯ୍ୟମନ୍ଦିର ବିଦାୟ ନେଉଛି। ଶେଷ ରଜନୀରେ ଅନୁସନ୍ଧାନ ନାଟକ ‘ଯମ ଯନ୍ତ୍ରଣା’ ଲୋକଙ୍କ ଆଖିରୁ ନିଦ ଚୋରାଇ ନେଇଥିବା ଚର୍ଚ୍ଚା ହେଉଛି। ଆସନ୍ତାକାଲି ଏହି ପେଣ୍ଡାଲକୁ ଆସିବ କୋଣାର୍କ ଗଣନାଟ୍ୟ। ଜଲିଉଡ୍ର ଜଣାଶୁଣା ଚର୍ଚ୍ଚିତ ଖଳନାୟକ ଦୈତ୍ୟାରି ପଣ୍ଡା କୋଣାର୍କରେ ଆସୁଛନ୍ତି। ତାଙ୍କୁ ଦେଖିବାକୁ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଏହା ଭିତରେ ଶିବାନୀ ଗଣନାଟ୍ୟ ସେଇ ପୁରୁଣା ନାଟକ ‘ଆଖି ତୋର ଲୁହ ମୋର’ ରିପିଟ୍ କରିଛି। ସେହିଭଳି ରାଜଧାନୀ ଅପେରା ମଧ୍ୟ ତା’ର ଶେଷ ରାତିରେ ସେଇ ପୁରୁଣା ନାଟକ ‘ସିଂହଦ୍ବାର ମନା ମତେ ସ୍ବର୍ଗଦ୍ବାର ମନା’ ମଞ୍ଚସ୍ଥ କରି ଖଣ୍ଡଗିରିରୁ ବିଦାୟ ନେଇଛି। ଅପେରା ରଙ୍ଗମହଲ ଦର୍ଶକମାନଙ୍କ ଅନୁରୋଧକ୍ରମେ ତା’ର ପୁରୁଣା ନାଟକ ‘ଚାଲିବା ଆଗରୁ ବାଟ ସରିଲା’ ମଞ୍ଚସ୍ଥ କରିଛି। ରଙ୍ଗମହଲ ୧୦ ତାରିଖରେ ବିଦାୟ ନେଉଥିବା ବେଳେ ଖୁବ୍ଶୀଘ୍ର ନୂଆ ନାଟକ ଭେଟିଦେବ ବୋଲି କୁହାଯାଇଛି।
ଚରିତ୍ରରେ ଓହ୍ଲାଇଛନ୍ତି ରାଣୀ
ଏଥର ଖଣ୍ଡଗିରି ଯାତ୍ରା ମହାସମରରେ ନୂଆ ରୂପରେ ଦେଖାଦେଇଛନ୍ତି ରାଣୀ ପଣ୍ଡା। ଏକଦା ଏହି ଯାତ୍ରା ମହାକୁମ୍ଭରେ ଆଇଟମ୍ ନୃତ୍ୟ ପ୍ରଦର୍ଶନ କରି ହଇଚଇ ସୃଷ୍ଟି କରିଥିବା ରାଣୀ ଏଥର ଚରିତ୍ର ଅଭିନୟର ଯାଦୁ ଦେଖାଉଛନ୍ତି। ଅପେରା ସ୍ବର୍ଣ୍ଣମନ୍ଦିରର ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ରେ ସେ ମୁଖ୍ୟ ଚରିତ୍ରରେ ଆସିଛନ୍ତି। ସେଦିନ ଆଇଟମ୍ ନୃତ୍ୟରେ ମଞ୍ଚ ଦୁଲୁକାଇଥିବା ରାଣୀ ଏବର୍ଷ ଚରିତ୍ର ଅଭିନୟରେ ଦର୍ଶକଙ୍କୁ କନ୍ଦାଉଛନ୍ତି। ବ୍ରାହ୍ମଣ ପରିବାରର ଝିଅଟି ଅଭିନେତ୍ରୀ ହେବା ନିଶାରେ ଭବିଷ୍ୟତରେ ସଂଗ୍ରାମ କରୁଛି। ଏଭଳି ଏକ କାହାଣୀକୁ ନେଇ ରଚିତ ନାଟକରେ ରାଣୀଙ୍କ ଅଭିନୟ ଦର୍ଶକମାନଙ୍କୁ ନାଟକ ସରିବା ଯାଏ ବାନ୍ଧି ରଖୁଛି।
ମୁଁ ପଇସା ଦେଇ ପୁରୁଷ କିଣେ…
‘ହେ ଉପରବାଲା… ମୋ ଆଖି ଦି’ଟା ସମୁଦ୍ର ନୁହେଁ। କେତେ ଆଉ କନ୍ଦେଇବୁ? ଏ ରାଣୀ ପଣ୍ଡା ଆଖିରୁ କେତେ ଆଉ ଲୁହ ଝରିବ?’ ରାଣୀଙ୍କ ଏହି ସଂଳାପ ଦର୍ଶକଙ୍କୁ ଭାବପ୍ରବଣ କରୁଛି। ଅନ୍ୟପକ୍ଷରେ ପୁଣି ରାଣୀଙ୍କ ଦମ୍ଦାର ସଂଳାପ ଲୋକଙ୍କୁ ତାଳି ମାରିବାକୁ ବାଧ୍ୟ କରୁଛି। ‘ପଇସା ପାଇଁ ରାଣୀ ଶରୀର ଦାନ କରେନି, ସେ ପଇସା ଦେଇ ପୁରୁଷ କିଣେ।’ ଖଳନାୟକ କୁନାଙ୍କ ଆଗରେ ରାଣୀଙ୍କ ଏହି ଚମତ୍କାର ସଂଳାପ ଦର୍ଶକଙ୍କୁ ବେଶ୍ ଆମୋଦିତ କରୁଛି।
ଧୂଆଁ କରିବେ ଦୈତ୍ୟାରି: କାନ୍ଦିବେ, ଏଠି ସବୁ କନିଆ କାନ୍ଦିବେ, କାରଣ ଏଠି ଚନ୍ଦ୍ରଭାଗା କାନ୍ଦିଛି…
ରବିବାର ସନାତନ ସେବା ମଣ୍ଡପକୁ ଆସୁଛି କୋଣାର୍କ ଗଣନାଟ୍ୟ। ପ୍ରଥମ ରାତିରୁ ଏହି ପାର୍ଟି ମଞ୍ଚସ୍ଥ କରିବ ନାଟକ ହସକାନ୍ଦଭରା ପାରିବାରିକ ତଥା ପ୍ରେମ କାହାଣୀ ଆଧାରିତ ନାଟକ ‘ତୋ ବିନା ମୁଁ ଅଧା ଅଧା’। ତେବେ ଏହି ପାର୍ଟିର ଅନୁସନ୍ଧାନ ନାଟକ ‘କନିଆ କାନ୍ଦୁଛି କୋଣାର୍କରେ’ ଏବର୍ଷ ବେଶି ପ୍ରଶଂସା ସାଉଁଟିବ ବୋଲି କୁହାଯାଉଛି। କାରଣ ଏହି ନାଟକରେ ଖଳନାୟକ ଦୈତ୍ୟାରି ପଣ୍ଡାଙ୍କ ଦମ୍ଦାର ସଂଳାପ ରହିଛି। ‘କାନ୍ଦିବେ, ଏଠି ସବୁ କନିଆ କାନ୍ଦିବେ, କାରଣ ଏଠି ଚନ୍ଦ୍ରଭାଗା କାନ୍ଦିଛି। କୋଣାର୍କର ଝାଉଁବଣରେ ଆଜି ବି ଘୂରି ବୁଲୁଛି ଚନ୍ଦ୍ରଭାଗାର ଅତୃପ୍ତ ଆତ୍ମା।’ ଦୈତ୍ୟାରିଙ୍କ ଏହି ସଂଳାପକୁ ନେଇ ଏବେଠୁ ଖଣ୍ଡଗିରି ଯାତ୍ରାପ୍ରେମୀମାନେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ସେହିଭଳି ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ବି ଚରିତ୍ର ଅଭିନୟରେ ମୁଖ୍ୟ ଆକର୍ଷଣ ସାଜିବେ ଦୈତ୍ୟାରି ପଣ୍ଡା।