ଶେଷ ପର୍ଯ୍ୟାୟ ଅପେରା ଲଢ଼େଇ ଜୋର୍‌ଦାର: ସବୁ ନାଟକ ଏକକୁ ଆରେକ ବଳି

କୋଉଠି ନାୟକ କୋଉଠି ନାୟିକା

ଖଣ୍ଡଗିରି: ଖଣ୍ଡଗିରି ଅପେରା ଲଢ଼େଇର ପ୍ରଥମ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ଯାତ୍ରା ପାର୍ଟିଗୁଡ଼ିକ ବିଦାୟ ନେଇସାରିଛନ୍ତି। ଏବେ ଯାତ୍ରା ମହାସମରରେ ଅଛନ୍ତି ୬ ଲୋକପ୍ରିୟ ପାର୍ଟି। କୋଣାର୍କ, କଳିଙ୍ଗ, ତୁଳସୀ, ରଙ୍ଗମହଲ, ସ୍ବର୍ଣ୍ଣମହଲ ଓ ସ୍ବର୍ଣ୍ଣମନ୍ଦିର ଖଣ୍ଡଗିରି ଅପେରା ମହାକୁମ୍ଭରେ ଦମ୍‌ ଦେଖାଇବାକୁ ଲାଗି ପଡ଼ିଛନ୍ତି। ଶେଷ ପର୍ଯ୍ୟାୟ ଲଢ଼େଇ ହୋଇଥିବାରୁ ଦର୍ଶକମାନଙ୍କ ଭି‌ତରେ ଅଧିକ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ବର୍ଷକ ପାଇଁ ନାଁ କମେଇବାକୁ ଏହି ଦଳମାନେ ଜୋର୍‌ଦାର ଉଦ୍ୟମ କରୁଛନ୍ତି। ତେଣୁ ସ୍ବାଭାବିକ ଭାବେ ସବୁ ନାଟକ ବେଶ୍ ମନଛୁ୍ଆଁ ହେଉଥିବା ଚର୍ଚ୍ଚା ହେଉଛି। ସବୁ ଦଳର ନାଟକ ଏକକୁ ଆରେକ ବଳି ବୋଲି ଯାତ୍ରାପ୍ରେମୀମାନେ ଆଲୋଚନା କରୁଛନ୍ତି। ବଡ଼ କଥା ହେଉଛି, କିଛି ମଞ୍ଚରେ ନାୟକକୁ ନେଇ ନାଟକ ମନକୁ ଛୁଉଁଥିବା ବେଳେ ଅନ୍ୟ ମଞ୍ଚରେ ନାୟିକାଙ୍କ ଦମ୍‌ଦାର ପ୍ରଦର୍ଶନ ଦର୍ଶକଙ୍କୁ ରୋମାଞ୍ଚିତ କରୁଛି। ଖଳନାୟକ ଦୈତ୍ୟାରି ପଣ୍ଡା, ନାୟକ ସୁରେଶଙ୍କ ସଂଳାପର ଯାଦୁ ଯେତିକି ଶିହରଣ ଖେଳାଉଛି, ଖଳନାୟିକା ସୁକାନ୍ତି, ନାୟିକା ରାଣୀ ପଣ୍ଡା ଓ ନାୟିକା ଆପୁଙ୍କ ଅଭିନୟ ଓ ସଂଳାପ ସେତିକି ଦର୍ଶକଙ୍କୁ ରୋମାଞ୍ଚିତ କରୁଛି। ତେଣୁ ରାତି ୧୦ଟା ବେଳକୁ ସବୁ ପେଣ୍ଡାଲର ଟିକେଟ୍‌ କାଉଣ୍ଟର ଖାଲି ହୋଇଯାଉଛି।

ଆଜି ମଇଦାନକୁ ଓହ୍ଲାଇଥିଲେ ତୁଳସୀ ଓ କଳିଙ୍ଗ ଗଣନାଟ୍ୟ। ହରେକୃଷ୍ଣ ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ୟ ଭେଟିଦେଇଛି ନାଟକ ‘ଅଧା ରାତିର ସାଥୀ’। ସମ୍ପ୍ରତି ସମା‌ଜରେ ବୃଦ୍ଧ ବାପାମାଙ୍କ ଶେଷ ଠିକଣା ହେଉଛି ଜରାଶ୍ରମ। ପୁଅ ଦ୍ବାରା ଘରୁ ତଡ଼ା ଖାଇବା ପରେ ବୃଦ୍ଧ ବୟସ‌‌ରେ ବାପା ମା’ କିଭଳି ଜରାଶ୍ରମରେ କାଳ କାଟୁଛନ୍ତି, ତାହାକୁ ନେଇ ନାଟକଟି ଗତିଶୀଳ। ଏହି ଦୁଃଖଦ କାହାଣୀ ରାତି ସାରା ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ସେହିଭଳି କଳଙ୍ଗ ଗଣନାଟ୍ୟ ଆଜି ମଞ୍ଚସ୍ଥ କରିଛି ନାଟକ ‘ସଂଜ ଆସେ ନଇଁ ନଇଁ।’ ସତ କହି ଜଣେ କିଭଳି ଜୀବନ ଯୁଦ୍ଧରେ ବହୁ ସନ୍ତୁଳି ହେଉଛି, ଏହାକୁ ନେଇ ନାଟକ ଲୋକଙ୍କ ମନ କିଣୁଛି। ଘାଟିକିଆ ସନାତନ ସେବା ମଣ୍ଡପରେ କୋଣାର୍କ ଗଣନାଟ୍ୟ ଆଜି ତୃତୀୟ ରାତିରେ ବି ସେଇ ସମାନ ନାଟକ ‘ତୋ ବିନା ମୁଁ ଅଧା ଅଧା’ ରିପିଟ୍ କରିଛି।

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କୋଣାର୍କ ଯାତ୍ରା ମଇଦାନରେ ରହିବାକୁ ଥିବା ବେଳେ ୮ତାରିଖ ରାତିରୁ ନୂଆ ନାଟକ ମଞ୍ଚସ୍ଥ କରିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ବରମୁଣ୍ଡା ନୀଳକଣ୍ଠେଶ୍ବର ପେଣ୍ଡାଲରେ ଅପେରା ସ୍ବର୍ଣ୍ଣମନ୍ଦିରରେ ନାଟକ ‘ହାତୀ ଘୋଡ଼ା ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ ଆଜି ବି ହାଉସ୍‌ଫୁଲ୍ ରହିଥିଲା। ରାଣୀଙ୍କ ଅଭିନୟର ଯାଦୁକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଅପେରା ସ୍ବର୍ଣ୍ଣମହଲ ମଧ୍ୟ ତା’ର ତୃତୀୟ ରାତିରେ ନାଟକ ‘ହାଟ ବସେଇଛି ହଟ ନାଗରୀ’ ରିପିଟ୍ କରିଛି। ନାୟିକା ଆଧାରିତ ଏହି ନାଟକ ଏବର୍ଷ ବେଶ୍ ପ୍ରଶଂସା ସାଉଁଟୁଛି। ତେବେ ଆଜି ଅପେରା ରଙ୍ଗମହଲ ନୂଆ ନାଟକ ‘ଭୁଲ୍ ତୋର ଭୋଗୁଛି ମୁଁ’ ମଞ୍ଚସ୍ଥ କରି ଦର୍ଶକଙ୍କୁ ଟାଣିନେଇଛି।

ଏଇ ମା’ର ପଣତକାନି ଦିନେ ଥିଲା ତୋ’ ପାଇଁ ଶ୍ରୀମନ୍ଦିର ନେତ

ପ୍ରଥମ ରାତିରେ ତୁଳସୀ ଗଣନାଟ୍ୟର ନାଟକ ‘ଅଧା ରାତିର ସାଥୀ’ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଛି। ଏକ ଦୃଶ୍ୟରେ ବୃଦ୍ଧା ମା’କୁ ଜରାଶ୍ରମରେ ଛାଡ଼ୁଛି ନିର୍ଦ୍ଦୟ ପୁଅ। ସେଇଠି ଡାକ୍ତର ଚରିତ୍ରରେ ଅଭିନୟ କରିଥିବା ବସନ୍ତଙ୍କ ସଂଳାପ ଲୋକଙ୍କ ଭିତରେ ଶିହରଣ ଖେଳାଇ ଦେଉଛି। ଲୋକେ ‌ଯେମିତି ତାଳି ମାରୁଛନ୍ତି, ସେମିତି କାନ୍ଦୁଥିବା ଦେଖାଯାଇଛି। ଡାକ୍ତର କହୁଛନ୍ତି, ଆରେ ତୁ ସେଇ ପୁଅ ନା! ଦିନେ ଯେଉଁ ମା’ର ପଣତକାନିଟା ତୋ’ ପାଇଁ ଥିଲା ଶ୍ରୀମନ୍ଦିର ନେତ, ସେଇ ମା’କୁ କେମିତି ପର କରିପାରୁଛୁ? କଥା ଦେଉଥିଲୁ ପରା ଜୀବନସାରା ମା’ର ସାଥୀ ହୋଇ ରହିବୁ, କିନ୍ତୁ ଆଜି ଅଧା ରାତିର ସାଥୀ ହୋଇ ମା’କୁ ଜରାଶ୍ରମରେ ଛାଡ଼ି ପଳାଉଛୁ।’ ବାସ୍‌, ବସନ୍ତଙ୍କ ଏହି ସଂଳାପ ହିଁ ଦର୍ଶକଙ୍କୁ କାନ୍ଦି ପକାଇବାକୁ ବାଧ୍ୟ କରୁଛି।

ସତଟା ବଡ଼ ନିଷ୍ଠୁର ଲୋ, ତା’ ସ୍ଥାନ ଥାଏ ମଶାଣିରେ

କଳିଙ୍ଗ ଗଣନାଟ୍ୟର ନାଟକ ‘ସଞ୍ଜ ଆସେ ନଇଁ ନଇଁ’ରେ ବିଶ୍ବାସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସୁରେଶଙ୍କ କିଛି ସଂଳାପ ପ୍ରଥମ ରାତିରେ ଦର୍ଶକଙ୍କ ତାଳି ସାଉଁଟିଛି। ପତ୍ନୀଙ୍କୁ କହିଥିବା ତାଙ୍କ ସଂଳାପ, ‘ସତ କହିଥିଲା ବିଭୀଷଣ, ତାକୁ ମିଳିଲା ନିର୍ବାସନ। ସତ କହିଥିଲା ବେଲାଳସେନ, ତା’ କଟାମୁଣ୍ଡ ଝୁଲି ରହିଲା କୁରୁକ୍ଷେତ୍ରରେ। ତେଣୁ ସତ ବଡ଼ ନିଷ୍ଠୁର ଲୋ! ସତର ସ୍ଥାନ କେତେବେଳେ ବି ମନ୍ଦିରରେ ନଥାଏ, ସବୁବେଳେ ଥାଏ ମଶାଣି ଭୂଇଁରେ।’ ଚିରାଚରିତ ଢଙ୍ଗରେ ରହି ରହି କହୁଥିବା ସୁରେଶଙ୍କ ଏହି ସଂଳାପ ରାତିର ନିରବତାକୁ ଭଙ୍ଗ କରୁଛି। ଦର୍ଶକମାନେ ତାଳି ଅଜାଡ଼ି ଦେଉଛନ୍ତି।

ସମ୍ବନ୍ଧିତ ଖବର