ଖଣ୍ଡଗିରି ଅପେରା ଲଢ଼େଇ: ’ଏକା ଲଢ଼ିବ ରାଣୀ ପଣ୍ଡା’

ଖଣ୍ଡଗିରି: କୁମ୍ଭମେଳା ଅବସରରେ ଖଣ୍ଡଗିରିରେ ଚାଲିଥିବା ଅପେରା ଲଢ଼େଇର ପ୍ରଥମ ପର୍ଯ୍ୟାୟ ସରିବାକୁ ବସିଛି। ଆସନ୍ତାକାଲି କିଛି ପେଣ୍ଡାଲରେ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ। ନୂଆ ପାର୍ଟି ନୂଆ ନାଟକ ନେଇ ମଇଦାନକୁ ଓହ୍ଲାଉଛନ୍ତି। ଦ୍ବିତୀୟ ପର୍ଯ୍ୟାୟର ଅୟମାରମ୍ଭରେ ମଇଦାନରେ ସାମିଲ୍‌ ହେଉଛନ୍ତି ସ୍ବର୍ଣ୍ଣମହଲ ଓ ସାଇସମ୍ରାଟ୍‌ ଅପେରା। ଖଣ୍ଡଗିରି ବସ୍‌ ଟର୍ମିନାଲ ନିକଟରେ ନୂଆ ପେଣ୍ଡାଲ ବାବା ନୀଳକଣ୍ଠେଶ୍ବର ମଣ୍ଡପରେ ଅପେରା ସ୍ବର୍ଣ୍ଣମହଲ ପ୍ରଥମ ରଜନୀରୁ ବହୁଚର୍ଚ୍ଚିତ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ ମଞ୍ଚସ୍ଥ କରିବ। ତେବେ ଆଜି ୫ମ ରାତିରେ ଦୁଇ ପାର୍ଟି ପୁରୁଣା ନାଟକ ବଦଳାଇ ଦର୍ଶକଙ୍କୁ ନୂଆ ନାଟକ ଭେଟି ଦେଉଛନ୍ତି। ଦର୍ଶକଙ୍କ ଚାହିଦା ଅନୁସାରେ ସନାତନ ସେବା ମଣ୍ଡପରେ ସୂର୍ଯ୍ୟମନ୍ଦିର ୪ ରାତି ପରେ ନାଟକ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’କୁ ବଦଳାଇ ନୂଆ ନାଟକ ‘ଯମ ଯନ୍ତ୍ରଣା’ ମଞ୍ଚସ୍ଥ କରିଥିଲା। ଲେଖକ ଓ ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ରଙ୍କ ଏହି ନାଟକ ମଧ୍ୟ ବେଶ୍ ମନଛୁଆଁ ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ଡ. ହରେକୃଷ୍ଣ ମହତାବ ମଣ୍ଡପରେ ବିଶ୍ବଦରବାର ପୁରୁଣା ନାଟକ ‘ମୃତ୍ୟ ପରେ ମଣିଷ’କୁ ବଦଳାଇ ବିଦାୟ ରଜନୀରେ ମଞ୍ଚସ୍ଥ କରିଥିଲା ଅନୁସନ୍ଧାନର ନାଟକ ‘କଳା ରଙ୍ଗ ନାହିଁ କଳା ନାୟକ’।

ବିଦାୟ ନେଲା ବିଶ୍ବଦରବାର
8ସାମିଲ୍‌ ହେବେ ସାଇ ସମ୍ରାଟ୍‌, ସ୍ବର୍ଣ୍ଣମନ୍ଦିର

ଆସନ୍ତକାଲି ଏହି ପେଣ୍ଡାଲରେ ସାଇ ସମ୍ରାଟ୍‌ ଦର୍ଶକଙ୍କୁ ପରଶିବ ନୂଆ ନାଟକ ‘ଏ କେମିତିକା ପ୍ରତାରଣା’। ଅପରପକ୍ଷେ ଅନ୍ୟ ତିନି ପେଣ୍ଡାଲରେ ରିପିଟ୍‌ ନାଟକ ଦର୍ଶକମାନେ ଦେଖିବାକୁ ବାଧ୍ୟ ହୋଇଛନ୍ତି। ରାଜଧାନୀ ଅପେରା ଆସନ୍ତାକାଲି ଅର୍ଥାତ୍ ୪ ତାରିଖ ରାତିରେ ବିଦାୟ ନେବ ଏବଂ ଶେଷ ମଞ୍ଚ କରି ବିଦାୟ ନେବ। ପ୍ରଥମରୁ ଏହି ପାର୍ଟି ‘ସିଂହଦ୍ବାର ମନା ମତେ ସ୍ବର୍ଗଦ୍ବାର ମନା’ ନାଟକ ଚାଲୁ ରଖିଛି। ଏହାର ଅନୁସନ୍ଧାନ ନାଟକ ‘ଚନ୍ଦ୍ରବଦନୀର ଚଉଠି ରାତି’ ସେମିତି ଉତ୍କଣ୍ଠାରେ ରହିଛି। ଶିବାନୀ ଗଣନାଟ୍ୟ ନାଟକ ‘ଆଖି ତୋର ଲୁହ ମୋର’ ମଞ୍ଚସ୍ଥ କରି ଚାଲିଛି। ଏହାର ଅନୁସନ୍ଧାନ ନାଟକ ‘ରଙ୍ଗ ଲଗେଇଛି ରଙ୍ଗନାଗରୀ’କୁ ଦର୍ଶକମାନେ ଏବେ ବି ଅପେକ୍ଷା କରି ରହିଥିବା କହୁଛନ୍ତି। ୬ ତାରିଖରେ ଏହି ପାର୍ଟି ବିଦାୟ ନେବା ପୂର୍ବରୁ ନୂଆ ନାଟକ କରିବ କି ନା, ସ୍ପଷ୍ଟ କରିନାହିଁ। ଆଜି ମଧ୍ୟ ଅପେରା ରଙ୍ଗମହଲ ପୁରୁଣା ନାଟକ ‘ଚାଲିବା ଆଗରୁ ବାଟ ସରିଲା’ ମଞ୍ଚସ୍ଥ କରିଥିଲା। ଏହି ପାର୍ଟି ୧୦ ତାରିଖରେ ବିଦାୟ ନେବ ଏବଂ ଏହା ଭିତରେ ଦର୍ଶକଙ୍କୁ ନୂଆ ନାଟକ ଭେଟିଦେବ ବୋଲି କୁହାଯାଉଛି।

ଏଇଟା ସର୍ଭିସ ତାର, ତଣ୍ଟି ଚାପିଦେଲେ ମୋଟେ କଷ୍ଟ ହବନି

‘ଆଲୋ ବୁଝିଲୁ, ଏଇଟା ସର୍ଭିସ ତାର…, ଏଥିରେ ତଣ୍ଟିକୁ ଚାପିଦେଲେ ମୋଟେ କଷ୍ଟ ହବନି।’ ଅପେରା ରଙ୍ଗମହଲରେ ଯାତ୍ରା ଜଗତର ଚର୍ଚ୍ଚିତ ଯୁବ ଖଳନାୟକ ଟାହିଆଙ୍କର ଏଭଳି ଭୟଙ୍କର ସଂଳାପ ଦର୍ଶକଙ୍କ ଭିତରେ ଶିହରଣ ଖେଳାଉଛି। ନାଟକ ‘ଚାଲିବା ଆଗରୁ ବାଟ ସରିଲ‌ା’ରେ ଖଳନାୟକ ଟାହିଆ ବଡ଼ ଭୟଙ୍କର ଭାବେ ଏକ ସର୍ଭିସ୍‌ ତାରରେ ହତ୍ୟା କରିବା ପୂର୍ବରୁ ଏହି ସଂଳାପଟି କହୁଛନ୍ତି ଏବଂ ସଂଳାପ ସାଙ୍ଗକୁ ଛାତିଥରା ମ୍ୟୁଜିକ୍‌ ଦର୍ଶକଙ୍କ ମନକୁ ପାଉଛି।

ଧନମାଳି… ମାର୍‌ ତାଳି… ତାକ୍‌ ଧିନାଧିନ୍‌ ଧିନ୍‌

‘ଆରେ ଧନମାଳି… ମାର୍‌ ତାଳି’। ରାଜଧାନୀ ଅପେରାର ନାଟକ ‘ସିଂହଦ୍ବାର ମନା ମତେ ସ୍ବର୍ଗଦ୍ବାର ମନା’ରେ ଖଳନାୟକ ଲକ୍ଷ୍ମୀଧରଙ୍କ ଏହି ମାନିଆ ସଂଳାପ ଏବେ ସବୁ ଦର୍ଶକଙ୍କ ମୁହଁରେ। ଏହି ମାନିଆ ସଂଳାପଟି ସହ ତାକ୍‌ ଧିନା ଧିନ୍‌ଧିନ୍‌ ତାଳରେ ମ୍ୟୁଜିକ୍‌ ବେଶ୍ ପ୍ରଶଂସ‌ା ସାଉଁଟୁଛି।

ଆଇଟମ୍‌ ନୁହେଁ, କିମିଆ କରିବ ରାଣୀଙ୍କ ଅଭିନୟ

ଖଣ୍ଡଗିରି ଯାତ୍ରା ମହାସମରରେ ଆଇଟମ୍‌ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ରୋମାଞ୍ଚିତ କରୁଥିବା ରାଣୀ ପଣ୍ଡାଙ୍କୁ ଏଥର ଆଉ ସେମିତି ଦେଖିବାକୁ ମିଳିବନି। ଚଳିତ ବର୍ଷ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଲାଗୁ ହେବା ପରେ ରାଣୀ ପଣ୍ଡା ବି ଏଥିପାଇଁ ନିଜ ଆଡ଼ୁ ମନା କରିଛନ୍ତି। ତେବେ ଏଥର ତାଙ୍କ ଅଭିନୟ‌ର ଯାଦୁ ଦର୍ଶକଙ୍କୁ କିମିଆ କରିବ। ଅପେରା ସ୍ବର୍ଣ୍ଣମହଲରେ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ରେ ସେ ମୁଖ୍ୟ ଅଭିନୟ କରୁଥିବା ଜଣାପଡ଼ିଛି। ତାଙ୍କ ସହିତ ଖଳନାୟକ କୁନାଙ୍କ ଯୋଡ଼ି ନାଟକକୁ ଅଧିକ ଚମତ୍କୃତ କରିବ ବୋଲି ଚର୍ଚ୍ଚା ହେଉଛି।

୧୦ଟାରେ ମେଳାବଜାର ବନ୍ଦ, ବେପାରୀ ଅସନ୍ତୁଷ୍ଟ

ଖଣ୍ଡଗିରି ମେଳାରେ ଦର୍ଶକଙ୍କ ସଂଖ୍ୟା ବଢ଼ି ଚାଲିଥି‌ଲେ ବି ଏଥର ବେପାରୀମାନେ ବହୁ ମାତ୍ରାରେ ଅସନ୍ତୁଷ୍ଟ ଅଛନ୍ତି। ବିଏମ୍‌ସିର ମନମୁଖୀ କାମ ସେମାନଙ୍କୁ କ୍ଷତି ସହିବାକୁ ବାଧ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରତିଦିନ ରାତି ୧୦ଟାରେ ଦୋକାନ ବନ୍ଦ କରିବାକୁ ବାଧ୍ୟ କରାଯାଉଛି। ୧୦ଟା ବାଜୁ ବାଜୁ ସିଧାସଳଖ ବିଦ୍ୟୁତ୍‌ ଲାଇନ୍‌ କାଟି ଦିଆଯାଉଛି। ବ୍ୟବସାୟୀମାନଙ୍କ କହିବା କଥା, ପ୍ରତିବର୍ଷ ରାତି ୧୨ଟା ଯାଏଁ ଦୋକାନ ବଜାର ଖୋଲା ରୁହେ। ଯାତ୍ରା ଦେଖିବାକୁ ଆସୁଥିବା ହଜାର ହଜାର ଦର୍ଶକ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ସହ ଖିଆପିଆ କରନ୍ତି। କିନ୍ତୁ ଚଳିତ ବର୍ଷ ବିଏମ୍‌ସି ରାତି ୧୦ଟାରେ ଦୋକାନ ବନ୍ଦ କରିବାକୁ ବାଧ୍ୟ କରୁଛି। ଫଳରେ ଭଲ ବେପାର ହେବାର ଦୁଇ ଘଣ୍ଟା ପାଣିରେ ଯାଉଛି। ଜଣେ ବ୍ୟବସାୟୀଙ୍କ କହିବା କଥା, ୭ ଫୁଟ୍‌ ଲମ୍ବା ୭ଫୁଟ୍‌ ଚଉଡ଼ା ସ୍ଥ‌ାନରେ ଦୋକାନଟିଏ କରି ବିଏମ୍‌ସିକୁ ୯ହଜାର ୨୫୦ ଟଙ୍କ‌ା ଗଣି ଦେଇଛୁ।

ଏହା ପୂର୍ବବର୍ଷମାନଙ୍କଠାରୁ ଢେର୍‌ ବେଶି। ସେଥିରେ ପୁଣି ଚଳିତ ବର୍ଷ ବିଜୁଳି ବିଲ୍‌ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ସବୁ ବାଟରେ ବିଏମ୍‌ସି ଟିକସ ଅଧିକ ନେଉଛି, ମାତ୍ର ଭଲ ବେପାର ସମୟରେ ଦୋକାନ ବନ୍ଦ କରିଦେଉଛି। ତେଣୁ ଏବର୍ଷ ସେମାନେ ବ୍ୟାପକ କ୍ଷତି ସହୁଛନ୍ତି। ଏମିତି ହେଲେ ଆଗକୁ ସେମାନେ ଏହି ମେଳାର ମାଟି ମାଡ଼ିବେ ନାହିଁ ବୋଲି କହିଛନ୍ତି। ସେହିଭଳି ଖୋର୍ଦ୍ଧା ବେଗୁନିଆରୁ ଯାତ୍ରା ଦେଖି ଆସିଥିବା ଚନ୍ଦନ ବେହେରାଙ୍କ କହିବା କଥା, ଯାତ୍ରା ଦେଖିବା ପୂର୍ବରୁ ମେଳାରେ ବୁଲି ଖାଇବାକୁ ଇଚ୍ଛା ଥିଲା। ମାତ୍ର ମେଳାରେ ଦୋକାନ ବଜାର ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ହୋଟେଲ(ଢାବା)ରେ ଖାଇ ଖର୍ଚ୍ଚାନ୍ତ ହେଲୁ।

ସମ୍ବନ୍ଧିତ ଖବର